Latest Odisha News

BREAKING NEWS

‘ମହିଳାମାନଙ୍କ ଅଭିଯୋଗକୁ ଅଣଦେଖା କଲେ ଆଗକୁ ଏସପି ଅଫିସ ଘେରାଉ କରିବ କଂଗ୍ରେସ’

ଅନୁଗୁଳ: ରାଜ୍ୟରେ ଗତ ଏକ ବର୍ଷ ୨ ମାସ ମଧ୍ୟରେ ବଢି ଚାଲିଛି ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ । ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହାର ଅନୁପାତ କିଛି କମ ନାହିଁ । ପୂର୍ବରୁ ଜିଲ୍ଲାର ନନ୍ଦିନୀପାଲି, ନିଶା ଥାନା ଅଞ୍ଚଳ, ତାଳଚେର, ବନ୍ତଳା ଆଦି ଅଞ୍ଚଳରେ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଏବେ ପୁଣି ବନ୍ତଳା ଅଞ୍ଚଳର ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଜଣେ ବିଜେପିର ଯୁବନେତା ହିଁ ଏଭଳି କାଣ୍ଡ ଭିଆଇଥିଲେ । ଆଉ ଏହି ଘଟଣାରେ ସଂପୃକ୍ତ ଯୁବ ନେତା ସୁଦୀପ୍ତ ସ୍ବାଇଁଙ୍କୁ ପୋଲିସ ଗିରଫ କରିଛି ।

ତେବେ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ । ଏହି ଘଟଣାରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହ ସରକାରୀ ଦଳର ନେତା ହୋଇଥିବା ଯୋଗୁଁ ପୋଲିସ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛି ।

କଂଗ୍ରେସର ଅଭିଯୋଗ ଅନୁସାରେ ପିଡିତା ଯୁବତୀ ଜଣଙ୍କ ୪ ଦିନ ହେଲା ଅଭିଯୋଗ କଲେ ମଧ୍ୟ ପୋଲିସ ମାମଲା ଦାୟର କରୁ ନଥିଲା । ସ୍ଥାନୀୟ ବିଧାୟକଙ୍କ ଚାପାରେ ପୋଲିସ ଯୁବତୀଙ୍କ ଅଭିଯୋଗ ରଖି ଚୁପଚାପ ବସି ଯାଇଥିଲା ।

ଗତକାଲି ସନ୍ଧ୍ୟାରେ ଚାପ ପକାଯିବାରୁ ଏବଂ ଯୁବତୀ ଜଣଙ୍କ ଆତ୍ମାହୁତି ଦେବା ପାଇଁ ଚେତାବନୀ ଦେବାପରେ ବନ୍ତଳା ପୋଲିସ ତରବରିଆ ଭାବରେ ମାମଲା ଦାୟର କରି ଆଜି ଭୋରରୁ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ଏଣୁ ମହିଳା ମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉ ନଥିବା ଏଭଳି ଜଣେ ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।

ଏହା ନ ହେଲେ ଆଗକୁ ଏସପି ଅଫିସ ଘେରାଉ କରାଯିବା ସହ ଆନ୍ଦୋଳନକୁ କଂଗ୍ରେସ ଓହ୍ଲାଇବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

Comments are closed.