ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଆଗାମୀ ଫିଲ୍ମ ପରମ ସୁନ୍ଦରୀକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। କିନ୍ତୁ ରିଲିଜ ପୂର୍ବରୁ ଫିଲ୍ମଟି ବିବାଦ ଘେରକୁ ଆସିଛି।
ତେବେ ୱାଚଡଗ୍ ଫାଉଣ୍ଡେସନ୍ ନାମକ ଏକ ଖ୍ରୀଷ୍ଟିଆନ ଗୋଷ୍ଠୀ ଫିଲ୍ମ ର ଏକ ଦୃଶ୍ୟକୁ କଡା ବିରୋଧ କରିଛନ୍ତି । କାରଣ ଫିଲ୍ମର ଏକ ରୋମାଣ୍ଟିକ ଦୃଶ୍ୟ ଚର୍ଚ୍ଚ ଭିତରେ ଚିତ୍ରଣ କରାଯାଇଛି। ଯାହା ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ କରାଯାଇଛି।
ଚର୍ଚ୍ଚ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ ଏବଂ ସେଠାରେ କୌଣସି ପ୍ରକାରର ଅଶ୍ଳୀଳ କିମ୍ବା ଆପତ୍ତିଜନକ ବିଷୟବସ୍ତୁ ଦେଖାଇବା ଉଚିତ୍ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି।
ତେବେ ସଂଗଠନ ଏହି ମାମଲାକୁ ନେଇ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ମୁମ୍ବାଇ ପୋଲିସ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମହାରାଷ୍ଟ୍ର ସରକାରଙ୍କୁ ଏକ ଚିଠି ଲେଖିଛି।ଏଥିସହିତ ସିନେମାଟୋଗ୍ରାଫ୍ ଆଇନ ୧୯୫୨ ଅନୁଯାୟୀ, ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ରଗୁଡ଼ିକୁ ପ୍ରମାଣିତ କରିବା କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ର ଦାୟିତ୍ୱ ବୋଲି ଫାଉଣ୍ଡେସନ୍ ଓକିଲ ଗଡଫ୍ରେ ପିମେଣ୍ଟା ନିଜ ଯୁକ୍ତି ରେ କହିଛନ୍ତି।
ଏହି ଦୃଶ୍ୟକୁ ଫିଲ୍ମରୁ ଏବଂ ପ୍ରମୋସନାଲ୍ ଭିଡିଓରୁ ହଟାଇବାକୁ ନେଇ ସଂଗଠନ ଦାବି କରିଛି।ଏଥିସହିତ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଉଦ୍ଦେଶ୍ୟ ରେ ଫିଲ୍ମର ମୁଖ୍ୟ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବାକୁ ମଧ୍ୟ ଦାବି କରାଯାଇଛି।
Comments are closed.