Latest Odisha News

BREAKING NEWS

୪ଦଶନ୍ଧି ଧରି ଲୁଚି ରହିବା ପରେ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନକ୍ସଲ ମୁକ୍ତ ଭାରତ ପାଇଁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି। ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକରେ କରାଯାଉଥିବା ଏହି ଅପରେସନର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ଗୁରୁବାର ସୀମାନ୍ତ ତେଲେଙ୍ଗାନା ରାଚକୋଣ୍ଡା ପୋଲିସ ନିକଟରେ ଦୁର୍ଦାନ୍ତ ମାଓ ଦମ୍ପତି କରିଛନ୍ତି ଆତ୍ମସମର୍ପଣ । ଦୀର୍ଘ ୪୫ ବର୍ଷ ଧରି ସଂଗଠନରେ କାର୍ଯ୍ୟରତ ଥିଲେ। ମାଓ ଦମ୍ପତି ହେଲେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଚିବ ତଥା ରାଜ୍ୟ କମିଟି ସଦସ୍ୟ ମାଲା ସଞ୍ଜୀବ ଓରଫ ଲେଙ୍ଗୁ ଦାଦା(୬୨) ଏବଂ ତାଙ୍କ ପତ୍ନୀ ଷ୍ଟେଟ କମିଟି ମେମ୍ବର ପେରାଗୁଡା ପାର୍ବତୀ ଓରଫ ଦୀନା(୫୦)।

ସଞ୍ଜୀବ ୧୯୮୦ ମସିହାରେ ମାଓ ସଂଗଠନରେ ସାମିଲ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ୨୦୦୩ ମସିହାରେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ଦାୟିତ୍ବ ନେଇଥିଲେ । ସେହିପରି ୧୯୯୨ ମସିହାରେ ତାଙ୍କ ପତ୍ନୀ ପାର୍ବତୀ ମାଓ ସଂଗଠନ ସହ ଜଡିତ ହୋଇଥିଲେ।

ପୋଲିସ କହିଛି ଯେ, ୪୫ ବର୍ଷ ଧରି ଅଣ୍ଡରଗ୍ରାଉଣ୍ଡ ଥିବା ସଞ୍ଜୀବ ଏବଂ ତାଙ୍କ ପତ୍ନୀ ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି, ଯାହା ମାଓ ଆନ୍ଦୋଳନ ବିରୁଦ୍ଧରେ ତେଲେଙ୍ଗାନା ପୋଲିସର ବ୍ୟାପକ ରଣନୀତିର ବିଜୟ। ତେଲେଙ୍ଗାନା ସରକାରଙ୍କ କଲ୍ୟାଣକାରୀ ଯୋଜନା ଏବଂ ପୋଲିସ ବିଭାଗର ସମର୍ଥନରେ ଅନୁପ୍ରାଣିତ ହୋଇ ସେମାନେ ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଥିବା ପୋଲିସ କହିଛି। ପୋଲିସ କମିଶନର ସମସ୍ତ ଅଣ୍ଡରଗ୍ରାଉଣ୍ଡ ମାଓବାଦୀଙ୍କୁ ସେମାନଙ୍କ ଗାଁକୁ ଫେରିବାକୁ ନିବେଦନ କରିଛନ୍ତି।

Comments are closed.