ଶ୍ରୀ ଭାଗବତ ସାର ୧୦୮: ପରମ କାରୁଣିକ ବିରାଟ ପୁରୁଷଙ୍କ ଠାରୁ ହିଁ ଅବତାର ମାନ ସୃଷ୍ଟି ହୋଇ ପୁଣି ତାଙ୍କରି ଠାରେ ଲୀନ ହୁଅନ୍ତି
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଆଦି ପୁରୁଷ ଅବା ବିରାଟ ପୁରୁଷ ହିଁ ଭଗବାନଙ୍କ ଅବତାର ତତ୍ୱର ମୂଳ ରୁପ। ଆମେ କ୍ଷୀର ସାଗର ଶାୟିତ ଶ୍ରୀ ବିଷ୍ଣୁଙ୍କ ରୂପ କଳନା କଲେ ଜଣାଯାଏ ଅନନ୍ତ ନାଗ କୋଳରେ ଯୋଗନିଦ୍ରାରେ ଶାୟିତ ଶ୍ରୀ ବିଷ୍ଣୁ ନିଜ ନାଭି କମଳରୁ ଏକ ପଦ୍ମ ସୃଷ୍ଟି କଲେ, ସେହି ପଦ୍ମ ଉପରେ ଶତମୁଖ ବିଶିଷ୍ଟ ବ୍ରହ୍ମାଙ୍କ ଆବିର୍ଭାବ ଘଟିଲା ସେହି ବ୍ରହ୍ମା ଏକ ବ୍ରହ୍ମାଣ୍ଡ ସୃଷ୍ଟି କଲେ କିନ୍ତୁ ସେହି ବ୍ରହ୍ମାଣ୍ଡ ମଧ୍ୟ ନିମିଷକେ ବିରାଟ ପୁରୁଷଙ୍କ ଠାରେ ଲୀନ ହେଲା, କିନ୍ତୁ ପର ମୁହୂର୍ତ୍ତରେ ପୁନଃ ଏକ ବ୍ରହ୍ମା ଓ ବ୍ରହ୍ମାଣ୍ଡ ସୃଷ୍ଟି ହେଲା ଏହିପରି ସୃଷ୍ଟି ସର୍ଜନା ଓ ବିନାଶର ଧାରା ବଜାୟ ରହିଲା।
ବିରାଟ ପୁରୁଷ ଗାଢ଼ ଯୋଗନିଦ୍ରାରେ, ସୁଷୁପ୍ତିର ଚରମ ଅବସ୍ଥାକୁ ଅନୁଭବ କରୁଥିଲେ ପ୍ରକୃତି ସ୍ୱରୂପିଣୀ ମା ଯୋଗମାୟା ତାଙ୍କ ପାଦ ତଳେ ବସି ରହି ଚରଣ ସେବାରେ ନିମଗ୍ନ ହେଲେ। କିନ୍ତୁ ଅସଂଖ୍ୟ ବ୍ରହ୍ମାଣ୍ଡର ରଚନା ଅବାରିତ ଗତିରେ ଚାଲିଥାଏ। ଏପରି ପ୍ରତୀୟମାନ ହେଉଥାଏ ଯେ ସେହି ବିରାଟ ପୁରୁଷଙ୍କ ପ୍ରତ୍ୟେକ ଲୋମ କୂପରେ ମାଳ ମାଳ ବ୍ରହ୍ମାଣ୍ଡ ଲୁଚି ରହିଛନ୍ତି, ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ତେଣୁ ବର୍ଣନା କଲେ
ବ୍ରହ୍ମାଣ୍ଡ ମାଳ ମାଳ ହୋଇ।
ତୋ ଲୋମ କୂପେ ବିରାଜଈ।।
ସେହି ସବୁ ବ୍ରହ୍ମାଣ୍ଡର ପରିଚାଳନା ପାଇଁ ଅନେକ ଦେବାଦେବୀ, ଋଷି ମୁନି ମାନେ ମଧ୍ୟ ଉତ୍ପନ୍ନ ହେବାକୁ ଲାଗିଲେ। ଏହି ଉତ୍ପନ୍ନ ଓ ବିନାଶ ପ୍ରକ୍ରିୟା ଅନନ୍ତ କାଳରୁ ଚାଲି ଆସୁଛି ସମଗ୍ର ସୃଷ୍ଟିର ସତ୍ତାକୁ ଆବୋରି ରଖିଥିବାରୁ ଓ ଶରୀର ରୂପକ ଏକ ପୁରା ଧାରଣ କରିଥିବାରୁ ତାଙ୍କୁ ବାସ୍ତବରେ ବିରାଟ ପୁରୁଷ ବୋଲି ଆଖ୍ୟାୟିତ କାରାଯାଏ।
କେହି କେହି ଏହି ଅବ୍ୟକ୍ତ ପୁରୁଷଙ୍କୁ ଆଦି ଅବତାର ଭାବେ ଅଭିହିତ କରନ୍ତି କିନ୍ତୁ ଶାସ୍ତ୍ର କହେ ପରମ କାରୁଣିକ ଏହି ବିରାଟ ପୁରୁଷଙ୍କ ଠାରୁ ହିଁ ଅବତାର ମାନ ସୃଷ୍ଟି ହୋଇ ପୁଣି ତାଙ୍କରି ଠାରେ ଲୀନ ହୁଅନ୍ତି ତେଣୁ ସେ ଆଦି ଅବତାର ନୁହଁନ୍ତି ସେ ସ୍ୱୟଂ ଅବତାରୀ, ପରମପୁରୁଷ, ପରମାତ୍ମା, ବିଶ୍ୱବ୍ରହ୍ମାଣ୍ଡରେ ତାଙ୍କର ଶୋଭା ଅବର୍ଣ୍ଣନୀୟ ଓ ଅତୁଳନୀୟ। ଆମେ ସାଧାରଣ ଚକ୍ଷୁରେ ଏହାର କଳ୍ପନା କରିବା ଅସମ୍ଭବ, ତେଣୁ କେବକ ଅନୁମାନ କରିବା ସେହି ଅଗଣିତ ବିଶ୍ୱ ବ୍ରହ୍ମାଣ୍ଡର ସ୍ରଷ୍ଟା ବିରାଟ ପୁରୁଷଙ୍କୁ ଆଉ ପ୍ରଣାମ କରିବା ତାଙ୍କ ଚରଣ କମଳରେ।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-107-the-entire-universe-was-created-from-the-male-incarnation-of-god-shri-vishnu/
ନିଜର ଜ୍ଞାନ ଚକ୍ଷୁର ଉନ୍ମିଳନ କରି ଅନୁଭବ କରିବା ତାଙ୍କର ଏହି ଅବତାର ଗ୍ରହଣ ପ୍ରକ୍ରିୟାକୁ ଯାହା କେବଳ ଜଗତ କଲ୍ୟାଣ ପାଇଁ ସଂଘଟିତ ହୋଇଥାଏ। ଅପୂର୍ଵ ସେ ଧାରା ବିଜ୍ଞାନ ମଧ୍ୟ ଏହି ସୃଷ୍ଟି ପ୍ରକ୍ରିୟା ଆଗରେ ମଥାନତ କରେ ଅବୋଧ ଭାଷାରେ ତେଣୁ ଗାଇବା
“ଅଜ ଅନାଦି ଅବ୍ୟକ୍ତ ପ୍ରଭୁ,
ଅମିତ ଜ୍ଞାନ ବିଜ୍ଞାନ ହୈଂ।
ନାରାୟଣ ଅବ୍ୟକ୍ତ ବିଭୁ,
ୱେ ବିରାଟ ଭଗବାନ ହୈଂ।।
ସେହି ଅନାଦି ଅବ୍ୟକ୍ତ ପୁରୁଷଙ୍କୁ ପ୍ରଣିପାତ କରି ତାଙ୍କର ଲୀଳା ବର୍ଣନା କରୁଥିବା ଶ୍ରୀମଦ ଭାଗବତଙ୍କୁ କରିବା ନମନ ଓ ମନନ, ଯଥା
ବ୍ରହ୍ମଣ୍ଡ ଚତୁଦ୍ଧର୍ଶ ପୁର।
ପ୍ରମାଣ ଯାହାର ଶରୀର।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.