Latest Odisha News

BREAKING NEWS

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା: ସଂପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ଗତକାଲି ହେବାକୁ ଥିବା ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ ରହିଛି। ରାତି ଅଧରେ ପ୍ରଶ୍ନପତ୍ର ପ୍ରଘଟ ଦର୍ଶାଇ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ଶିକ୍ଷକମାନେ ମର୍ମାହତ ହୋଇଛନ୍ତି। ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ।

ଦୁଇଟି ସିଟିଂରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା । ସକାଳ ୯ ଟାରୁ ସାଢ଼େ ୧୧ ଟା ପେପର ୧ ଓ ଦିନ ୨ ଟାରୁ ସାଢ଼େ ୪ ଟା ପେପର ୨ ପରୀକ୍ଷା ହୋଇଥାନ୍ତା। ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହୋଇଥାନ୍ତା। ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଦେଇଥାନ୍ତେ ଏହି ପରୀକ୍ଷା । ପେପର୍‌-୧ ଓ ପେପର୍‌-୨ ଦୁଇଟି ପେପରରେ ପରୀକ୍ଷା ହୋଇଥାନ୍ତା। କିନ୍ତୁ ଏପରି ଆଉ ହେଲା ନାହିଁ।

ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ କହିଛନ୍ତି, ଏତେ ସଂଖ୍ୟକ ଶିକ୍ଷକ ପରୀକ୍ଷା ଦେବାପାଇଁ ପ୍ରଶ୍ନପତ୍ର ଓ ପରୀକ୍ଷା ପରିଚାଳନା ଦାୟିତ୍ବ ମାଧ୍ୟମିକ ଶିକ୍ଷା ପରିଷଦକୁ ଦିଆଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳନା ତ୍ରୁଟି ଯୋଗୁଁ ଓଟିଇଟି ପରୀକ୍ଷା ହୋଇପାରି ନାହିଁ ଓ ଶିକ୍ଷା ବିଭାଗ ବଦନାମ ହେଉଛି ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଅଭିଯୋଗ କରିଛି।

ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ନଦେବା ପାଇଁ ରାତି ଅଧରେ ପରୀକ୍ଷା ବାତିଲ କରାଯାଇଛି ବୋଲି ଶିକ୍ଷକଙ୍କ ମନରେ ସନ୍ଦେହ ଉପୁଜିଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଶିକ୍ଷା ବିଭାଗର ଯେଉଁ ଅଧିକାରୀ/ କର୍ମଚାରୀ ସଂପୃକ୍ତ ଅଛନ୍ତି ଉପଯୁକ୍ତ ତଦନ୍ତ କରି ଖୁବ୍ ଶୀଘ୍ର ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଓ ଆଗାମୀ ଦିନରେ ଏହା ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସଂଘ ଦାବି କରିଛି। ୨୦୧୨ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ନ କରି ସେମାନଙ୍କୁ ତୁରନ୍ତ ପଦୋନ୍ନତି ଦେବାକୁ ସଂଘ ସଭାପତି ଓ ସାଧାରଣ ସମ୍ପାଦକ କହିଛନ୍ତି।

ଅନ୍ୟପଟେ OTET ପରୀକ୍ଷା ସ୍ଥଗିତ ନେଇ ଆଜି ବିଜେଡି ପ୍ରତିବାଦ କରିଛି। ବୋର୍ଡ ଅଫିସ୍‌ ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡି ଧାରଣା ଦେଇଛି। ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

Comments are closed.