ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା। ଅନବରତ ବର୍ଷାରେ ବୁଡ଼ିଲା ବିଭିନ୍ନ ପୋଲ। ପଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମ ପୋଲ ଉପରେ ୩ ରୁ ୪ ଫୁଟର ପାଣି ପ୍ରବାହିତ ହେଉଛି। ଜିଲ୍ଲାର ସମସ୍ତ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। ପୋଲର ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି।
ମାଲକାନଗିରି ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି। କନ୍ୟାଶ୍ରମ ବ୍ରିଜ ବୁଡିଯାଇଥିବାରୁ କାଲିମେଳା ଠାରୁ ପଡିଆ ଯାତାୟାତ ଠପ୍ ହୋଇଯାଇଛି। ସେହିପରି ଜିଲ୍ଲାର ମୁଖ୍ୟଚିକିତ୍ସାଳୟ ସମ୍ମୁଖ ରାସ୍ତାରେ ମଧ୍ୟ ଅତ୍ୟଧିକ ବର୍ଷା ଜଳ ପ୍ରବାହିତ ହେଉଛି।
ମାଲକାନଗିରିରେ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ରେଡ୍ ଆଲର୍ଟ। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି। ୱାର୍ଣ୍ଣିଂକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ସ୍କୁଲ ଛୁଟି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୩ ଜିଲ୍ଲା କଳାହାଣ୍ଡି, ରାୟଗଡ଼ା ଓ ଗଜପତିକୁ ଓ ନବରଙ୍ଗପୁରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
Comments are closed.