ଭୁବନେଶ୍ବର: JSW ଷ୍ଟିଲ୍ ଲିମିଟେଡ୍ ଏବଂ ଦକ୍ଷିଣ କୋରିଆର ପୋସ୍କୋ ଗ୍ରୁପ୍ ଭାରତରେ ବାର୍ଷିକ ୬ ନିୟୁତ ଟନ୍ (MTPA) ଇସ୍ପାତ କାରଖାନା ସ୍ଥାପନ କରିବାର ସମ୍ଭାବନା ଅନୁସନ୍ଧାନ କରିବା ପାଇଁ ହାତ ମିଳାଇଛନ୍ତି। କମ୍ପାନୀଗୁଡ଼ିକ ଏବେ ପ୍ଲାଣ୍ଟର ସ୍ଥାନ, ନିବେଶ ସର୍ତ୍ତାବଳୀ, ସମ୍ବଳ ଉପଲବ୍ଧତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାରଣଗୁଡ଼ିକୁ ଚୂଡ଼ାନ୍ତ କରିବା ପାଇଁ ଏକ ବିସ୍ତୃତ ସମ୍ଭାବ୍ୟତା ଅଧ୍ୟୟନ କରିବେ। ପ୍ରାକୃତିକ ସମ୍ବଳ ଆଧାର ଏବଂ ଲଜିଷ୍ଟିକ୍ ସୁବିଧା ସହିତ ଓଡ଼ିଶା ମଧ୍ୟ ବିଚାର କରାଯାଉଥିବା ପ୍ରମୁଖ ସ୍ଥାନଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ।
ସୋମବାର ଜାରି ଏକ ବିବୃତ୍ତିରେ, JSW ଷ୍ଟିଲ୍ କହିଛି ଯେ ଏହା ଭାରତରେ ବାର୍ଷିକ ୬ ନିୟୁତ ଟନ୍ (MTPA) କ୍ଷମତା ବିଶିଷ୍ଟ ଏକ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନର ସମ୍ଭାବନା ଅନୁସନ୍ଧାନ କରିବା ପାଇଁ ଏକ ଅଣ-ବାଧ୍ୟତାମୂଳକ ଚୁକ୍ତିନାମା (HoA) ସ୍ୱାକ୍ଷର କରିଛି।
JSW ଷ୍ଟିଲ୍ କହିଛି, “ଏହି ଅଣ-ବାଧ୍ୟତାମୂଳକ ବୁଝାମଣାପତ୍ର ଅକ୍ଟୋବର ୨୦୨୪ରେ ଉଭୟ ପକ୍ଷଙ୍କ ଦ୍ୱାରା ସ୍ୱାକ୍ଷରିତ ବୁଝାମଣାପତ୍ର (MoU) ଉପରେ ଆଧାରିତ। ପ୍ରସ୍ତାବିତ ୫୦:୫୦ ମିଳିତ ଉଦ୍ୟୋଗ ପାଇଁ ଏକ ବ୍ୟାପକ ଢାଞ୍ଚା ମଧ୍ୟ ଉପସ୍ଥାପନ କରେ।”
ପୋସ୍କୋ ହୋଲ୍ଡିଂସର ପ୍ରତିନିଧି ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଲି ଜୁ-ତାଇ ଏବଂ ଜେଏସଡବ୍ଲୁ ଷ୍ଟିଲର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଜୟନ୍ତ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ମୁମ୍ବାଇରେ ଏହି ଅଣ-ବାଧ୍ୟକତାମୂଳକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।
ଲି ଜୁ-ତାଇ କହିଛନ୍ତି, “ଭବିଷ୍ୟତ ଗ୍ଲୋବାଲ ଇସ୍ପାତ ଚାହିଦାର କେନ୍ଦ୍ରବିନ୍ଦୁ ହେଉଛି ଭାରତ। JSW ସହିତ ଆମର ସହଯୋଗ ପାରସ୍ପରିକ ବିଶ୍ୱାସ ଏବଂ ଏକ ମିଳିତ ଦୀର୍ଘକାଳୀନ ଦୃଷ୍ଟିକୋଣ ଉପରେ ଆଧାରିତ। ଏହି ପଦକ୍ଷେପ ଭାରତର ଶିଳ୍ପ ବିକାଶକୁ ସମର୍ଥନ କରିବା ଏବଂ ଉଭୟ ସଂଗଠନ ପାଇଁ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି କରିବା ପାଇଁ ସେମାନଙ୍କ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”
ଏଥିସହ ଜୟନ୍ତ ଆଚାର୍ଯ୍ୟ କହିଛନ୍ତି ଯେ, “ଏହି ପ୍ରସ୍ତାବିତ ଉଦ୍ୟମ ଦେଶର ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣର ଅନୁରୂପ । ଘରୋଇ ଏବଂ ରପ୍ତାନି ଉଭୟ ବଜାରକୁ ସେବା ଯୋଗାଇବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଉତ୍ପାଦନ ହବ୍ ସୃଷ୍ଟି କରିବାରେ ସାହାଯ୍ୟ କରିବ।”
ଏହି ଚୁକ୍ତିନାମା JSW ଷ୍ଟିଲ୍ ଏବଂ ଦକ୍ଷିଣ କୋରିଆର POSCO ଗ୍ରୁପ୍ ମଧ୍ୟରେ ରଣନୈତିକ ସହଯୋଗକୁ ଆହୁରି ଗଭୀର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
Comments are closed.