ନୂଆଦିଲ୍ଲୀ: ଚୀନର ଇ-କମର୍ସ ୱେବସାଇଟ୍ ଆଲି ଏକ୍ସପ୍ରେସରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଥିବା ଡୋରମାଟ୍ ବିକ୍ରି ହେଉଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଥିଲା।
ତେବେ ଏହାକୁ ନେଇ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିନ୍ଦା କରିବା ସହ ୱେବ୍ ସାଇଟକୁ କ୍ଷମା ମାଗିବା ପାଇଁ କହିଥିଲେ। ମହାପ୍ରଭୁ ଜଗନ୍ନାଥ ପ୍ରତି ଓଡ଼ିଆଙ୍କ ଆତ୍ମା ବୋଲି କହିଥିଲେ। କଂଗ୍ରେସ ବିଧାୟକ ଫିରଦୌସ୍ ମଧ୍ୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଆଲି ଏକ୍ସପ୍ରେସର ଏପରି କାର୍ଯ୍ୟ ଗ୍ରହଣୀୟ ନୁହେଁ ଓ ଏହା କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ପ୍ରଭାବିତ କରିବା ସହ ଏଥିପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ସାର୍ବଜନୀନ କ୍ଷମା ପ୍ରାର୍ଥନା ମଧ୍ୟ କରାଯିବା ଉଚିତ।
ଏହାକୁ ନେଇ ପ୍ରସିଦ୍ଧ ବାଲୁକା ଶିଳ୍ପୀ ଏବଂ ପଦ୍ମଶ୍ରୀ ପୁରସ୍କାର ବିଜେତା ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱର ସମସ୍ତ ଭକ୍ତଙ୍କୁ ଏହିପରି ଘୃଣ୍ୟ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉଠାଇବାକୁ ଅନୁରୋଧ କରୁଛୁ।ଏହା ଯେପରି ଆଗକୁ ଆଉ ପୁନରାବୃତ୍ତି ନ ହୁଏ ଏଥିପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍। ପୂର୍ବତନ ସାଂସଦ ଏବଂ ବିଜୁ ଜନତା ଦଳ ନେତା ଅମର ପଟ୍ଟନାୟକ ମଧ୍ୟ ଏହିପରି କାର୍ଯ୍ୟର କଡା ନିନ୍ଦା କରି କହିଛନ୍ତି ଯେ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ଏପରି ସାମଗ୍ରୀ ଭାବରେ ବ୍ୟବହାର କରାଯିବା ଅତ୍ୟନ୍ତ ଅଶୋଭନୀୟ। ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ମଧ୍ୟ ସେ କହିଛନ୍ତି।
ତେବେ ଅଲି ଏକ୍ସପ୍ରେସ ରିପୋର୍ଟକୁ ସମୀକ୍ଷା କରି ଡୋରମାଟକୁ ହଟାଇ ଦେଇଥିବା ସୂଚନା ମିଳିଛି।
Comments are closed.