ନୂଆଦିଲ୍ଲୀ: ଏସଆଇଆରକୁ ଦିଦିଙ୍କ ଜବାବ ଶ୍ରମଶ୍ରୀ ! ପ୍ରବାସୀ ଶ୍ରମିକଙ୍କ ପାଇଁ ଦିଦିଙ୍କ ଯୋଜନା। ଦିଦିଙ୍କ ହାତରେ ଅସ୍ମିତା ଅସ୍ତ୍ର ।ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିବ କି ମୁଡ୍ ! ପଶ୍ଚିମବଙ୍ଗର ପ୍ରାୟ ୨୨ ଲକ୍ଷ ପ୍ରବାସୀ ଶ୍ରମିକ ଭିନ୍ନ ଭିନ୍ନ ରାଜ୍ୟରେ କାମ କରୁଛନ୍ତି। ସେମାନଙ୍କୁ ବିଜେପି ଶାସିତ ରାଜ୍ୟରେ ହଇରାଣ କରାଯାଉଥିବା କହୁଛନ୍ତି ମମତା ବାନାର୍ଜୀ। ପ୍ରବାସୀ ଶ୍ରମିକଙ୍କ ପାଇଁ ଶ୍ରମଶ୍ରୀ ଯୋଜନା ଆଣିବାକୁ ଯାଉଛନ୍ତି ମମତା ବାନାର୍ଜୀ ସରକାର। ଏଥିରେ ଶ୍ରମିକଙ୍କୁ ମାସିକ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି। ଯୋଜନା ବର୍ଷେ ପର୍ଯ୍ୟନ୍ତ ଚାଲିବ।
ଶ୍ରମଶ୍ରୀ ଯୋଜନା କଣ?
ପୂର୍ବରୁ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ଫେରିଆସିବାକୁ ଇମୋସନାଲ ଅପିଲ୍ କରିଥିଲେ ମମତା। ଆଉ ଏବେ ସରକାରୀ ସହଯୋଗ ଉପରେ ମୋହର ବି ଲଗାଇଛନ୍ତି। ଶ୍ରମଶ୍ରୀ ଯୋଜନା ଦ୍ବାରା ପଶ୍ଚିମବଙ୍ଗ ଲୋକଙ୍କ ପାଇଁ ସବୁବେଳେ ଠିଆ ହୋଇଥିବା ସନ୍ଦେଶ ଦେବାକୁ ଚାହୁଁଛନ୍ତି ମମତା। ଏହାସହ ବଙ୍ଗାଳୀଙ୍କର ସବୁଠୁ ବଡ଼ ଶତ୍ରୁ ବିଜେପି, ସେନେଇ ବି ନାରେଟିଭ୍ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଶ୍ରମଶ୍ରୀ ଯୋଜନା ନେଇ ଘୋଷଣା କରିବା ବେଳେ ବିଜେପି ଶାସିତ ରାଜ୍ୟରେ ପୂର୍ବ ଯୋଜନା ଅନୁସାରେ ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ହଇରାଣ କରାଯାଉଥିବା ମମତା କହିଛନ୍ତି। ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ମମତାଙ୍କ ଶ୍ରମଶ୍ରୀ ଟିଏମସିକୁ ଫାଇଦା ଦେଇପାରେ।
ଶ୍ରମଶ୍ରୀ ପଛରେ ବଡ଼ ରଣନୀତି
ପୂର୍ବରୁ ପ୍ରବାସୀ ଶ୍ରମିକଙ୍କୁ ପଶ୍ଚିମବଙ୍ଗ ଫେରି ଆସିବାକୁ ଅପିଲ୍ କରିବା ସହ ସେମାନଙ୍କୁ ରାସନ କାର୍ଡ, ସ୍ବାସ୍ଥ୍ୟ କାର୍ଡ ଓ ରୋଜଗାର ଦେବାକୁ ବି ପ୍ରତିଶ୍ରୁତି ଦେଇଥିଲେ ମମତା। କେବଳ ସେତିକି ନୁହେଁ ପ୍ରବାସୀ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଦେବେ ବୋଲି କହିଛନ୍ତି। ତେବେ ଶ୍ରମଶ୍ରୀ ଯୋଜନା ବିଜେପି ବିରୋଧରେ ମମତାଙ୍କ ଆନ୍ଦୋଳନ ଦିଗରେ ବଡ଼ ପଦକ୍ଷେପ। ଶ୍ରମଶ୍ରୀ ଯୋଜନା 12ମାସ ଚାଲିବା ନେଇ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ମେ ମଧ୍ୟରେ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ସରିବ। ତେଣୁ ଯୋଜନାର ଟାଇମିଂକୁ ନେଇ ଚର୍ଚ୍ଚା ହେଉଛି। କେବଳ ବିଧାନସଭା ନିର୍ବାଚନକୁ ଆଖିରେ ରଖି ଯୋଜନା ଘୋଷଣା କରାଯାଇଥିବା କୁହାଯାଉଛି।
ଏସଆଇଆରକୁ ଶ୍ରମଶ୍ରୀ କାଉଣ୍ଟର
ବିହାର ପରେ ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପୂରା ଦେଶରେ ହେବ। ବିହାର ପରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏସଆଇଆର ପ୍ରକ୍ରିୟା ସମୟରେ ଭୋଟରଙ୍କ ସହ ଯୋଗାଯୋଗ ନହୋଇ ପାରିଲେ ସେମାନଙ୍କୁ ଭୋଟର ତାଲିକାରୁ ବାହାର କରାଯିବ। ପଶ୍ଚିମବଙ୍ଗରେ ଏଭଳି କିଛି ହେବା ଆଗରୁ ହିଁ ଶ୍ରମଶ୍ରୀ ଯୋଜନା ଲାଗୁ କରିବାକୁ ଯାଉଛନ୍ତି ମମତା ବାନାର୍ଜୀ। ଯୋଜନା ଲାଗୁ ହେଲେ ପ୍ରବାସୀ ଶ୍ରମିକ ଭୋଟର ତାଲିକାରୁ ବାଦ ପଡିବେନି। ତେଣୁ କେନ୍ଦ୍ର ସରକାରଙ୍କ ଏସଆଇଆରକୁ ଶ୍ରମଶ୍ରୀ ଏକପ୍ରକାର କାଉଣ୍ଟର ବୋଲି କୁହାଯାଉଛି।
ବଙ୍ଗାଳୀ ଭାଷାଭାଷୀଙ୍କୁ ବିଜେପି ଶାସିତ ରାଜ୍ୟରେ ହଇରାଣ କରାଯିବା ପ୍ରସଙ୍ଗ ଉଠାଇ ବଙ୍ଗାଳୀ ଅସ୍ମିତା ଅସ୍ତ୍ର ଚଳାଇଛନ୍ତି ମମତା। ଏହାକୁ ଭାଷା ଆନ୍ଦୋଳନ ମାଧ୍ୟମରେ ସିନେମା ହଲରେ ବି ପହଞ୍ଚାଇଛନ୍ତି। ଖାଲି ସେତିକି ନୁହେଁ ଅଧିକରୁ ଅଧିକ ବଙ୍ଗାଳୀ ଭାଷାରେ କହିବା ଉପରେ ଜୋର ଦେଉଛି ଟିଏମସି। ସଂସଦରେ ବି ଏହାର ପ୍ରଭାବରେ ଟିଏମସି ସାଂସଦ ବଙ୍ଗାଳୀ ଭାଷାରେ ଅଭିଭାଷଣ ରଖୁଛନ୍ତି। ବିଧାନସଭା ନିର୍ବାଚନର ଯଥେଷ୍ଟ ପୂର୍ବରୁ ବିଜେପି ସହ ଆରପାରର ଲଢେଇ ପାଇଁ ଯୁଦ୍ଧଂ ଦେହୀ ଡାକରା ଦେଇଛନ୍ତି ଦିଦି। ଆଉ ଏଥିରେ ଶ୍ରମଶ୍ରୀ ଯୋଜନା ମମତାଙ୍କ ବ୍ରହ୍ମାସ୍ତ୍ର ହୋଇପାରେ।
Comments are closed.