ବଳଙ୍ଗା, ନିମାପଡ଼ା: ବାଲେଶ୍ୱରର ସୌମ୍ୟାଶ୍ରୀ ଘଟଣାର ଆଘାତ ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ଅମାନୁଷିକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗାଁରେ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।
ଛାତ୍ରୀ ଜଣଙ୍କ ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ ତିନି ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ଏହାପରେ ସେମାନେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ଦେହରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି। ପୀଡିତା ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରୀ ରିପୋର୍ଟ ଅନୁଯାୟୀ, ତାଙ୍କ ଶରୀରର ୭୦ ଭାଗ ପୋଡ଼ି ଯାଇଛି। ବର୍ତ୍ତମାନ ତାଙ୍କୁ ଏମ୍ସର ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତର କରାଯାଇଛି, ଏବଂ ଡାକ୍ତରୀ ଟିମ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା ଜାରି ରଖିଛି।
ଘଟଣା ଚର୍ଚ୍ଚାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏମ୍ସରେ ପୀଡିତାଙ୍କୁ ଭେଟି ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଏସପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏକ ସ୍ପେଶାଲ ଟିମ ଗଠନ କରାଯାଇ ଘଟଣାର ଅନୁସନ୍ଧାନ ଚାଲିଛି। ଏସପି ମିଶ୍ର କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ଓ ଗୁରୁତର ଘଟଣା ହୋଇଥିବାରୁ ପୋଲିସ ଏହାକୁ ଗମ୍ଭୀରତାର ସହ ନେଇଛି। ବର୍ତ୍ତମାନ ଯାଏଁ କାହାକୁ ଅଟକ କରାଯାଇନାହିଁ, ତେବେ ପଚରାଉଚରା ଜାରି ରହିଛି।
ପୋଲିସ ସୂଚନା ଅନୁଯାୟୀ, ଘଟଣାରେ କୌଣସି ଦହନଶୀଳ ପଦାର୍ଥ ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି, କିନ୍ତୁ ତାହା କ’ଣ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଦୁଇଟି ସ୍ପେଶାଲ ସ୍କାର୍ଡ ଓ ଫୋରେନସିକ ଟିମ ଘଟଣାସ୍ଥଳରେ ତଦନ୍ତ କରୁଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କିଏ ଓ କାହିଁକି ଏପରି କରାଗଲା, ତାହା ଶୀଘ୍ର ଜଣାପଡ଼ିବ ବୋଲି ପୋଲିସ ଆଶା ରଖିଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ଏହି ନିର୍ମମ ଘଟଣା ପରେ ପୀଡିତାଙ୍କ ପରିବାର ଓ ଗ୍ରାମବାସୀ ଦୁଃଖରେ ଅଛନ୍ତି। ଗ୍ରାମବାସୀ ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ଘଟଣା ପୁଣି ସାରା ଓଡ଼ିଶାରେ ଚର୍ଚ୍ଚାକୁ ଆସିଥିବା ବେଳେ ସମାଜରେ ମହିଳାଙ୍କ ସୁରକ୍ଷା ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।
Comments are closed.