Latest Odisha News

BREAKING NEWS

‘ଆଞ୍ଚଳିକ ଉପନ୍ୟାସ ପ୍ରତି ଗଣେଶ୍ବର ମିଶ୍ରଙ୍କ ଅବଦାନ ଅନନ୍ୟ’

ଭୁବନେଶ୍ବର: ଶନିବାର ସଂଧ୍ୟାରେ ଭୁବନେଶ୍ବର ବୁଦ୍ଧ ମନ୍ଦିର ପରିସରରେ ପ୍ରଫେସର ଗଣେଶ୍ଵର ମିଶ୍ରଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସାମାଜିକ ତଥା ସାଂସ୍କୃତିକ ପ୍ରତିଷ୍ଠାନ ‘ସତୀର୍ଥ’ ପକ୍ଷରୁ ଆୟୋଜିତ ଏହି ସ୍ମୃତିସଭାରେ ପ୍ରଫେସର ଶ୍ରୀ ଗଣେଶ୍ବର ମିଶ୍ରଙ୍କ ସାହିତ୍ୟ ଓ ସୃଜନ ସମଗ୍ର ଉପରେ ବହୁ ବକ୍ତା ଆଲୋକପାତ କରିଥିଲେ ।

ସାହିତ୍ୟିକ ତଥା ସମାଲୋଚକ ପ୍ରଫେସର ବସନ୍ତ କୁମାର ପଣ୍ଡା କହିଥିଲେ ଯେ, ପ୍ରଫେସର ଗଣେଶ୍ବର ମିଶ୍ରଙ୍କ ସୃଜନ ସମଗ୍ର ଭାରତର ପୂର୍ବାଞ୍ଚଳର ଆଞ୍ଚଳିକ ଉପନ୍ୟାସ କ୍ଷେତ୍ରରେ ଏକ ସ୍ବତନ୍ତ୍ର ତଥା ଅନନ୍ୟ ସ୍ଥାନ ସୃଷ୍ଟି କରିପାରିଥିଲା । ଓଡ଼ିଆ ସାହିତ୍ୟରେ ଔପନ୍ୟାସିକ ଗଣେଶ୍ବର ମିଶ୍ରଙ୍କ ଉପନ୍ୟାସ ସାମୁଦ୍ରିକ (୧୯୬୪), ବଙ୍ଗଳାର ସାହିତ୍ୟର ଔପନ୍ୟାସିକ ତାରାଶଙ୍କର ବନ୍ଦୋପାଧ୍ୟାୟଙ୍କ ଉପନ୍ୟାସ ହଂସୁଲି ବାଙ୍କେର୍ ଉପକଥା (୧୯୪୭) ଏବଂ ହିନ୍ଦୀ ସାହିତ୍ୟର ଔପନ୍ୟାସିକ ଫନିଶ୍ବର ନାଥ ରେଣୁଙ୍କର ଉପନ୍ୟାସ ମଇଲା ଅଞ୍ଚଳ (୧୯୫୪) ଏହି ତିନୋଟି ଉପନ୍ୟାସର ଲେଖା ଶୈଳୀ କିଭଳି ଆଞ୍ଚଳିକ ଉପନ୍ୟାସକୁ ରୁଦ୍ଧିମନ୍ତ କରିଛି ସେ ସମ୍ପର୍କରେ ସବିଶେଷ ଆଲୋକପାତ କରିଥିଲେ ପ୍ରଫେସର ବସନ୍ତ କୁମାର ପଣ୍ଡା । ପୁରୀର ନୋଳିଆମାନଙ୍କୁ ନେଇ ଲିଖିତ ଏକମାତ୍ର ଉପନ୍ୟାସ ‘ସାମୁଦ୍ରିକ’ର ଅନନ୍ୟ ବିଭବ ଉପରେ ପ୍ରଫେସର୍ ପଣ୍ଡା ନିଜର ମତ ଉପସ୍ଥାପନ କରିଥିଲେ ।

ଏହି ସ୍ମୃତିସଭାରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସ୍ବନାମଧନ୍ଯ ସାହିତ୍ୟିକ ଦାସ ବେନହୁର୍ କହିଥିଲେ ଯେ, ଫ୍ରଫେସର୍ ଗଣେଶ୍ବର ମିଶ୍ର କେବଳ ଔପନ୍ୟାସିକ ଏବଂ କ୍ଷୁଦ୍ର ଗଳ୍ପ ଲେଖକ ନଥିଲେ; ସେ ଥିଲେ ଜଣେ ବିଶିଷ୍ଟ ପ୍ରାବନ୍ଧିକ । ଯାହା ଥିଲା ତାଙ୍କ ବ୍ୟକ୍ତିତ୍ବର ଏକ ବିରଳ ଦିଗ ।

ସେହିପରି ଜଣାଶୁଣା ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂ ଗଣେଶ୍ବର ମିଶ୍ରଙ୍କ ଜୀବନ ଓ ସୃଜନ ସୃଷ୍ଟି ଉପରେ ଆଲୋକପାତ କରିବା ସହ ଶ୍ରୀ ମିଶ୍ରଙ୍କ ସାହିତ୍ୟ କୃତୀ କିଭଳି ଯୁବବର୍ଗଙ୍କ ମଧ୍ୟରେ ଅଧିକରୁ ଅଧିକ ଆଦୃତ ହୋଇପାରିବ ସେ ଦିଗରେ ଯତ୍ନବାନ ହେବାକୁ କହିଥିଲେ ।

ଏହି ଅବସରରେ ଗଣେଶ୍ବର ମିଶ୍ରଙ୍କ ଉପନ୍ୟାସ ‘ସକାଳର ମୁହଁ’ର ନାଟ୍ୟ ରୂପାନ୍ତର ପୁସ୍ତକ ଏବଂ ଏକ କ୍ଷୁଦ୍ର ଗଳ୍ପ ସଙ୍କଳନର ହିନ୍ଦୀ ଅନୁବାଦ ପୁସ୍ତକ ‘ୟା ଦିଲ୍ କି ସୁନୋ’ ଲୋକାର୍ପିତ ହୋଇଥିଲା । ‘ସକାଳର ମୁହଁ’ର ନାଟ୍ୟ ରୂପାନ୍ତର ଦୟାନିଧି ତ୍ରିପାଠୀ କରିଥିବା ବେଳେ ‘ୟା ଦିଲ୍ କି ସୁନୋ’କୁ ଉଦୟନ୍ ସୂପକାର ହିନ୍ଦୀ ଅନୁବାଦ କରିଛନ୍ତି । ସ୍ମୃତିସଭାରେ ଖ୍ୟାତନାମା କଥାବାଚିକା ପ୍ରାଚୀତାରା ଗଣେଶ୍ବର ମିଶ୍ରଙ୍କ ଏକ କ୍ଷୁଦ୍ର ଗଳ୍ପକୁ ନେଇ ଏକକ ଅଭିନୟ କରିଥିବା ବେଳେ କେଦାରନାଥ ମିଶ୍ର, ବେଦପ୍ରକାଶ ନାୟକ, ସୁଚରିତା ପାତ୍ର ଏବଂ ସୁବ୍ରତ କୁମାର ସେନାପତି ମିଶ୍ରଙ୍କ ସୃଜନ କୃତୀ ପାଠ କରିଥିଲେ ।

ସଭାରେ ଗତ ସପ୍ତାହରେ ପରଲୋକଗମନ କରିଥିବା ବିଶିଷ୍ଟ ସାହିତ୍ୟିକ ତଥା ପ୍ରଶାସକ ସୁବାସ ପାଣିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତଃ ଶ୍ରୀ ପାଣି ପ୍ରଫେସର୍ ଗଣେଶ୍ବର ମିଶ୍ରଙ୍କ ଜଣେ ଉତ୍ତମ ବନ୍ଧୁ ଥିଲେ ।

ଏହି ସଭାକୁ କବି ସରୋଜ ବଳ ପରିଚାଳନା କରିଥିବା ବେଳେ ଡଃ. ବିରାଜ ମୋହନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.