Latest Odisha News

BREAKING NEWS

Truck Runs Over Ganesh Visarjan Devotees:ଗଣେଶ ଭସାଣ ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌; ୮ ମୃତ, ୨୦ ଗୁରୁତର

ନୂଆଦିଲ୍ଲୀ: ଗଣେଶ ମହୋତ୍ସବ ମଧ୍ୟରେ କର୍ଣ୍ଣାଟକର ହସନ ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ଆସିଛି। ଶୁକ୍ରବାର ରାତିରେ ଏଠାକାର ଏକ ଗାଁରେ ଗଣେଶ ବିସର୍ଜନ ଶୋଭାଯାତ୍ରା ଉପରେ ଏକ ଅନିୟନ୍ତ୍ରିତ ଟ୍ରକ୍ ମାଡ଼ିଗଲା । ଶୋଭାଯାତ୍ରାରେ ସାମିଲ ଥିବା ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି । ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ, ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ସୂଚନାନୁସାରେ, ଗଣେଶ ବିସର୍ଜନ ଶୋଭାଯାତ୍ରାରେ ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରୁଥିଲେ ଏବଂ ନାଚୁଥିଲେ, ଠିକ୍ ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରକ ଲୋକଙ୍କ ଉପରେ ଚଢ଼ିଗଲା। ଦୁର୍ଘଟଣାଟି ହସନ-ମହୀଶୂର ଜାତୀୟ ରାଜପଥ-୩୭୩ ରେ ଘଟିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ରାଜପଥର ଗୋଟିଏ ପାର୍ଶ୍ୱରେ ହଜାର ହଜାର ଲୋକଙ୍କ ଭିଡ଼ ଗଣେଶ ଉତ୍ସବ ପାଳନ କରୁଥିଲା, ଅନ୍ୟ ପାର୍ଶ୍ୱରେ ଯାନବାହନ ଯାଉଥିଲା। ହଠାତ୍ ଏକ ଟ୍ରକ ନିୟନ୍ତ୍ରଣ ହରାଇ ଡିଭାଇଡର୍ ପାର ହୋଇ ସିଧା ଲୋକଙ୍କ ଉପରକୁ ମାଡ଼ିଗଲା।

ଦୁର୍ଘଟଣା ପରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି।

Comments are closed.