Latest Odisha News

BREAKING NEWS

ଯୋଦ୍ଧା ସାଜିବେ ଶ୍ରୀଜୀଉ: ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ଦେବେ ଦର୍ଶନ

ପୁରୀ: ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ ପଡୁଛି ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ତଥା ବିରଳ ନାଗାର୍ଜୁନ ବେଶ । ତିଥି, ନକ୍ଷତ୍ର ଆଧାରରେ ସ୍ଥିର ହୋଇଛି ଦିନ । ପଞ୍ଜିକା ଗଣନା ଅନୁସାରେ ଚଳିତ ୨୦୨୦ ବର୍ଷ ନଭେମ୍ବର ୨୭ ତାରିଖରେ ଏହି ଅଲୌକିକ ବେଶ ଧାରଣ କରିବେ ମହାପ୍ରଭୁ ।

ଦୀର୍ଘ ୨୫ ବର୍ଷ ପରେ ମହାବାହୁଙ୍କ ଏହି ବିରଳ ବେଶ ଦର୍ଶନ କରିବାକୁ ୫ଟି ରଥଯାତ୍ରାରେ ସମାଗମ ହେଉଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ସହ ସମାନ ସଂଖ୍ୟକ ଭକ୍ତଙ୍କ ସମାବେଶ ହେବ ବୋଲି ଆକଳନ କରାଯାଉଛି ।

ଏହି ଅଲୌକିକ ବେଶରେ ଯୋଦ୍ଧା ରୂପରେ ସଜେଇ ହୋଇ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ଲୀଳାମୟଙ୍କ ଏହି ନାଗାର୍ଜୁନ ବେଶକୁ ପର୍ଶୁରାମ ବେଶ ବୋଲି କୁହାଯାଏ।

ଏହି ବେଶର ଶ୍ରୀଜୀଉଙ୍କ ଅଳଙ୍କାର:

-ମହାପ୍ରଭୁଙ୍କ ଅଂଟାରେ ଏକ ନାଗା ତାଟି ଭିଡା ଯାଏ

-ଧନୁଶରପୂର୍ଣ୍ଣ ତୁଣୀ, କଟାରୀ, ଛୁରି, ବାଘ ନଖ, ଏରାପକ୍ଷୀର ପରରେ ସଜ୍ଜିତ କରାଯାଏ

-ବାଘ ଛାଲ, ସିଙ୍ଗଡ଼ା ଏବଂ କଲଫି ଲାଗି ହୋଇଥାଏ

-ଶ୍ରୀ ଜଗନ୍ନାଥ ଏବଂ ବଳଭଦ୍ରଙ୍କ ପାଇଁ ଶ୍ରୀହସ୍ତ ଓ ଶ୍ରୀପୟର ଲାଗି ହୋଇଥାଏ

-ଘାଗଡ଼ା ମାଳି, ପଦ୍ମମାଳି, ହରିଡ଼ା ମାଳି ବାଘ ନଖ ମାଳିରେ ମହାପ୍ରଭୁଙ୍କୁ ସଜ କରାଯାଏ

-ସୁଭଦ୍ରାଙ୍କ ମସ୍ତକରେ ସୁନା ମୁକୁଟ, ଚନ୍ଦ୍ରିକା, କର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ

କେଉଁ ବର୍ଷ ପଡିଥାଏ ଏହି ଦୁର୍ଲଭ ବେଶ:

ପୂର୍ବରୁ ରହିଥିବା ବିଧି ଅନୁସାରେ କାର୍ତିକମାସର ପଞ୍ଚୁକ ପାଞ୍ଚ ଦିନ ପରିବର୍ତେ ୬ ଦିନ ପଡିଲେ ଅର୍ଥାତ ମଳ ପଞ୍ଚୁକ ପଡିଲେ ସେହିବର୍ଷର ଅତିରିକ୍ତ ଦିନ ଅର୍ଥାତ ଷଷ୍ଠ ଦିନରେ ଦ୍ୱାଦଶୀ ତିଥିରେ ଏହି ନାଗାର୍ଜୁନ ବେଶ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ ।

ପୂର୍ବରୁ ୧୯୬୬, ୧୯୬୮, ୧୯୮୩ରେ ନାଗାର୍ଜୁନ ବେଶ ହୋଇଥିବା ବେଳେ ଶେଷଥର ପାଇଁ ୧୯୯୩ ଏବଂ ୧୯୯୪ ମସିହାରେ ମହାପ୍ରଭୁ ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ ।

କେଉଁଭଳି କରାଯିବ ନୀତି:

ଏଥର ୧୯୯୪ ମସିହା ନୀତି ଭଳି ଚଳିତ ବର୍ଷ ଶ୍ରୀମନ୍ଦିରରେ କାର୍ତିକ ପଞ୍ଚୁକର ଦ୍ୱାଦଶୀ ତିଥି ରାତ୍ର ୧୧ଟା ସୁଦ୍ଧା ପହୁଡ ନୀତି କରାଯାଇ ତା ପରଦିନ ଅର୍ଥାତ ନଭେମ୍ବର ୨୭ର ମଧ୍ୟରାତ୍ର ୧ଟାରୁ ଦ୍ୱାରଫିଟା ନୀତି କରି ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ ।

ସକାଳ ୮ଟା ସୁଦ୍ଧା ଅବକାଶ ପରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ କରାଯିବ । ଭୋଗ ମଣ୍ଡପ ପରେ ବେଶ ମଇଲମ ହେବାକୁ ଥିବାରୁ ସେହି ନୀତି ପରେ ଆଉ ନୀତି କରାଯିବ ନାହିଁ ।

ତାପରେ ମଧ୍ୟରାତ୍ର ପର୍ଯ୍ୟନ୍ତ କେବଳ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ପଡୁଥିବାରୁ ମହାପ୍ରଭୁଙ୍କ ଏହି ଦର୍ଶନକୁ ଦେଖିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ପାଖାପାଖି ପ୍ରାୟ ୫୦ ଲକ୍ଷ ଭକ୍ତଙ୍କ ସମାଗମ ପୁରୀରେ ହେବ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.