ମାଲକାନଗିରି:ସୀମାନ୍ତ ଛତିଶଗଡ଼ରେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। କ୍ୟାମ୍ପ ମେଟାଗୁଡ଼ାର ସୁରକ୍ଷା ବାହିନୀ ଏକ ମିଳିତ ଅଭିଯାନ ସମୟରେ କୋଇମେଣ୍ଟା ପାହାଡିଆ ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଲୁହା ସାମଗ୍ରୀ ଉଦ୍ଧାର କରିଛନ୍ତି । ନକ୍ସଲମାନେ ଏକ ବଡ଼ ଘଟଣା ଘଟାଇବା ଉଦ୍ଦେଶ୍ୟରେ ଏହି ଅସ୍ତ୍ରଶସ୍ତ୍ର ଏବଂ ସାମଗ୍ରୀ ସଂଗ୍ରହ କରୁଥିଲେ ବୋଲି ସନ୍ଦେହ କରାଯାଉଛି।
ସୂଚନାଥାଉକି, ପୋଲିସ ଅଧିକ୍ଷକ କିରଣ କହିଛନ୍ତି ଯେ, ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ, 203 କୋବ୍ରା ବାହାନୀ, 241 ବସ୍ତର ବାଟାଲିୟନ CRPF ଏବଂ ଜିଲ୍ଲା ବାହିନୀର ଏକ ମିଳିତ ଦଳ ବୋଟେଲଙ୍କା ଗ୍ରାମ, ଏରାପାଲି, କୋଇମେଣ୍ଟା ଏବଂ ଦାରେଲି ଅଞ୍ଚଳକୁ ଯାତ୍ରା କରିଥିଲା। କୋଇମେଣ୍ଟା ପାହାଡ଼ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ସମୟରେ, ସୁରକ୍ଷା ବାହିନୀ ମାଓ ଡମ୍ପ ଠାବ କରିଥିଲା।
ନକ୍ସଲମାନେ ସେହି ଡମ୍ପରେ ଦେଶୀ ରାଇଫଲ୍, ବିଜିଏଲ୍ ଲଞ୍ଚର୍, ବିଜିଏଲ୍ ବ୍ୟାରେଲ୍, ବିସ୍ଫୋରକ ସାମଗ୍ରୀ, ବହୁ ପରିମାଣର ଲୁହା କ୍ଲାମ୍ପ, ପୋଲ ଆଙ୍ଗଲର୍ ଏବଂ ଲୁହା ରଡ୍ ସହିତ କଳା ୟୁନିଫର୍ମ, ଗୁଳି ପାଉଚ୍ ଏବଂ ଇଲେକ୍ଟ୍ରୋନିକ୍ ଜିନିଷ ରଖିଥିଲେ ।
ସୁରକ୍ଷା ବାହିନୀ ଉଦ୍ଧାର ସାମଗ୍ରୀଗୁଡ଼ିକୁ ଜିଲ୍ଲା ମୁଖ୍ୟାଳୟକୁ ଆଣିଥିଲେ। ସମଗ୍ର ଅପରେସନରେ ସାମିଲ ଥିବା ସମସ୍ତ ଯବାନ ସୁରକ୍ଷିତ ଭାବରେ ଶିବିରକୁ ଫେରି ଆସିଛନ୍ତି।
Comments are closed.