Latest Odisha News

BREAKING NEWS

Nepal GenZs Protests: କାହିଁକି ଜଳୁଛି ନେପାଳ?

ନୂଆଦିଲ୍ଲୀ: ନେପାଳ ଯୁବକଙ୍କ କ୍ରୋଧରେ ଜଳୁଛି ନେପାଳ । ନେପାଳରେ ସରକାରଙ୍କ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଯୁବକମାନେ ଶାନ୍ତ ହେଉନାହାଁନ୍ତି । ଅଧିକରୁ ଅଧିକ ହିଂସାତ୍ମକ ହେବାରେ ଲାଗିଛନ୍ତି । ପ୍ରତିବାଦକାରୀ ଯୁବକମାନେ ନେପାଳ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନରୁ ନେଇ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ କାର୍ଯ୍ୟାଳୟ ଏବଂ ବାସଭବନ ଭିତରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି ପ୍ରତିବାଦକାରୀ । ସ୍ଥିତି ଏବେ ଏମିତି ଯେ ସୋମବାର ଗୃହମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଆଜି ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି ଶେଷରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହିତ କୃଷି ମନ୍ତ୍ରୀ ରାମନାଥ ଅଧିକାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ପାଉଡେଲ ଏବଂ ମହିଳା ବିକାଶ ମନ୍ତ୍ରୀ ନବ କିଶୋରଙ୍କ ସମେତ ନେପାଳ ସରକାରଙ୍କ ଅନେକ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି। ତଥାପି ସ୍ଥିତି ଅଣାୟତ୍ତ ଥିବାବେଳେ ଅନେକ ନେତା ମନ୍ତ୍ରୀଙ୍କୁ ଏବେ ଏୟାରଲିଫ୍ଟ ମଧ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ ଓଲି ଏବଂ ଅନ୍ୟ ମନ୍ତ୍ରୀମାନେ ଦେଶ ଛାଡି ପଳାୟନ କରିଥିବା କୁହାଯାଉଛି ।  

ଜଳୁଛି ନେତା ମନ୍ତ୍ରୀଙ୍କ ଘର

ଯୁବବର୍ଗଙ୍କ କ୍ରୋଧରେ ଏବେ ଜଳୁଛି ନେପାଳ । କାଠମାଣ୍ଡୁର ରାସ୍ତାରେ କ୍ରୋଧ ଏପରି ଯେ ପ୍ରତିବାଦକାରୀମାନେ ନେପାଳର ଅର୍ଥମନ୍ତ୍ରୀଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏବେ ନେପାଳର ଯୁବକଙ୍କ କ୍ରୋଧରେ ସଂସଦ ଭବନଠାରୁ ଆରମ୍ଭ କରି ନେପାଳର ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ବାସଭବନ ପର୍ଯ୍ୟନ୍ତ ସବୁକିଛି ଜଳୁଛି । ତେବେ ଏହି କ୍ରୋଧ କେବଳ ସରକାରଙ୍କ ବିରୋଧରେ ନୁହେଁ । ବରଂ ସମସ୍ତ ଦଳର ନେତା ଦେଶର ଜେନ ଜିଙ୍କ ଟାର୍ଗେଟରେ ଅଛନ୍ତି। ନେପାଳୀ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟ ଜଳାଇ ଦିଆଯାଇଛି । ନେପାଳରେ, ପ୍ରତିବାଦକାରୀମାନେ ପ୍ରତ୍ୟେକ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟାଳୟ ଏବଂ ନେତାଙ୍କ ଘରକୁ ମଧ୍ୟ ଟାର୍ଗେଟ କରୁଛନ୍ତି। ପ୍ରଦର୍ଶନକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ, ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ, ଶେର ବାହାଦୁର ଦେଉବା, ଗୃହମନ୍ତ୍ରୀ ରମେଶ ଲେଖକ ଏବଂ ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗଙ୍କ ଘର ମଧ୍ୟ ଭଙ୍ଗାରୁଜା କରି ନିଆଁ ଲଗାଇଦେଇଛନ୍ତି । କମ୍ୟୁନିଷ୍ଟ ପାର୍ଟି ଅଧ୍ୟକ୍ଷଙ୍କ ଘରକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି ।

କାହିଁକି ହିଂସାତ୍ମକ ହୋଇଉଠିଛନ୍ତି ନେପାଳ ଜେନ ଜେଡ୍?

କିଛି ଦିନ ପୂର୍ବରୁ ନେପାଳରେ ଦୁର୍ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ସରକାର ସେମାନଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ମନା କରିଦେଇଥିଲେ । ଯାହା ପରେ, ପ୍ରତିବାଦ ଅଧିକ ହିଂସାତ୍ମକ ହୋଇଥିଲା । ହେଲେ ଏହି ପ୍ରତିବାଦକୁ ଆହୁରି ଇନ୍ଧନ ଦେଇଥିଲା ସରକାରଙ୍କ ସୋସିଆଲ ମିଡିଆ ବ୍ୟାନ ନିଷ୍ପତ୍ତି । ନେପାଳ ସରକାରଙ୍କ ଦ୍ୱାରା ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ ଏବଂ ୟୁଟ୍ୟୁବ୍ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁଥିରେ ଉତ୍ୟେକ୍ତ ହୋଇ ଦେଶର ଯୁବବର୍ଗ ସଂସଦ ଭବନ ଆଡକୁ ମୁହାଁଇଥିଲେ । ଆଉ ପରିସ୍ଥିତି ଖରାପ ହେଉଥିବା ଦେଖି, ସରକାରଙ୍କୁ ବାଧ୍ୟ ହୋଇ ସୋମବାର ବିଳମ୍ବିତ ସନ୍ଧ୍ୟାରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ପ୍ରତ୍ୟାହାର କରିବାକୁ ପଡିଥିଲା । ହେଲେ ଏଥିରେ ବି ଶାନ୍ତ ହୋଇନାହାନ୍ତି ଜେନ ଜେଡ୍ । ନେପାଳର ଅନେକ ସେଲିବ୍ରିଟି ମଧ୍ୟ ପ୍ରତିବାଦକାରୀଙ୍କୁ ସମର୍ଥନ କରିଛନ୍ତି। ସେମାନେ କହିଛନ୍ତି ଯେ ସରକାର ଯୁବପିଢ଼ିଙ୍କ ଭାବନାକୁ ସମ୍ମାନ ଦେବା ଉଚିତ। ଏହି ପ୍ରତିବାଦରେ ଅଧିକାଂଶ ଯୁବକ ୨୦ ରୁ ୨୫ ବର୍ଷ ବୟସର ହୋଇଥିବାରୁ ଏହାକୁ ଜେନ-ଜେଡ୍ ପ୍ରତିବାଦ କୁହାଯାଉଛି। ପ୍ରତିବାଦକାରୀମାନେ କହିଛନ୍ତି ଯେ ଏହି ପ୍ରତିବାଦ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ବିରୁଦ୍ଧରେ ନୁହେଁ ବରଂ ଦୁର୍ନୀତି ଏବଂ ପରିବାରବାଦ ବିରୁଦ୍ଧରେ, ଏହି ପ୍ରତିବାଦ କେପି ଓଲି ଇସ୍ତଫା ଦେବା ଏବଂ ସରକାର ପତନ ହେବା ପର୍ଯ୍ୟନ୍ତ ଜାରି ରହିବ ।

ସୋମବାର ଦିନ ଆରମ୍ଭ ହୋଇଥିବା ହିଂସାତ୍ମକ ପ୍ରତିବାଦରେ ଏବେ ପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି । ନେପାଳରେ ନିରନ୍ତର ଉଗ୍ର ହେଉଥିବା ଯୁବ ପ୍ରତିବାଦ ଏବଂ ରାଜନୈତିକ ଚାପ ବୃଦ୍ଧି ପାଇବ ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି । କୁହାଯାଉଛି ଇସ୍ତଫା ପୂର୍ବରୁ ସେନା ମୁଖ୍ୟ ଅଶୋକ ରାଜ ସିଗଡେଲ ଓଲିଙ୍କୁ ପଦ ଛାଡିବାକୁ ପରାମର୍ଶ ଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ପଦ ଛାଡିବା ପରେ ମଧ୍ୟ ନେପାଳରେ ଅନିଶ୍ଚିତତାର ବାତାବରଣ ରହିଛି। ପ୍ରଦର୍ଶନକାରୀଙ୍କ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ନେତାଙ୍କ ନାମ ଘୋଷଣା କରାଯାଇ ନାହିଁ। ତଥାପି କୁହାଯାଉଛି ବର୍ତ୍ତମାନ ସ୍ଥିତି ଅଣାୟତ୍ତ ହୋଇଥିବାରୁ ସେନା ନେପାଳର ଶାସନ ଭାର ହାତକୁ ନେଇପାରେ ।

ଅନ୍ୟପଟେ ନେପାଳ ମାମଲା ସମ୍ପର୍କରେ ଭାରତରୁ ଏକ ସରକାରୀ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଭାରତ କହିଛି ଯେ ଭାରତ ନେପାଳର ପରିସ୍ଥିତି ଉପରେ ନଜର ରଖିଛି। ବିଦେଶ ମନ୍ତ୍ରଣାଳୟ କହିଛି ଯେ ପ୍ରତିବାଦରେ ଯୁବକଙ୍କ ମୃତ୍ୟୁ ଦୁଃଖଦ। ଏହି ପ୍ରସଙ୍ଗଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉଚିତ।

https://youtu.be/JBbEZ3B9V7w?si=e945CAS-Vx2paSjN

Comments are closed.