Latest Odisha News

BREAKING NEWS

ଶିଶୁ ଓ ମହିଳା ମାନଙ୍କୁ ଦିଆଯାଉଥିବା ଖାଦ୍ୟରେ ବ୍ୟାପକ ଉନ୍ନତି ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଭାଗ ପକ୍ଷରୁ ଅପପୁଷ୍ଟି ରୋକିବା ପାଇଁ କାର୍ଯ୍ୟକାରୀ ହେଉଥିବା ଟେକ୍-ହୋମ୍-ରାସନ୍ ଯୋଜନାରେ ଦିଆଯାଉଥିବା ଖାଦ୍ୟ ବିଶେଷକରି, ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ଦକ୍ଷ କରିବା ପାଇଁ ଉପଯୁକ୍ତ ତଦାରଖ ଓ ମୂଲ୍ୟାଙ୍କନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବିଭିନ୍ନ ଯୋଜନାରେ ମୋଟ ୪୩ ଲକ୍ଷ ୯୨ ହଜାର ୭୦୦ ହିତାଧିକାରୀଙ୍କୁ ବିଭିନ୍ନ ପୁଷ୍ଟି ଯୋଜନା ଅଧିନରେ ଟେକ୍-ହୋମ୍‌-ରେସନ୍‌ ରେ ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ଦିଆଯାଉଛି । ରାଜ୍ୟର ୫୪୬ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଛତୁଆ ଉତ୍ପାଦନ କରାଯାଇ ସେଗୁଡିକର ବଣ୍ଟନ କରାଯାଉଛି । ଅପପୁଷ୍ଟି ରୋକିବା ପାଇଁ ପରିପୂରକ ପୁଷ୍ଟି ଯୋଜନା (SNP), କିଶୋରୀ ବାଳିକାଙ୍କ ପୁଷ୍ଟି ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଆଦି ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ଛତୁଆର ପ୍ରସ୍ତୁତି ଠାରୁ ଆରମ୍ଭ କରି ପ୍ୟାକେଜିଂ, ବଣ୍ଟନ ପର୍ଯ୍ୟନ୍ତ ପୁରା ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଶିଶୁ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟ ରାଜ୍ୟର ବିକାଶ ପାଇଁ ସବୁଠାରୁ ଅଧିକ ଜରୁରୀ । ଏଥିରେ କୌଣସି ପରିସ୍ଥିତିରେ ଅଣଦେଖା କରି ହେବ ନାହିଁ । ତେଣୁ ଏହି ବ୍ୟବସ୍ଥାର ପ୍ରତ୍ୟେକ ସ୍ତରରେ ଉତ୍ତମ ତଦାରଖ ଓ ମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନର ଯେପରି ମୁକାବିଲା କରିପାରିବେ, ବିଭିନ୍ନ ପରିସ୍ଥିତିରେ ସେମାନଙ୍କ ମନୋବଳ ଯେପରି ଦୃଢ ରହିବ ସେଥିପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏଥି ସହିତ ଯେଉଁ ସବୁ ଜାଗାରେ ଅଙ୍ଗନବାଡୀ କେନ୍ଦ୍ରର ନିଜସ୍ୱ ଗୃହ ନାହିଁ, ସେସବୁ ଜାଗାରେ ଅଙ୍ଗନବାଡୀ କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଆବଶ୍ୟକସ୍ଥଳେ ଅଙ୍ଗନବାଡୀ କେନ୍ଦ୍ର ପାଇଁ ଜମି କିଣିବା ପାଇଁ ବିଭାଗକୁ କହିଥିଲେ । ଏଥି ସହିତ ପୁରୁଣା ଅଙ୍ଗନବାଡୀ କେନ୍ଦ୍ର ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଓମ୍ବାଡସି ଓ ଡି.ଏମ୍.ଏଫ୍ ଜିଲ୍ଲା ଗୁଡିକରେ ଶତ ପ୍ରତିଶତ ଅଙ୍ଗନବାଡୀର ନିଜସ୍ୱ ଗୃହ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ହେଲେ ଏଥିପାଇଁ ଏହି ଦୁଇ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ ।

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ପିଲାମାନଙ୍କ ପୁଷ୍ଟିସାଧନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ସେ କହିଥିଲେ । ପଡା ପୁଷ୍ଟି କାର୍ଯ୍ୟକ୍ରମରେ ଅଙ୍ଗନବାଡୀ କେନ୍ଦ୍ରକୁ ଯାଇ ପାରୁନଥିବା ପିଲାମାନଙ୍କ ପାଇଁ ସେମାନଙ୍କ ଘରେ ଠିକ୍ ସମୟରେ ଖାଦ୍ୟ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଅଙ୍ଗନବାଡୀ କେନ୍ଦ୍ରର ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକ ଓ ଜୋତା ଯୋଗାଣରେ ରାଜ୍ୟର କ୍ଷୁଦ୍ର ଶିଳ୍ପ ଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।

Comments are closed.