ଭୁବନେଶ୍ବର: ଧରାପଡିଲେ ନକଲି ଚାଷୀ । ବର୍ଷ ବର୍ଷ ଧରି ରାଜସ୍ବ ଲୁଟ୍ କରି ଚାଲିଥିବା ଏହି ଚାଷୀ ମାନଙ୍କର ପର୍ଦ୍ଦାଫାସ ହୋଇଛି । ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହିଁ । ହେଲେ ଏମାନେ ମାଲାମାଲ ହେଇଛନ୍ତି ବୋଲି ଆଜି ଏଭଳି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ନକଲି ଚାଷୀମାନେ ରାଜସ୍ବ ଲୁଟ୍ କରିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ପୂର୍ବ ସରକାର ସମୟରୁ ଏହି ନକଲି ଚାଷୀମାନେ ଏଭଳି କାମ କରି ଆସୁଥିଲେ ଏବଂ ରାଜସ୍ୱ ଲୁଟ କରୁଥିଲେ । ଯେଉଁମାନେ ସବୁ ଧରା ପଡିଛନ୍ତି ସେମାନେ ସବୁ ବିଜେଡି ସମର୍ଥିତ ଲୋକ ବୋଲି ମନ୍ତ୍ରୀ କହିଛନ୍ତି ।
ପୂର୍ବ ସରକାରରେ ଚାଷୀଙ୍କ ନାଁରେ ମିଛ ପଞ୍ଜିକରଣ କରି ଜାଲିଆତି କରାଯାଉଥିଲା । ଧାନ କରିଥିବା ଲୋକ ଟୋକନ ପାଉ ନଥିବାବେଳେ, ଧାନ କରି ନଥିବା ଲୋକ ଟୋକନ ପାଉଛି ବୋଲି ଅଭିଯୋଗ ହୋଇଥିଲା । ଆଉ ଏହି ଘଟଣାର ସତ୍ୟା ସତ୍ୟ ଜାଣିବାକୁ ବିଭାଗ ପକ୍ଷରୁ ତଦନ୍ତ ହୋଇଥିଲା । ଯାଞ୍ଚ ପରେ ଜଣାପଡିଲା ଯେ, ଏଭଳି କିଛି ନକଲି ଚାଷୀ ପଞ୍ଜିକରଣ କରି ଧାନ ବିକ୍ରି କରିଥିଲେ ।
ତଦନ୍ତ ପରେ ୧ ଲକ୍ଷ ୮୧ ହଜାର ନକଲି ଚାଷୀ ଧରାପଡିଛନ୍ତି । ଆଗକୁ ମଧ୍ୟ ଏହି ତଦନ୍ତ ଜାରି ରହିବ । ଏବେ ଧରାପଡ଼ିଥିବା ନକଲି ଚାଷୀଙ୍କୁ କାରଣ ଦର୍ଶଆ ନୋଟିସ ପଠାଯାଇଛି । କେଉଁ କାରଣରୁ ସେମାନେ ଏମିତି କରିଛନ୍ତି ତାର ତଥ୍ୟା ସାମ୍ନାକୁ ଆସିବା ପରେ ସେନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
Comments are closed.