ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବସୁଦେବାୟ। ଶ୍ରୀମଦ ଭାଗବତ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ଓ ଲୀଳା ବର୍ଣନାରେ ପୂର୍ଣ୍ଣ ଏହା ଆମମାନଙ୍କୁ ଜଣାଅଛି, କିନ୍ତୁ ସେହିଁ ଶ୍ରୀକୃଷ୍ଣଙ୍କ ପ୍ରକୃତ ସ୍ୱରୂପ କଣ ପ୍ରଥମେ ତାହା ହିଁ ଆଲୋଚନା କରିବା।
ସଂସ୍କୃତ ଭାଗବତର ଶ୍ଳୋକ କହେ
“ସ ବେଦ ଧାତୁଃ ପଦବୀଂ ପରସ୍ୟ, ଦୁରନ୍ତ ବୀର୍ଯ୍ୟସ୍ୟ ରଥାଙ୍ଗପଣେଃ।
ଯୋଅମାୟୟା ସନ୍ତତଯାନୁବୃତ୍ୟା, ଭଜେତ ତତ ପାଦ ସରୋଜଗନ୍ଧମ୍।।
ଅର୍ଥାତ ଯେଉଁ ବ୍ୟକ୍ତି ସଦା ସର୍ବଦା ଅତ୍ୟନ୍ତ ଶ୍ରଦ୍ଧା ଓ ପ୍ରେମ ସହକାରେ ଭଗବତ ଭକ୍ତିରେ ସାରାଜୀବନ ନିମଜ୍ଜି ରହିଥାଏ, ସେହି ବ୍ୟକ୍ତି କେବଳ ଚରାଚର ବ୍ରହ୍ମାଣ୍ଡର ସ୍ୱାମୀ ଅନନ୍ତ ବୀର୍ଯ୍ୟଶାଳୀ ଚକ୍ରଧାରି ବିଷ୍ଣୁଙ୍କ କର୍ମ ଓ ରହସ୍ୟ ବିଷୟରେ ଧାରଣା କରିପାରେ। ଆପଣ ମାନେ ସମସ୍ତେ ସେହି ଗୁଣର ଅଧିକାରୀ ସେଥିପାଇଁ ଏହି ଗୂଢ଼ରୁ ଗୁଢତମ ପ୍ରସଙ୍ଗ ମୁଁ ପ୍ରଥମେ ଆଲୋଚନା କରୁଛି।
ସୃଷ୍ଟିର ଆରମ୍ଭରେ ପରମେଶ୍ୱର ଶ୍ରୀ ବିଷ୍ଣୁ “ପୁରୁଷ” ଅବତାର ଗ୍ରହଣ କରିଥିଲେ। କୁହାଯାଏ ସୃଷ୍ଟି ରଚନା କରିବା ପାଇଁ ଭଗବାନଙ୍କ ଏହି ଅବତାର ହୋଇଥିଲା। ଯାହାର ବ୍ୟାଖ୍ୟା ବେଦର ପୁରୁଷ ସୂକ୍ତରେ ହୋଇଛି। ଏହି ପୁରୁଷ ଅବତାରଙ୍କ ଠାରୁ ସାରା ଜଗତ ସୃଷ୍ଟି ହେବା ସହିତ ଅନ୍ୟ ଅବତାର ମାନେ ମଧ୍ୟ ସୃଷ୍ଟି ହୋଇଛନ୍ତି। ତେଣୁ ସର୍ବ କାରଣର କାରଣ ଏହି ପୁରୁଷ ଅବତାର। ସେ ଇନ୍ଦ୍ରିୟ ଅଗୋଚର, ତାଙ୍କୁ ପ୍ରକୃତି, ମାୟା ଓ ଅବିଦ୍ୟା ସ୍ପର୍ଶ କରିପାରେନା, ତାଙ୍କ ବାସ ସ୍ଥାନଙ୍କୁ ଦିବ୍ୟଲୋକ କୁହାଯାଏ।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-106-how-is-srimad-bhagwat-the-essence-of-all-scriptures/
ସେହି ପରମାତ୍ମା ଉତ୍ପତି, ବିନାଶ, ବିକାର, ପରିବର୍ତ୍ତନ ଓ ନିରାନନ୍ଦ ରହିତ ଅଟନ୍ତି। ସେ କେବଳ ଆନନ୍ଦ ମୟ ଅଟନ୍ତି, ତାଙ୍କର ସେହି ପରମ ପ୍ରେମ ମୟ ସ୍ୱରୂପ ବର୍ଣନା କରିବା ପାଇଁ ମୁଁ ଭାଷା ପାଉନାହିଁ। ସେହି ପୁରୁଷ ପରମେଶ୍ୱର କିନ୍ତୁ ସର୍ବଦା ପ୍ରକୃତିଙ୍କ ପ୍ରତି ଆକୃଷ୍ଟ ଅଟନ୍ତି, କାରଣ ହେଉଛି ବିନା ପ୍ରକୃତିଙ୍କ ସହଯୋଗରେ ଏ ସୁନ୍ଦର ସୃଷ୍ଟି ରଚନା ଅସମ୍ଭବ। ଏହା ହିଁ ସୃଷ୍ଟିର ନିୟମ। ଅବଶ୍ୟ ସେ ପୁରୁଷ ଅବତାର ନିଜର ବିରାଟ ସ୍ୱରୂପ ଦିନେ ପ୍ରକାଶ କଲେ, ସହସ୍ର ଶୀର, ସହସ୍ର ବାହୁ, ଅସଂଖ୍ୟ ଚକ୍ଷୁ, ଅଗଣିତ ନାସା, କାନ, ମୁଖ, ଉଦର ସହିତ, ତାଙ୍କ ମୁଖ ଗହ୍ୱରରେ ବନ, ପାହାଡ଼, ନଦୀ ସାଗର, ମନ୍ୟୁଷ ଆଦି ସର୍ବ ପ୍ରାଣୀ କୀଟ ପତଙ୍ଗ ନାଗ ଯକ୍ଷ, କିନ୍ନ୍ନର, ଗନ୍ଧର୍ବ ଓ ଦେବତା ମାନେ ବିଦ୍ୟମାନ ଥିଲେ।
ଏହି ବିରାଟ ପୁରୁଷଙ୍କୁ ଦେଖି ପ୍ରକୃତି ଭୟଭୀତ ହେଲେ, ତାଙ୍କ ମନରେ ସୃଷ୍ଟି ରଚନାର ସମସ୍ତ କଳ୍ପନା। ଧୂଳିସାତ ହୋଇଗଲା ତେବେ ପୁନଶ୍ଚ କିପରି ସୃଷ୍ଟି ରଚନା ହେଲା ଓ ସେହି ସୃଷ୍ଟିରେ ଲୀଳା ରଚିବା ପାଇଁ ବିଭିନ୍ନ ଅବତାରଙ୍କ ଅବତରଣ ଘଟିଲା ତାହା ଆଲୋଚନା କରିବା ଆଗାମୀ ଅଧ୍ୟାୟରେ । ଏଵେ ସେହି ମହାନ ଗ୍ରନ୍ଥର ମନନ କରିବା ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ ଜାଣିବା ଏ ଜଗତ କଣ
ମିଥ୍ୟା ସଂସାର ବିଷ୍ଣୁ ମାୟା।
କେ ସତ୍ୟ କରିପାରେ ଏହା।।
କାଳ ର କ୍ରୀଡା ଏ ଜଗତ।
କାଳ କୁ କେବା ସମ ରଥ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.