Latest Odisha News

BREAKING NEWS

ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଲାଗି ସରକାରଙ୍କ ଅଭିନବ ପ୍ରୟାସ; ଆରମ୍ଭ ହେଲା ଏସକର୍ଟ୍ସ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶା ସରକାର ୫-ଟି ଯୋଜନାକୁ ଶାସନ ପଦ୍ଧତିରେ ଉପଯୋଗ କରିବା ପରଠାରୁ ବିଭିନ୍ନ ବିଭାଗରେ ଉନ୍ନତ ଜ୍ଞାନ କୌଶଳ ଉପଯୋଗ କରିଛନ୍ତି । ଏପରିକି ସ୍ୱସ୍ଥ୍ୟ ବିଭାଗ ଏବଂ ଶିକ୍ଷାର ବିକାଶ ଲାଗି ଏହି ବିଭାଗରେ ମଧ୍ୟ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ରାଜ୍ୟର ଉପାନ୍ତ ଅଞ୍ଚଳ ତଥା ଘଞ୍ଚ ଜଙ୍ଗଲ ଏବଂ ବିପଦପୂର୍ଣ୍ଣ ପଥ ଦେଇ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ଲାଗି ଆରମ୍ଭ ହେଲା ଏସ୍କୋର୍ଟ ବ୍ୟବସ୍ଥା । ରାଜ୍ୟରେ ଏହି ବ୍ୟବସ୍ଥା ପ୍ରଥମଥର ଲାଗି ଆରମ୍ଭ ହେଲା ।

ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ କିଛି ନିର୍ଦ୍ଧିଷ୍ଟ ଜିଲ୍ଲାରେ ମୋଟ୍ ୪୦୩୧ଜଣ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ସେଥିରୁ ଖୋର୍ଦ୍ଧା ଜିଲ୍ଲାରେ ୨୦୦ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଡିପିଓ (ଜିଲ୍ଲା ପ୍ରକଳ୍ପ ସଂଯୋଜକ) ଅମିତା ପଟ୍ଟନାୟକ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ନମ୍ବର ୫୬୫୨/୧୯ ମାଧ୍ୟମରେ ଅବଗତ କରିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ୪୫ ଜଣ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୫ଜଣ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ଯୋଗାଇବାକୁ ବ୍ୟବସ୍ଥା ହୋଇଛି ।

ମୋଟ ଉପରେ ଏମାନଙ୍କ ମଧ୍ୟରୁ ୧୦୮ଜଣ ଛାତ୍ର ଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୯୨ରହିଛି । ସେହିପରି ଏମାନଙ୍କ ମଧ୍ୟରୁ ୮୬ଜଣ ପିଲା ଏସ୍ସି ବର୍ଗର ଥିବା ବେଳେ ୪୨ଜଣ ଏସ୍ଟି, ୨୭ଜଣ ମୁସ୍ଲିମ୍ ବର୍ଗର ଏବଂ ୪୫ଜଣ ଅନାନ୍ୟ ବର୍ଗର ଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ ଏହି ବ୍ୟବସ୍ଥା ରାଜ୍ୟର ସବୁ ଜିଲ୍ଲାରେ ଖୁବଶୀଘ୍ର ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ବ୍ଲୁ-ପ୍ରିଣ୍ଟସ୍ ପ୍ରସ୍ତୁତ କରାଯାଇଛି ।

ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ପ୍ରାଥମିକ ସ୍କୁଲ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ସର୍ବାଧିକ ୧କିମି ମଧ୍ୟରେ ରହିଛି । ମାତ୍ର ରାଜ୍ୟର କିଛି ଉପାନ୍ତ ଅଞ୍ଚଳ ରହିଛି ଯେଉଁଠି ପ୍ରାୟ ୪/୫କିମି ବ୍ୟବଧାନରେ ସ୍କୁଲ ରହିଛି । ସମ୍ପୃକ୍ତ ସ୍କୁଲକୁ ଛାତ୍ରଛାତ୍ରୀମାନେ ଦୂରଦୂରାନ୍ତରରୁ ପଢ଼ିବାକୁ ଯାଇଥାନ୍ତି । ଏପରିକି ଘରଠାରୁ ଦୂରରେ ଥିବା ସ୍କୁଲକୁ ପିଲାମାନେ ଅନେକ ଜଙ୍ଗଲ, ନଦୀ ତଥା ନିଛାଟିଆ ରାସ୍ତାରେ ଯା’ଆସ କରିବାକୁ ପଡ଼ିଥାଏ । ଅନେକ ସମୟରେ ଏପରି ସମସ୍ୟା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ ବିପଦ ଜନକ ପରିସ୍ଥିିର ସମ୍ମୁଖୀନ ହୋଇଥାନ୍ତି । ବିଶେଷକରି ଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ପୂର୍ବରୁ ଦୂରଦୂରାନ୍ତରରେ ଥିବା ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାର ଗମନାଗମନ ଖର୍ଚ୍ଚ ପ୍ରଦାନ କରୁଛନ୍ତି । ମାତ୍ର ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠି ଗମନାଗମନ ଲାଗି କୌଣସି ବ୍ୟବସ୍ଥା ନାହିଁ । ପିଲାମାନେ ବହୁ ଦୂର ଚାଲିଚାଲି ସ୍କୁଲ ଯାଉଛନ୍ତି । ତେଣୁ ଏପରି ସମସ୍ୟାର ସମାଧାନ ଲାଗି ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ଲାଗି ଏକ୍ସକର୍ଟ ବ୍ୟବସ୍ଥା ଆରମ୍ଭ ହୋଇଛି ।

ତେବେ ଉଭୟ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ଛାତ୍ରଛାତ୍ରୀ ଆଉ ଏକୁଟିଆ ସ୍କୁଲ ଯିବେନି । ସେମାନଙ୍କ ସହିତ ଜଣେ ବୟସ୍କ ବ୍ୟକ୍ତି ଯିବେ । ତେବେ ବିଭିନ୍ନ ଗ୍ରାମରେ ଥିବା ବିଧବା ମହିଳା ବା ବୃଦ୍ଧାଙ୍କୁୁ ଏନେଇ ସାମିଲ କରାଯିବ । ଏନେଇ ସମ୍ପୃକ୍ତ ଏକ୍ସକର୍ଟଙ୍କୁ ମଧ୍ୟ ବେତନ ପ୍ରଦାନ କରାଯିବ । ମାସିକ ସର୍ବନିମ୍ନ ଅଢ଼େଇ ହଜାର ଟଙ୍କା ପ୍ରଦାନ କରାଯିବ । ଏହାବ୍ୟତୀତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ପ୍ରଦାନ କରାଯିବ । ଏହି ଏସକର୍ଟମାନେ ପିଲାଙ୍କୁ ନେଇ ସ୍କୁଲକୁ ଯିବେ ଏବଂ ସ୍କୁଲ ଛୁଟି ହେବା ପରେ ଘରକୁ ସୁରକ୍ଷିତ ଭାବେ ଆଣିବା ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ଏସକଟଙ୍କୁ ମଧ୍ୟାହ୍ଣରେ ଖାଇବା ଲାଗି ସମ୍ପୃକ୍ତ ସ୍କୁଲରେ ମଧ୍ୟାହ୍ଣ ଭୋଜନ ମଧ୍ୟ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

ସ୍କୁଲ ଓ ଗଣଶିକ୍ଷା ବିଭାଗର ବର୍ତ୍ତମାନର ରିପୋର୍ଟ ଅନୁଯାୟୀ, ରାଜ୍ୟର ବିଭିନ୍ନ ଉପାନ୍ତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ୪୦୩୧ଜଣ ପିଲାଙ୍କୁ ଏହି ବ୍ୟବସ୍ଥାରେ ସାମିଲ କରାଯାଇଛି । ଯେଉଁଥିରେ ୨୧୨୧ ଛାତ୍ର ଥିବା ବେଳେ ୧୯୧୦ଜଣ ଛାତ୍ରୀ ରହିଛନ୍ତି । ସେହିପରି ୮୯୯ ଜଣ ଏସ୍ସି ବର୍ଗର ପିଲା ହୋଇଥିବା ବେଳେ ୨୦୨୧ଜଣ ଏସ୍ଟି, ୧୨ଜଣ ମୁସଲିମ୍ ଧର୍ମର ହୋଇଥିବା ବେଳେ ୧୦୯୯ଜଣ ଅନାନ୍ୟ ବର୍ଗର ଥିବା ଜଣାପଡ଼ିଛି । ଏଥିପାଇଁ ମଧ୍ୟ ୩୫୦ଏସ୍କର୍ଟ ନିଯୁକ୍ତ ହୋଇଥିବା ବେଳେ ଖୁବଶୀଘ୍ର ଅଧିକ ସଂଖ୍ୟକ ଏସକର୍ଟ ନିଯୁକ୍ତ ହେବେ ବୋଲି ନିଷ୍ପତ୍ତି ହୋଇଛି ।

ଏସ୍କର୍ଟ ମାନେ ପିଲାଙ୍କୁ ଆଣି ସ୍କୁଲରେ ଛାଡିବା ପରେ କେତେ ପିଲାଙ୍କୁ ଆଣି ଆସିଥିଲେ ତାହାର ଏକ ରିପୋର୍ଟ ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରିବେ । ପ୍ରତିଗ୍ରାମରେ ମଧ୍ୟ ଏକ କମିଟି ଗଠନ କରାଯାଇଛି । ସମ୍ପୃକ୍ତ କମିଟିକୁ ସରପଞ୍ଚ ଚୟନ କରିଥିବା ବେଳେ ଦୈନିକ କେତେ ଛାତ୍ରଛାତ୍ରୀ ଏସ୍କର୍ଟଙ୍କ ସହିତ ସ୍କୁଲ ଯିବେ ତାହାର ତାଲିକା ପ୍ରସ୍ତୁତ କରାଯିବ । ୧କିମି ଦୂରତାରେ ଥିବା ସ୍କୁଲ ପାଇଁ ଜଣେ ଲେଖାଏଁ ଏବଂ ଅଢ଼େଇ କିମିରୁ ଅଧିକ ଦୂରରେ ଥିବା ସ୍କୁଲ ପାଇଁ ୨ଜଣ ଲେଖାଏଁ ଏସକର୍ଟ ପିଲାଙ୍କ ସହିତ ଯିବେ । ନଦୀ କିମ୍ବା ବିପଦପୂର୍ଣ ସ୍ଥାନରେ ପିଲାଙ୍କର ରାସ୍ତା ପାର କରିବା ଲାଗି ମଧ୍ୟ ପୁରୁଷ ଏସକର୍ଟଙ୍କୁ ସାମିଲ କରାଯାଇଛି ।

ଏହି ବ୍ୟବସ୍ଥାର ଯାଞ୍ଚ କରିବା ଲାଗି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରତି ୧୫ଦିନର ରିପୋର୍ଟ ସରପଞ୍ଚ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ । ପରେ ମାସକର ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ପ୍ରତିଦିନ ପିଲାମାନେ ସ୍କୁଲ ଯିବା ସହ ସେମାନଙ୍କର ସୁରକ୍ଷା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.