Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୨୦: ଦ୍ୱାପର ଯୁଗରେ ପରାଶର ମହର୍ଷିଙ୍କ ତେଜ ଓ ସତ୍ୟବତୀଙ୍କ ଗର୍ଭ ଆଧାର କରି ବିଷ୍ଣୁ ଅଂଶୀ ବ୍ୟାସଦେବ ଧରାବତରଣ କଲେ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ସମସ୍ତ କାହାଣୀ ଭିତରେ ଏକ ଅନ୍ତର୍ନିହିତ ତତ୍ୱ ରହିଥାଏ। ଆଜି ଜାଣିବା ମହର୍ଷି ପରାଶର ଓ ସତ୍ୟବତୀଙ୍କ କାହାଣୀର ତତ୍ୱ କଣ। ଜଣେ ଜ୍ଞାନୀ ତେଜସ୍ୱୀ ଓ ତପନିଷ୍ଠ ତପସ୍ବୀଙ୍କ ଆଗମନ ଦେଖି ଧୀବର ଅତ୍ୟନ୍ତ ପ୍ରୀତ ହେଲେ, ଯଥା ରୀତି ତାଙ୍କର ପାଦ ପୂଜା କରି ସ୍ୱାଗତ ଜଣାଇଲେ ଓ ଆଗମନର ଉଦ୍ୟେଶ ପଚାରିଲେ ମହର୍ଷି ପରାଶର ସଙ୍ଗେ ସଙ୍ଗେ ତାଙ୍କୁ ଯମୁନା ନଦୀ ପାର କରାଇ ଅପରପାର୍ଶ୍ଵରେ ପହଞ୍ଚାଇ ଦେବାକୁ ଅନୁରୋଧ କଲେ।

ଅତି ବିନୟ ଭାବରେ ଧୀବର ସେ ସଦ୍ୟ ନଦୀ ଗର୍ଭରୁ ଫେରିଥିବାରୁ ନିଜର ଅକ୍ଷମତା ପ୍ରକାଶ କଲେ ଓ ମହର୍ଷିଙ୍କୁ ଆଜି ରାତିଟି ତାଙ୍କରି କୁଡ଼ିଆରେ ରହି କାଲି ପ୍ରତ୍ୟୁଷରୁ ଅପର ପାର୍ଶ୍ଵକୁ ଯିବାକୁ ଅନୁରୋଧ ଜଣାଇଲେ। କିନ୍ତୁ ମହର୍ଷିଙ୍କ ଏକା ଜିଦ ସେ ସେହି ମୁହୂର୍ତ୍ତରେ ନଦୀ ପାର ହେବେ। ଧୀବର ସେକାଳର ମହର୍ଷି ମାନଙ୍କ କ୍ରୋଧ କଥା ଜାଣିଛନ୍ତି ତେଣୁ ଆଉ ଯୁକ୍ତି ନକରି କନ୍ୟା ସତ୍ୟବତୀଙ୍କୁ ଡଙ୍ଗାରେ ନଦୀ ପାର କରାଇବାକୁ କହିଲେ, ତାହାହିଁ ଈଶ୍ୱରଙ୍କ ଇଚ୍ଛା ତେଣୁ ସତ୍ୟବତୀ କାଳ ବିଳମ୍ବ ନକରି ମହର୍ଷି ପରାଶରଙ୍କୁ ନେଇ ନଦୀର ଅପର ପାର୍ଶ୍ଵକୁ ଡ଼ଙ୍ଗା ଚାଳନ କଲେ ସନ୍ଧ୍ୟା ଆଗତ ପ୍ରାୟ ତେଣୁ ସତ୍ୟବତୀ ନିଜର ସମସ୍ତ ବଳ ଖଟାଇ ନୌକା ଚାଳନା କରୁଥାନ୍ତି ପରିଶ୍ରମ ଯୋଗୁ ମୁଖ ମଣ୍ଡଳ ରକ୍ତିମ ଦେଖା ଯାଉଥାଏ, ପୁଣି ସେଥିରେ ସ୍ବେଦ ବିନ୍ଦୁ, ମହର୍ଷି ଅସ୍ତଗାମୀ ସୂର୍ଯ୍ୟଙ୍କ ରକ୍ତିମ କିରଣରେ ସତ୍ୟବତୀଙ୍କ ଏହି ଶୋଭା ଅବଲୋକନ କରୁଥାନ୍ତି ।

ମନରେ ତାଙ୍କର ଏକ ଅପୂର୍ବ ଇଚ୍ଛା ପ୍ରକଟିତ ହେଲା, ପରମେଶ୍ୱରଙ୍କ ଇଚ୍ଛା ପୂର୍ତ୍ତିର କାମନା ଜାଗିଲା ସେ ସତ୍ୟବତୀଙ୍କୁ କହିଲେ ତୁମେ ଜଗତବନ୍ଦ୍ୟା ହେବ କାରଣ ତୁମେ ସାଧାରଣ କନ୍ୟା ନୁହେଁ ଏହି ମୁହୂର୍ତ୍ତରେ ମୁଁ ତୁମକୁ ମୋର ଯୋଗ ଶକ୍ତି ପ୍ରଭାଵରେ ଜଣେ ତେଜସ୍ୱୀ ଓ ଜ୍ଞାନୀ ପୁତ୍ର ପ୍ରଦାନ କରିବି। ସତ୍ୟବତୀ ଥରି ଉଠିଲେ କୁମାରୀ ବୟସରେ ପୁଣି ମାତୃତ୍ୱ ନା ଏହା ଅସମ୍ଭବ, ଲୋକ ଅପବାଦକୁ ଡରି ସେ ମହର୍ଷିଙ୍କୁ ଏପରି ନକରିବାକୁ ଅନୁରୋଧ କଲେ ମହର୍ଷି କିନ୍ତୁ ଗମ୍ଭୀର ସ୍ୱରରେ କହିଲେ ଏହା ଈଶ୍ୱରଙ୍କ ଇଚ୍ଛା ସେ ନିଜର ଅଂଶାବତାରଙ୍କୁ ପୃଥିବୀକୁ ପଠାଇବାକୁ ଚାହାଁନ୍ତି, ଏଥିପାଇଁ ସେ ତୁମକୁ ଆଧାର ରୂପେ ଚୟନ କରିଛନ୍ତି। ଏପରି କଥୋପକଥନ ମଧ୍ୟରେ ନୌକାଟି ନଦୀ ସ୍ରୋତରେ ଭାସି ଭାସି ଏକ ଟାପୁରେ ଲାଗିଲା।

ମହର୍ଷି ପରାଶର ସତ୍ୟବତୀଙ୍କର ଗର୍ଭଧାନ ସଂସ୍କାର କରିଲେ ଓ କହିଲେ ତୁମର କୁମାରୀତ୍ୱରେ କୌଣସି ଆଞ୍ଚ ଆସିବ ନାହିଁ କିନ୍ତୁ ମୋର ତପ ବଳ ଓ ଈଶ୍ୱରଙ୍କ ଇଚ୍ଛାରେ ତୁମେ ଏହି କ୍ଷଣରେ ମାତୃତ୍ୱ ଲାଭ କରିବ। ତାହାହିଁ ଘଟିଲା। ଈଶ୍ୱର ଇଚ୍ଛା ଓ ମହର୍ଷି ପରାଶରଙ୍କ ତପ ବଳରେ ପ୍ରକଟ ହେଲେ ବ୍ୟାସଦେବ ସ୍ବର୍ଗରୁ ପୁଷ୍ପ ବୃଷ୍ଟି ହେଲା, ଆକାଶରୁ ଦୁନ୍ଦୁଭି ନାଦ ଶୁଭିଲା ବ୍ୟସଦେବଙ୍କ ଶରୀର ତୁଳସୀ ଦଳ ପରି କୃଷ୍ଣ ବର୍ଣ ଥିଲା। ମହର୍ଷି ପରାଶର ଆଶୀଷ ଦେଇ କହିଲେ ବର୍ଣ କୃଷ୍ଣ ଓ ଦ୍ବୀପରେ ଜନ୍ମ ତେଣୁ ନାମ କୃଷ୍ଣ ଦ୍ଵେପାୟନ। ପୁଣି ମହର୍ଷି କହିଲେ ଏପୁତ୍ର ଅଖଣ୍ଡ କ୍ଷମତା ଓ ଜ୍ଞାନର ଅଧିକାରୀ ହେବ ବେଦ ଯାହା ଅତ୍ୟନ୍ତ କଷ୍ଟ ବିଦ୍ୟା ତାହାକୁ ଆୟତ କରି ସରଳ ଭାବରେ ଲୋକ କଲ୍ୟାଣ ପାଇଁ ପୃଥିବୀକୁ ଦାନ କରିବ ତେଣୁ ୟାର ପୁରା ନାମ କୃଷ୍ଣଦ୍ଵେପାୟନ ବ୍ୟାସ ଭାବରେ ଜଗତ ଜାଣିବ। ବ୍ୟାସଦେବଙ୍କ ଆବିର୍ଭାବ ମାତ୍ରେ ସେ ପରାଶର ମହର୍ଷିଙ୍କୁ ନମସ୍କାର କଲେ ଓ ନିଜ ମା ସତ୍ୟବତୀଙ୍କ ପାଖକୁ ଯାଇ ହାତଯୋଡି ତପସ୍ୟା କରିବା ପାଇଁ ଅନୁମତି ଭିକ୍ଷା କଲେ।

ସତ୍ୟବତୀ କିଛି ବୁଝିବା ଆଗରୁ ସବୁ କିଛି ଘଟିଗଲା, ତଥାପି ଏପରି ତେଜସ୍ୱୀ ପୁତ୍ରକୁ ଦେଖି ସେ ଆତ୍ମହରା ହେଲେ ଓ ନିବେଦନ କଲେ ସେ ସ୍ମରଣ କରିବା ମାତ୍ରେ ତାଙ୍କ ନିକଟରେ ଉପସ୍ଥିତ ହେବାକୁ ମହର୍ଷି ପରାଶରଙ୍କୁ ମଧ୍ୟ ସତ୍ୟବତୀ ପୂଜା କଲେ। ମତ୍ସ୍ୟ ଗର୍ଭରୁ ଜନ୍ମ ନେଇ ଥିବାରୁ ତାଙ୍କ ଶରୀର ମତ୍ସ୍ୟ ଗନ୍ଧରେ ପୂର୍ଣ୍ଣ ଥିଲା ପରାଶର ମହର୍ଷି ତାଙ୍କୁ ମତ୍ସ୍ୟଗନ୍ଧାରୁ ଯୋଜନଗନ୍ଧାରେ ରୂପାନ୍ତରିତ କଲେ ତାଙ୍କ ଦେହରୁ ବାହାରିଲା ପଦ୍ମ ଗନ୍ଧ ଓ ଯୋଜନ ଯୋଜନ ମହକିତ କଲା, ଉଭୟ ପରାଶର ମହର୍ଷି ଓ ପୁତ୍ର ବ୍ୟାସଦେବଙ୍କୁ ଯମୁନା ପାର କରାଇ ସତ୍ୟବତୀ ନୂଆ ନାମ ଓ ଶରୀର ନେଇ ଫେରିଲେ।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-119-nothing-happens-without-the-will-of-god/

ବ୍ୟସଦେବ ପରାଶରଙ୍କ ଆଜ୍ଞା ନେଇ ଗନ୍ଧମାର୍ଦନ ପାର୍ବତରେ ଅବସ୍ଥିତ ସ୍ୟାମପ୍ରାସ ନାମକ ସ୍ଥାନରେ ତପସ୍ୟା କଲେ ସଂସ୍କୃତ ଭାଗବତ ସେଥିପାଈଁ ବ୍ୟକ୍ତ କରି କହିଲେ
“ଦ୍ୱାପରେ ସମନପ୍ରାପ୍ତେ ତୃତୀୟ ଯୁଗ ପର୍ଯୟେ,
ଜାତ ପରାଶରାଦ ଯୋଗୀ ବାସବ୍ୟାଂ କଳୟା ହରେଃ”

ଅର୍ଥାତ ତୃତୀୟ ଯୁଗ (ଦ୍ୱାପର ଯୁଗରେ ) ପରାଶର ମହର୍ଷିଙ୍କ ତେଜ ଓ ସତ୍ୟବତୀଙ୍କ ଗର୍ଭ ଆଧାର କରି ବିଷ୍ଣୁ ଅଂଶୀ ବ୍ୟାସଦେବ ଧରାବତରଣ କଲେ।

ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.