Latest Odisha News

Odisha Election 2024: ମୁଁ କାନ ମୋଡ଼ିବାକୁ ରାଜନୀତିକୁ ଆସିନାହିଁ, ଜନତାଙ୍କ ଆଗରେ କାନ ଦେଖାଇ ଦେଉଛି: ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡ଼ିଆ ଅସ୍ମିତା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏକ ସାଂସ୍କୃତିକ ଅବବୋଧ। ତେବେ ଗତ ନିର୍ବାଚନ ବେଳେ ତତ୍‌କାଳୀନ ପରିସ୍ଥିତି ଯୋଗୁଁ ଏହା ରାଜନୈତିକ ପ୍ରସଙ୍ଗ ପାଲଟିଥିଲା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ: ଓଡ଼ିଶାସ୍‌ ଇଲେକ‌ଟୋରାଲ୍‌ ରେନେସାଁ ଅଫ୍‌ ୨୦୨୪’ ପୁସ୍ତକ ଉନ୍ମୋଚନ ସଭାରେ ଉଦ୍‌ଘାଟକ ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତୀୟ ଜନତା ପାର୍ଟି ଏକ ଆକସ୍ମିକ ଦଳ ନୁହେଁ। ଏହାର ଅଭ୍ୟୁଦୟ ଦୀର୍ଘ ସମୟ ଧରି ହୋଇଛି ଏବଂ ଏଥିପାଇଁ ଓଡ଼ିଶାରେ ୨୭ ଜଣ ଦଳୀୟ କର୍ମୀଙ୍କ ପ୍ରାଣହାନି ଘଟିଛି।

ରାଜନେତାଙ୍କ ତ୍ରୁଟି ପ୍ରସଙ୍ଗରେ ସେ କହିଥିଲେ, ‘ମୁଁ କାନ ମୋଡ଼ିବାକୁ ରାଜନୀତିକୁ ଆସିନାହିଁ। ବରଂ ଜନତାଙ୍କୁ ମୋର କାନ ଦେଖାଇ ଦେଉଛି।’ ପୁସ୍ତକର ପ୍ରସଂଶା କରି ସେ କହିଥିଲେ ଯେ ଓଡ଼ିଶାର ରାଜନୀତି ଓ ନିର୍ବାଚନକୁ ବୁଝିବା ପାଇଁ ଏଭଳି ପୁସ୍ତକର ଆବଶ୍ୟକତା ରହିଛି। ବିଜେଡି-ବିଜେପି ମେଣ୍ଟ ସମ୍ପର୍କରେ ତାଙ୍କର ଅନେକ କଥା କହିବାର ଅଛି, ଏବେ ସେ ସମୟ ଆସିନାହିଁ ଏବଂ ସେ ନିଜେ ଯେବେ ପୁସ୍ତକ ରଚନା କରିବେ ସେତେବେଳେ ଏ ପ୍ରସଙ୍ଗରେ ଉଲ୍ଲେଖ କରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ବାରା ପ୍ରକାଶିତ ‘ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ : ଓଡ଼ିଶାସ୍‌ ଇଲେକ‌ଟୋରାଲ୍‌ ରେନେସାଁ ଅଫ୍‌ ୨୦୨୪’କୁ ରଚନା କରିଛନ୍ତି ରେଭେନ୍‌ସା ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାତୀୟ ମୁଖ୍ୟ ନେତାଜୀ ଅଭିନନ୍ଦନ ଏବଂ ତାଙ୍କର ସହଯୋଗୀ ପ୍ରାଧ୍ୟାପକ ପ୍ରୀତ୍‌ ବୁବ୍‌ନା। ମୁଖ୍ୟଅତିଥି ଭାବେ ଯୋଗଦେଇ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଅସ୍ମିତାର ବିଜୟ ହୋଇନାହିଁ। ଗତ ନିର୍ବାଚନରେ ଓଡ଼ିଶାବାସୀ ଅସ୍ମିତା ପ୍ରସଙ୍ଗରେ ମତଦାନ କରିନାହାନ୍ତି, ବରଂ ବିଜେଡିର ଅହଂକାର ବିପକ୍ଷରେ ଭୋଟ୍‌ ହୋଇଛି। ରାଜ୍ୟରେ ଏକମାତ୍ର ବିକଳ୍ପ ହୋଇଥିବାରୁ ବିଜେପି ବିଜୟୀ ହୋଇଛି ବୋଲି ସୌମ୍ୟରଂଜନ ମତ ଦେଇଥିଲେ।

ଯେଉଁ ବିଧାୟକମାନେ ନିଜକୁ ବିଜୟୀ ଭାବୁଛନ୍ତି, ସେମାନେ ଭ୍ରମରେ ଅଛନ୍ତି ଏବଂ କେବଳ ବିଜେଡିକୁ ହରାଇବା ପାଇଁ ଲୋକେ ତାଙ୍କୁ ଜିତାଇଛନ୍ତି ବୋଲି ସୌମ୍ୟରଂଜନ ମତ ଦେଇଥିଲେ। ଓଡ଼ିଶାରେ ଅଧିକ ଭୋଟ୍‌ ପାଇ ସୁଦ୍ଧା ବିଜେଡି ପରାଜିତ ହୋଇଥିବାବେଳ କମ ଭୋଟ୍‌ ପାଇ ବିଜେପି ବିଜୟୀ ହୋଇଛି। ଏଭଳି ସମୀକରଣ ଓଡ଼ିଶାରେ ଆଞ୍ଚଳିକ ଦଳମାନଙ୍କର ବିକାଶ ଲାଗି ଅନୁକୂଳ ସଂକେତ ଦେଉଛି। ବିଜେପି ଯଦି ବିଜେଡିକୁ ବିରୋଧ କରି ନିର୍ବାଚନକୁ ଓହ୍ଲାଇଥିଲା ତେବେ କାହା ସ୍ବାର୍ଥରେ ସେମାନଙ୍କ ମଧ୍ୟରେ ମେଣ୍ଟ ନେଇ ମୂଲଚାଲ ଚାଲିଥିଲା ବୋଲି ପ୍ରଶ୍ନ କରିଥିଲେ ସୌମ୍ୟରଂଜନ।

ମୁଖ୍ୟବକ୍ତା ଭାବରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଥିଲେ ଯେ ବିଜେପିର ବିଜୟ ସହ ଓଡ଼ିଶାରେ ଗୋଟିଏ ମଧ୍ୟଯୁଗୀୟ ଶାସନର ଅବସାନ ଘଟିଲା। ବିଜୁ ପଟ୍ଟନାୟକଙ୍କ ଭାଷାରେ ଏକଦା ସାଇନବୋର୍ଡ ପାର୍ଟି ଭାବେ ଗଣା ହେଉଥିବା ବିଜେପି ହିଁ ନିଜର ସ୍ଥିତି ପାଇଁ ନବୀନଙ୍କୁ ରାଜନୀତିକୁ ଆଣିଥିଲା ଏବଂ ବିଜେଡି ପ୍ରତିଷ୍ଠାରେ ସହଯୋଗ କରିଥିଲା। ବିଜେଡି ସରକାର ବେଳେ ସମାଲୋଚକର ପାଟି ବନ୍ଦ କରାଯାଉଥିଲା ବୋଲି ଆକ୍ଷେପ କରିବା ସହ ବର୍ତ୍ତମାନର ସରକାର ଅନ୍ତତଃ ସେପରି କରିବେନାହିଁ ବୋଲି ଶ୍ରୀ ଶତପଥୀ ଆଶାପ୍ରକଟ କରିଥିଲେ।

ଲେଖକୀୟ ଅଭିବ୍ୟକ୍ତି ରଖି ନେତାଜୀ ଅଭିନନ୍ଦନ କହିଥିଲେ ଯେ ପୁସ୍ତକରେ ‘ନବୀନଙ୍କ ପତନ’, ମୋଦୀଙ୍କ ଅଭ୍ୟୁଦୟ’, ‘ଧର୍ମେନ୍ଦ୍ର ତତ୍ତ୍ବ’, ‘ପାଣ୍ଡିଆନ୍‌ ତତ୍ତ୍ବ’, ‘ଓଡ଼ିଶା ରାଜନୀତିର ପ୍ରଶାସକିକରଣ’ ଏବଂ ଶେଷରେ ‘ନିର୍ବାଚନ ଫଳାଫଳ ଓ ତଥ୍ୟ’ ଏହିଭଳି ମୋଟ ୬ଟି ଅଧ୍ୟାୟ ରହିଛି। ଓଡ଼ିଶାରେ ରାଜନୈତିକ ସ୍ବର ଓ ମତଦାନର ଧାରା କିଭଳି ଏକ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିଛି ତାହା ଏ ପୁସ୍ତକରେ ଲେଖାଯାଇଛି।

ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ବରିଷ୍ଠ ଲେଖକ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଂଜନ। ପ୍ରାରମ୍ଭରେ କଥାଶିଳ୍ପୀ ତଥା ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ସ୍ବାଗତ ଭାଷଣ ଦେଇଥିବାବେଳେ ଉତ୍ସବ ଅନ୍ତେ ପ୍ରୀତ୍‌ ବୁବ୍‌ନା ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ମଧୁସ୍ମିତା ରାଉତ।

 

Comments are closed.