Latest Odisha News

କ୍ରୁଟ୍‌ର ବିଭିିନ୍ନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଡିଜିଟାଲ ଟିକେଟିଂରେ ମିଳିବ ରିହାତି…

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ସେବାର ଶୁଭାରମ୍ଭ କରିଛନ୍ତି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଆମବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧାମୂଳକ ସେବା ଆରମ୍ଭ ହୋଇଛି।

ଏହି ଅବସରରେ ରାଜ୍ୟ ସରକାର ‘ଜାତୀୟ ଏକକ ଗମନାଗମନ କାର୍ଡ଼’ର ଲୋକାର୍ପଣ କରିଛନ୍ତି। ସେଭଳି ଆମବସ୍ ପାଇଁ ହ୍ୱାଟ୍ସଆପ୍ ଆଧାରିତ ଟିକେଟ୍ ବୁକିଂ ଏବଂ ଡିଜିଟାଲ୍ ଟିକେଟ୍ କ୍ରେତାଙ୍କୁ ରିହାତି ପ୍ରଦାନ କରିଛନ୍ତି। ଏହି ସୁବିଧା ମାଧ୍ୟମରେ ମହିଳା ଯାତ୍ରୀ ମାନଙ୍କ ପାଇଁ ଡିଜିଟାଲ ଟିକେଟିଂରେ ୧୫ ପ୍ରତିଶତ ରିହାତି ଏବଂ ସାଧାରଣ ଯାତ୍ରୀମାନଙ୍କୁ ୧୦% ରିହାତି ମିଳିବ। ସେଭଳି ଡ଼ିଜିଟାଲ୍ ପାସ୍ ବ୍ୟବସ୍ଥା ଅନ୍ୟ ସହରକୁ ସମ୍ପ୍ରସାରଣ କରାଯାଇଛି। ଯାହାଦ୍ୱାରା ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ସହରର ଯାତ୍ରୀମାନେ ଏହି ସୁବିଧାର ଲାଭ ଉଠାଇପାରିବେ।

ଆସନ୍ତୁ ଜାଣିବା ଆଉ କେଉଁ ସବୁ ସୁବିଧା ମିଳିବ…

ୱାନ୍ ନେସନ୍ ୱାନ୍ କାର୍ଡ଼ ସ୍ରୋତରେ ଓଡ଼ିଶା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସାଧାରଣଙ୍କ ଯାତାୟତକୁ ସରଳ କରିବା ପାଇଁ ଆରମ୍ଭ ହୋଇଥିବା ‘ୱାନ୍ ନେସନ୍ ୱାନ୍ କାର୍ଡ଼’ ସ୍ରୋତରେ ଆଜି ଓଡ଼ିଶା ସାମିଲ୍ ହୋଇଛି। ଓଡ଼ିଶାରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ଏୟାର୍‌ଟେଲ୍ ପେମେଣ୍ଟ ବ୍ୟାଙ୍କ୍‌ର ମିଳିତ ସହଯୋଗରେ ଏହା ସଫଳ ହୋଇଛି। ଏହି ଗୋଟିଏ କାର୍ଡ଼ ବ୍ୟବହାର କରି ଓଡ଼ିଶା ରାଜ୍ୟ ଏବଂ ଭାରତର ଅନ୍ୟାନ୍ୟ ବଡ଼ବଡ଼ ସହରରେ ମଧ୍ୟ ଯାତ୍ରୀମାନେ ସହଜରେ ଯାତ୍ରା କରିପାରିବେ। କାର୍ଡ଼ ମୂଲ୍ୟ- ୫୦ ଟଙ୍କା, ପରବର୍ତ୍ତି ସମୟରେ ଏହାର ରି ଇସ୍ୟୁଆନ୍ସ ମୂଲ୍ୟ- ୨୦୦ ଟଙ୍କା ରହିଥିବାବେଳେ ଏହାର ବୈଧତା ୫ ବର୍ଷ ରହିଛି।

ଡିଜିଟାଲ୍ ପାସ୍‌: 

ଜନପରିବହନ ସେବାରେ ଡ଼ିଜିଟାଲୀକରଣକୁ ପ୍ରୋତ୍ସାହନ ଦେବାକୁ ଯାଇ କ୍ରୁଟ୍ ଏହାର ପାସ୍ ସିଷ୍ଟମ୍‌କୁ ପୁନଗର୍ଠନ କରିଛି। ଆମ ବସ୍ ମୋବାଇଲ୍ ଆପ୍ଲିକେସନ୍‌ରେ ଯେଭଳି ଭାବେ ଅନ୍‌ଲାଇନ୍ ପାସ୍ ବ୍ୟବହାର କରୁଥିଲେ ତାହା ପୂର୍ବଭଳି ଅକ୍ଷୁର୍ଣ୍ଣ ରହିବ। ଯେଉଁ ଯାତ୍ରୀମାନେ ମୋବାଇଲ୍ ବ୍ୟବହାର କରୁନାହାନ୍ତି କିମ୍ବା ଆଣ୍ଡ୍ରଏଡ଼୍ ମୋବାଇଲ୍ ନାହିଁ ସେମାନେ ଏହି କାର୍ଡ଼ରେ ପାସ୍ ବ୍ୟବହାର କରିପାରିବେ। ଏହି ପାସ୍ ଆମବସ୍ ଚଳାଚଳ କରୁଥିବା ସମସ୍ତ ସହରରେ ଉପଲବ୍ଧ ହେବ। ଯାହା ଯାତ୍ରାକୁ ଅଧିକ ସରଳ କରିବ।

ହ୍ୱାଟ୍ସଆପ୍ ଆଧାରିତ ଟିକେଟ୍‌:

ଆମବସ୍ ଟିକେଟ୍ ପାଇଁ ହ୍ୱାଟ୍ସଆପ୍ ଟିକେଟିଂ ସେବାର ଶୁଭାରମ୍ଭ ହୋଇଛି। ଅତି ସହଜରେ ଜଣେ ଯାତ୍ରୀ କୌଣସି ସମୟରେ ମଧ୍ୟ ଆମ ବସ୍ ଟିକେଟ୍ ବୁକ୍ କରିପାରିବେ। ହ୍ୱାଟ୍‌ସଆପ୍‌ରେ କ୍ୟାପିଟାଲ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ସର୍ଚ୍ଚ କରି କିମ୍ବା ୯୦୭୮୦୫୦୨୧୮ ନମ୍ବରରେ କୈାଣସି ଏକ ମେସେଜ୍ ପଠାଇ ଅତି ସହଜରେ ଆମ ବସ୍ ଟିକେଟ୍ ବୁକ୍ କରିପାରିବେ।

ଓଡ଼ିଶା ଯାତ୍ରୀ ଆପ୍ ମାଧ୍ୟମରେ ଆମବସ୍ ଟିକେଟ୍ ବିକଳ୍ପ: 

ଏବେ ଓଡ଼ିଶା ଯାତ୍ରୀ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଆମ ବସ୍ ଟିକେଟ୍ ବୁକିଂ କରିହେବ। ଏହାଦ୍ଵାର ଯାତ୍ରୀମାନଙ୍କ ପ୍ରତ୍ୟେକ ଯାତ୍ରାକୁ ଅଧିକ ସୁବିଧାଜନକ କରିହେବ।

ଏନ୍‌ସିଏମ୍‌ସି କାର୍ଡ଼ ଉପଲବ୍ଧତା:

ସାଧାରଣତଃ ଭୁବନେଶ୍ୱର କ୍ରୁଟ୍ ମୁଖ୍ୟ କାର୍ଯ୍ୟାଳୟ (ପଟିଆ), ବିଏସ୍‌ଏବିଟି ଏବଂ ଓଡ଼ି ଟର୍ମିନାଲ୍ ମାଷ୍ଟରକ୍ୟାଣ୍ଟିନ୍‌, କଟକ ସିଏନ୍‌ବିଟି, ପୁରୀ ବସ୍ ଷ୍ଟାଣ୍ଡ, ରାଉରକେଲା ବସ୍‌ଷ୍ଟାଣ୍ଡ, ସମ୍ବଲପୁର ଅଇଁଠାପାଲି ବସ୍‌ଷ୍ଟାଣ୍ଡ, ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଏହି କାର୍ଡ଼ କ୍ରୟ କରିପାରିବେ ଯାତ୍ରୀ।

ରାଜ୍ୟ ସ୍ତରୀୟ ଏହି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଏବଂ ଏଚ୍‌ୟୁଡ଼ି ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ସମେତ ବିଭାଗର ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.