ଭୁବନେଶ୍ବର: ବିଜେଡିରେ ଥମୁନି ଅସନ୍ତୋଷ। ଜଣକ ପରେ ଜଣେ ବରିଷ୍ଠ ବିଜେଡି ନେତା ଅସନ୍ତୋଷ ଝାଡୁଛନ୍ତି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ହୁଅନ୍ତୁ କି ବରିଷ୍ଠ ନେତା ଅଶୋକ ପଣ୍ଡା କିମ୍ବା ପ୍ରଫୁଲ୍ଲ ମଲ୍ଲିକ। ଗୋଟେ ପରେ ଗୋଟେ ବିସ୍ଫୋରକ ବୟାନ ଦେଇଛନ୍ତି। 24 ବର୍ଷର ଶାସନ ବେଳେ କେବେ କେହି ଶୀର୍ଷ ନେତୃତ୍ବଙ୍କ ଉପରେ ପ୍ରଶ୍ନ ଉଠାଇବାକୁ ସାହାସ କରିପାରୁନଥିଲେ। ହେଲେ ପରାଜୟ ପରଠୁ ଅସନ୍ତୋଷ ବଢିଥିଲା। ବିଶେଷ କରି ଓ୍ବାକଫ୍ ବିଲ୍ ଭୋଟ୍ ବେଳେ ଏହା ଜଳଜଳ ଦିଶିଥିଲା। ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ସମୟରେ ପୁଣି ଭିକେ ପାଣ୍ଡିଆନ ଚର୍ଚ୍ଚାକୁ ଫେରିଛନ୍ତି, ଆଉ ପୁଣି ଫେରିଛି ନେତାଙ୍କ ବିସ୍ଫୋରକ ବୟାନର ସିରିଜ।
ପ୍ରଫୁଲ୍ଲଙ୍କ ବିସ୍ଫୋରକ ବୟାନ
ବିଜେଡିରେ ବରିଷ୍ଠ ନେତାଙ୍କ ଅସନ୍ତୋଷ ପ୍ରକାଶ କ୍ରମରେ ଯୋଡି ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ବିଜେଡିରେ ଆଦର୍ଶ ନାହିଁ। ଦଳ ଠିକ୍ ଭାବେ ପରିଚାଳିତ ହେଉନାହିଁ। ବିରୋଧୀ ଦଳ ଭାବେ ବିଜେଡି ଯେଉଁଭଳି କାର୍ଯ୍ୟକ୍ରମ କରିବା କଥା କରୁନାହିଁ। ଆଗକୁ ଦଳରୁ ଦୂରେଇ ଯିବେ ବୋଲି ପ୍ରଫୁଲ୍ଲ କହିଛନ୍ତି। ପୂର୍ବରୁ ମଧ୍ୟ କେହି କାହାକୁ ନାଲିଆଖି ଦେଖାଇ ପାରିବେନି ବୋଲି କହିଥିଲେ ପ୍ରଫୁଲ୍ଲ ମଲ୍ଲିକ। କେତେବେଳେ କେଉଁଠି ବସିବେ ସେକଥା ବ୍ୟକ୍ତିଗତ କଥା। କେବଳ ପାର୍ଟି ମିଟିଂ ହେଲେ ଶଙ୍ଖଭବନ ଯିବେ ବୋଲି ସେତେବେଳେ ପ୍ରଫୁଲ୍ଲ କହିଥିଲେ।
କ’ଣ କହିଲେ ବଦ୍ରି ପାତ୍ର?
ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଘସିପୁରା ବିଧାୟକ ବଦ୍ରି ପାତ୍ର। ଦଳ ଦାୟିତ୍ବରେ ଥିବା ଲୋକ ନିଜ ସୀମା ଟପୁଛନ୍ତି। ଫଳରେ ବର୍ତ୍ତମାନ ବିଜେଡିରେ ଦ୍ବନ୍ଦ୍ବ ବଢୁଛି। ଶୀର୍ଷ ନେତୃତ୍ବ ପ୍ରତି ଆସ୍ଥା ସୃଷ୍ଟି କରିପାରୁନଥିବାରୁ ତଳସ୍ତରର କର୍ମୀ ଦଳ ଛାଡୁଥିବା ବଦ୍ରି କହିଛନ୍ତି। ସେହିପରି ଦଳରେ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ଏଣ୍ଚ୍ରିକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି। ବିଜେଡି ଏକ ବଡ଼ ଦଳ ସମୁଦ୍ର ସମାନ। ଅଧିକ ଲୋକ ଗ୍ରହଣ କରିବାକୁ କଣ ଜାଗା ନାହିଁ କି ? ତେବେ କିଏ କେମିତି ରହୁଛି, କିଏ କଣ କରିବା କଥା, କି ଦାୟିତ୍ବ ନେବା କଥା, ସେନେଇ ସ୍ପଷ୍ଟ ହେବା ଉଚିତ୍। ଦଳ ବଢିଲେ ବିବାଦ ବଢିପାରେ, ତେବେ ସମସ୍ତେ ନିଜ ସୀମା ପ୍ରତି ସଚେତନ ହେବା ଦରକାର ବୋଲି ବଦ୍ରି କହିଛନ୍ତି।
ଅଶୋକଙ୍କ ‘ଲକ୍ଷ୍ମଣ ରେଖା’ ବାଣ
ନବୀନ କାହାର ବ୍ୟକ୍ତିଗତ ସଂପତ୍ତି ନୁହଁନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା। ବିଜେଡିର 51ଜଣ ବିଧାୟକ ଅଛନ୍ତି, 2024 ନିର୍ବାଚନରେ 41ପ୍ରତିଶତ ଜନାଦେଶ ଦଳ ସପକ୍ଷରେ ଥିଲା। ତେଣୁ ଦଳକୁ ଅଧିକ ସଂଗଠିତ ହେବାକୁ ହେଲେ ସବୁ ବର୍ଗକୁ ସାଙ୍ଗରେ ନେଇ ଚାଲିବାକୁ ହେବ। କୌଣସି ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଦଳ ଚାଲିପାରିବନି। କେହି ଲକ୍ଷ୍ମଣରେଖା ଡେଇଁବା ଉଚିତ୍ ନୁହେଁ ବୋଲି ଅଶୋକ ପଣ୍ଡା କହିଛନ୍ତି।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ସମୟରେ ପୁଣି ରାଜ୍ୟ ରାଜନୀତିକୁ ଫେରିଛି ପାଣ୍ଡିଆନ ଚର୍ଚ୍ଚା। ପୂର୍ବରୁ ଦେବାଶିଷ ସାମନ୍ତରାୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମତ ନେଇ ଚର୍ଚ୍ଚା ହୋଇଥିବା ବେଳେ ତାଲିକାରେ ବରିଷ୍ଠ ନେତାଙ୍କ ନାଁ ଯୋଡ଼ି ହୋଇଚାଲିଛି। ଓ୍ବକଫ୍ ସଂଶୋଧନ ବିଲକୁ ସମର୍ଥନ ବେଳେ ପ୍ରଥମ ଥର ପାଇଁ ପାଣ୍ଡିଆନ ବିରୋଧୀ ପ୍ରବଳ ଅସନ୍ତୋଷ ସାମନାକୁ ଆସିଥିଲା। ଏବେ ଦିନକୁ ଦିନ ଏହା ବଢିବାରେ ଲାଗିଛି। ବିଜେଡି ଛାଡିଥିବା ନେତା ଆଞ୍ଚଳିକ ଦଳ ଗଠନ କରିବା ନେଇ ଚର୍ଚ୍ଚା ହେବା ପରେ ଅସନ୍ତୁଷ୍ଟ ନେତାଙ୍କ ପାଖରେ ନୂଆ ବିକଳ୍ପ ବି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ନବୀନ କଣ କରିବେ? କେମିତି ନେତାଙ୍କ ଅସନ୍ତୋଷ ଦୂର କରି ସମସ୍ତଙ୍କୁ ଏକଜୁଟ କରିବେ? ତାଉପରେ ନଜର ରହିଛି।
Comments are closed.