Latest Odisha News

BREAKING NEWS

Army Jawan assault: ସେନା ଯବାନଙ୍କ ଉପରେ ଆକ୍ରମଣ ଘଟଣା..NHAIର ବଡ଼ କାର୍ଯ୍ୟାନୁଷ୍ଠାନ, ଟୋଲ୍ କମ୍ପାନୀର ଚୁକ୍ତିନାମା ବାତିଲ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ମିରଟର ଏକ ଟୋଲ୍ ପ୍ଲାଜାରେ ଜଣେ ଭାରତୀୟ ସେନା ଯବାନଙ୍କ ଉପରେ ଆକ୍ରମଣର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁ ଯବାନଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା ସେ ଅପରେସନ ସିନ୍ଦୂରରେ ସାମିଲ ଥିଲେ। ଅଗଷ୍ଟ ୧୭ ତାରିଖରେ କରନାଲ ହାଇୱେ (NH-709A) ସ୍ଥିତ ଭୁନି ଟୋଲ୍ ପ୍ଲାଜାରେ ସେନା ଯବାନ କପିଲ ସିଂହଙ୍କ ଉପରେ ଆକ୍ରମଣ ମାମଲା ସାମ୍ନାକୁ ଆସିଥିଲା। ତେବେ ଘଟଣାର କିଛି ଦିନ ପରେ, ଏବେ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏହା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। NHAI ଟୋଲ୍ ଆଦାୟ ସଂସ୍ଥାର ଚୁକ୍ତିନାମାକୁ ବାତିଲ କରିଛି ଏବଂ ଏହାକୁ ଗୋଟିଏ ବର୍ଷ ପାଇଁ ନୂତନ ବିଡ୍‌ରେ ଅଂଶଗ୍ରହଣ କରିବାରୁ ନିଷେଧ କରିଛି।

କେବଳ ଏତିକି ନୁହେଁ, NHAI ଟୋଲ୍ ଏଜେନ୍ସି ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଏବଂ ୫ ଲକ୍ଷ ଟଙ୍କାର କାର୍ଯ୍ୟଦକ୍ଷତା ସୁରକ୍ଷା ମଧ୍ୟ ଜବତ କରିଛି। ଏହା ବ୍ୟତୀତ, ଭୁନି ଟୋଲ୍ ପ୍ଲାଜାରେ କ୍ଷତିଗ୍ରସ୍ତ ଉପକରଣ ମରାମତି ଏବଂ ପ୍ରତିସ୍ଥାପନ ପାଇଁ ୩.୬୬ କୋଟି ଟଙ୍କା ଦେବାକୁ ପଡିବ।

ସୂଚନାଥାଉକି, କପିଲ ତାଙ୍କ ଗାଁରୁ ଡ୍ୟୁଟି ପାଇଁ ଫେରୁଥିଲେ , ଏହି ସମୟରେ କର୍ଣ୍ଣାଲ ହାଇୱେର ଟୋଲ୍ ପ୍ଲାଜା ନିକଟରେ ପହଞ୍ଚିଥିଲେ । ଟୋଲ୍ କର୍ମଚାରୀମାନେ ତାଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣର ଏହି ଘଟଣା ଉପରେ ସେନା ଯବାନ କପିଲ ସିଂହ କହିଛନ୍ତି ଯେ ସୀମାରେ ଶତ୍ରୁମାନଙ୍କ ସହିତ ଲଢ଼ିବାରେ କୌଣସି ଦ୍ୱିଧା ନାହିଁ, କିନ୍ତୁ ନିଜ ଦେଶରେ ଏହି ପ୍ରକାରର ଆଚରଣ ମନକୁ କଷ୍ଟ ଦିଏ। ଶରୀରରେ ଲାଗିଥିବା ଆଘାତ ସମୟ ସହିତ ଭଲ ହୋଇଯିବ, କିନ୍ତୁ ମନରେ ଲାଗିଥିବା ଆଘାତ ସାରାଜୀବନ ରହିବ।

ଖବରମୁତାବକ, ଘଟଣା ପରେ ଟୋଲ୍ କମ୍ପାନୀ ମେସର୍ସ ଧରମ ସିଂହଙ୍କୁ ‘କାରଣ ଦର୍ଶାଅ’ ନୋଟିସ୍ ଜାରି କରାଯାଇଥିଲା, କିନ୍ତୁ ଏହାର ଉତ୍ତର ସନ୍ତୋଷଜନକ ମିଳି ନଥିଲା। ତଦନ୍ତରେ, ଏଜେନ୍ସିର କର୍ମଚାରୀମାନେ ଯବାନଙ୍କ ସହିତ ଦୁର୍ବ୍ୟବହାର, ଝଗଡ଼ା ଏବଂ ଟୋଲ୍ ପ୍ଲାଜର ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ।

NHAIକହିଛି ଯେ, ଜାତୀୟ ରାଜପଥରେ ଯାତ୍ରୀମାନଙ୍କୁ ସୁଗମ ଏବଂ ସୁରକ୍ଷିତ ଯାତ୍ରା ଯୋଗାଇବା ପ୍ରାଥମିକ ଦାୟିତ୍ୱ ଏବଂ ଟୋଲ୍ କର୍ମଚାରୀଙ୍କ ଅନୁଶାସନହୀନତାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।

ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ, NHAI ସମସ୍ତ ଟୋଲ୍ କମ୍ପାନୀକୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଏଥିରେ କର୍ମଚାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଟୋଲ୍ କର୍ମଚାରୀଙ୍କୁ ଭଲ ଆଚରଣ , ଯୋଗାଯୋଗ ଦକ୍ଷତା ଉପରେ ତାଲିମ ଦେବା ଅନ୍ତର୍ଭୁକ୍ତ।

Comments are closed.