ଜଗତସିଂହପୁର:ଫେରାର ପୋଲିସ ଏସଆଇ ଅମିତ ପାଢ଼ୀ ରାଜ୍ୟ ବାହାରୁ ଗିରଫ । ଜଗତସିଂହପୁର ପୋଲିସର ସ୍ବତନ୍ତ୍ର ୪ ଜଣିଆ ଟିମ୍ ଗିରଫ କରିଥିବା ସୂଚନା ରହିଛି । ନାବାଳିକାଙ୍କୁ ବିବାହ ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହୋଇଛନ୍ତି ଏସଆଇ ଅମିତ ପାଢ଼ୀ । ସେ ୪ ମାସ ହେଲା ଫେରାର ଥିଲେ ।
ତେବେ ଅଭିଯୁକ୍ତ ଏସଆଇକୁ କେଉଁଠୁ ଗିରଫ କରାଯାଇଛି ତାର ସୂଚନା ଦିଆଯାଇ ନାହିଁ।
ସୂଚନାମୁତାବକ, ଫେସ୍ବୁକ୍ ପରିଚୟରୁ ଦଶମ ଶ୍ରେଣୀ ଝିଅକୁ ପ୍ରେମ ପରେ ବିବାହ କରିଥିଲେ ଥାନା ଏସ୍ଆଇ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ଆସିଥିଲା। ତେବେ ବିବାହର କିଛ ମାସ ପରେ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନିର୍ଯାତନା ନେଇ ଆସିଥିଲା ଅଭିଯୋଗ । ଜଗତସିଂହପୁର ସଦର ଥାନାରେ ନାବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରି ଘରୁ ତଡି ଦେଇଥିବା ସଙ୍ଗୀନ ଅଭିଯୋଗ ହୋଇଥିଲା । ଘଟଣା ସମ୍ପର୍କରେ ଗତ ଏପ୍ରିଲ ମାସ ଅଭିଯୋଗ କରିଥିଲେ ପରିବାର ଲୋକେ।
ଅଭିଯୋଗ ଆଧାରରେ ପୁଲିସ ଦୁଷ୍କର୍ମ ଏବଂ ନିର୍ଯାତନା ନେଇ ମାମଲା ରୁଜୁ କରିଥିଲା।ତେବେ ଘଟଣା ଉପରେ ପ୍ରତିକ୍ରିୟା ରଖିଥିଲେ ଜଗତସିଂହପୁର ଏସ୍ପି , କହିଥିଲେ ଅମିତ ପାଢ଼ୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେ ଫେରାର ଅଛନ୍ତି।
Comments are closed.