Latest Odisha News

BREAKING NEWS

ସପଲିଫଟିଂ କ’ଣ…ଚୋରି ନା ମାନସିକ ଅସୁସ୍ଥତା !

ନୂଆଦିଲ୍ଲୀ: ଆମେରିକାରେ ଜଣେ ଭାରତୀୟ ମହିଳା ଦୋକାନରୁ ଚୋରି କରୁଥିବା ଅଭିଯୋଗ ଆସିଛି । ଏହାର ଭିଡିଓ ଭାଇରାଲ୍ ବି ହୋଇଛି । ଭିଡିଓରେ ମହିଳା ଜଣକ ସଂଭ୍ରାନ୍ତ ପରିବାରର ଭଳି ଦେଖାଯାଉଥିବା ବେଳେ ଏଥିପାଇଁ କ୍ଷତିପୂରଣ ଦେବାକୁ ସଫେଇ ଦେଉଥିବା ଦେଖିବାକୁ ମିଳୁଛି । ଏହାପରଠୁ ଭାରତୀୟଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଉଛି । ତେବେ ସତ ହେଲା, ଧନୀ ଦେଶରେ ଦୋକାନରୁ ଚୋରି ବା ସପଲିଫଟିଂ ଘଟଣା ଅଧିକ । ତେବେ ପ୍ରଶ୍ନ ଉଠୁଛି ସପଲିଫଟିଂ କ’ଣ? ଧନୀ ବା ଗରିବ ସହ ଏହାର କିଛି ସଂପର୍କ ରହିଛି କି ? ସାଧାରଣ ଚୋରିଠାରୁ ଏହା କେମିତି ଭିନ୍ନ ?

ସପଲିଫଟିଂ କ’ଣ?

ସପଲିଫଟିଂର ଅର୍ଥ ହେଉଛି ପକେଟରେ ଅର୍ଥ ଥାଉ କି ନାହିଁ ଦୋକାନରୁ ସାମଗ୍ରୀ ଚୋରି କରିବା । ଲୋକେ ଗ୍ରାହକ ହେବା ଭଳି ଦେଖାଇବା ସହ ଚୋରି କରି ଚୁପଚାପ ପଳାଇ ଯାଆନ୍ତି । ଅନେକ ସମୟରେ ଏହାକୁ ମାନସିକ ସ୍ଥିତି ସହ ଯୋଡାଯାଏ । କିଛି ଏହାକୁ କ୍ଲିପ୍ଟୋମାନିଆ କୁହନ୍ତି। ଏହା ଏକପ୍ରକାର ମାନସିକ ସମସ୍ୟା । ଫଳରେ ଏଥିରେ ପ୍ରଭାବିତ ବ୍ୟକ୍ତିଙ୍କର କିଛି ବି ଚୋରି କରିବାକୁ ଇଚ୍ଛା ହୁଏ । ନାସନାଲ ଆସୋସିଏସନ୍ ଫର ସପଲିଫଟିଂ ପ୍ରିଭେନ୍ସନ ମତରେ, ପ୍ରତି ୧୧ଜଣଙ୍କ ମଧ୍ୟରୁ ଜଣେ ଆମେରିକୀୟ କେବେ ନା କେବେ ମାଗଣାରେ ଦୋକାନରୁ ଜିନିଷ ଉଠାଇଥାନ୍ତି । ରିପୋର୍ଟ ମୁତାବକ, ୭୫ପ୍ରତିଶତ ସପଲିଫ୍ଟର ବିନା ଯୋଜନାରେ ଏଭଳି କରନ୍ତି । କେବଳ ଆମେରିକା ନୁହେଁ ପଶ୍ଚିମ ଦେଶରେ ଏହା ସାଧାରଣ ସମସ୍ୟା । ୟୁକେ, ଜର୍ମାନୀ, ସୁଇଜରଲ୍ୟାଣ୍ଡ ସହ ଜାପାନରେ ବି ଏଭଳି ଘଟଣା ବଢିବାରେ ଲାଗିଛି ।

ସପଲିଫଟିଂ ମହିଳାଙ୍କ ରୋଗ !

୧୯ଶହ ଶତାବ୍ଦୀରେ ଫ୍ରାନ୍ସର ଅନେକ ଧନୀଘରର ମହିଳା ଦୋକାନ ତଥା ଅନ୍ୟମାନଙ୍କ ଘରୁ ଛୋଟ ମୋଟ ଜିନିଷ ଚୋରି କରୁଥିବା ବେଳେ ଧରା ପଡିଥିଲେ । ପରେ ଏହାକୁ ଲେଡିଜ୍ ଡିଜିଜ ବା ମହିଳାଙ୍କ ରୋଗ କୁହାଗଲା, ଯେମିତି କି ମହିଳାଙ୍କୁ ଏଥିପାଇଁ ଦଣ୍ଡ ଭୋଗିବାକୁ ପଡିବନି । ତେବେ ପରେ ଏହା ପୁରୁଷଙ୍କଠାରେ ମଧ୍ୟ ଦେଖାଗଲା । ଏହାପରେ ଗବେଷଣାରୁ କ୍ଲିପ୍ଟୋମାନିଆ ନେଇ ଜଣାପଡିଲା । ଏହା ଏକପ୍ରକାରର ଇମ୍ପଲ୍ସ ଡିଜଅର୍ଡର, ଏଥିରେ ପୀଡିତ ବ୍ୟକ୍ତିଙ୍କ ମୁଣ୍ଡ ସେମାନଙ୍କୁ ଚୋରି କରିବାକୁ ପ୍ରେରିତ କରେ । ଅନେକ ସମୟରେ ମନରୁ ଅଶାନ୍ତି ଦୂର କରିବାକୁ ଲୋକେ ଛୋଟ ମୋଟ ଚୋରି କରନ୍ତି । ଏହା ନିଜ ମନ ଭିତରେ ଥିବା ଶୂନ୍ୟଭାବକୁ ପୂରଣ କରିବାକୁ ଏକ ପ୍ରକ୍ରିୟା । ଯେମିତି କିଛି ଲୋକ ଅଧିକ ଖାଆନ୍ତି, ନିଶା କରନ୍ତି ସେମିତି ହିଁ ରୋଗରେ ପୀଡିତ ଚୋରି କରନ୍ତି । ତେବେ ପରେ ଏଥିପାଇଁ ମନସ୍ତାପ କରନ୍ତି ।

ଚୋରି ନୁହେଁ କି ସପଲିଫଟିଂ ?

ସପଲିଫଟିଂକୁ ଚୋରି ହିଁ କୁହାଯିବ । ତେବେ ସାଧାରଣ ଚୋରିଠାରୁ ଏହା ଭିନ୍ନ କାରଣ ଏଠାରେ ଉଦ୍ଦେଶ୍ୟ ଓ ତରିକା ଭିନ୍ନ । ଚୋର ଲଗାତର ଚୋରି କରିଚାଲେ । ତେବେ ସପଲିଫଟିଂ କରୁଥିବା ଲୋକେ ଦୋକାନରୁ ଜିନିଷ ଚୋରି କରିବା ପରେ ଏଥିପାଇଁ ମନସ୍ତାପ ବି କରନ୍ତି । ଆମେରିକାରେ ସପଲିଫଟିଂ ଏକ ସାଧାରଣ ଅପରାଧ । ଅଲଗା ଅଲଗା ରାଜ୍ୟରେ ଏଥିପାଇଁ ଦଣ୍ଡ ଭିନ୍ନ ଭିନ୍ନ ରହିଛି । ତେବେ ଅନେକ ଥର କେବଳ ଚେତାବନୀ ଦେଇ ଛାଡି ଦିଆଯାଏ । ୟୁକେରେ ଏହା ଚୋରି ଅଧୀନରେ ଚୋରି ଶ୍ରେଣୀରେ ଆସେ ଓ ଜରିମାନା ଭରିବା ପରେ ଚୋରକୁ ଛଡାଯାଏ । ତେବେ ଅନେକ ଦେଶରେ ପ୍ରଥମ ଥର ଧରାପଡିଲେ କାଉନସେଲିଂ କରାଯାଏ । ଅଭିଯୁକ୍ତ କ୍ଲିପ୍ଟୋମାନିଆରେ ଆକ୍ରାନ୍ତ ହୋଇଥିଲେ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେବା ସହ ଚିକିତ୍ସା ବ୍ୟବସ୍ଥା ବି କରାନ୍ତି ।

Comments are closed.