କେରଳ: କେରଳରେ ବର୍ତମାନ “ମସ୍ତିଷ୍କକୁ ଖାଉଥିବା ଆମିବା” ରୋଗ ଚାରିଆଡେ ବ୍ୟାପିବାରେ ଲାଗିଛି। ପ୍ରାଥମିକ ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ (PAM) ମାମଲାରେ ତୀବ୍ର ବୃଦ୍ଧି ଦେଖି କେରଳ ସ୍ୱାସ୍ଥ୍ୟ ଅଧିକାରୀମାନେ ବର୍ତମାନ ହାଇ ଆଲର୍ଟ ଜାରି କରିଛନ୍ତି।
ତେବେ ଏହା ହେଉଛି ନେଗ୍ଲେରିଆ ଫାଉଲେରି ଦ୍ୱାରା ହେଉଥିବା ଏକ ମାରାତ୍ମକ ମସ୍ତିଷ୍କ ସଂକ୍ରମଣ। ବର୍ତମାନ ସୁଦ୍ଧା ୬୯ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୧୯ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏହାକୁ ନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସତର୍କ ସୂଚନା ଜାରି କରିଛନ୍ତି। ଏହି ସଂକ୍ରମଣ ପ୍ରାରମ୍ଭରେ କୋଝିକୋଡ ଏବଂ ମାଲାପ୍ପୁରମ ଭଳି ଜିଲ୍ଲାରେ ଚିହ୍ନଟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସାରା ରାଜ୍ୟରେ ଏହାର ଭିନ୍ନ ଭିନ୍ନ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ଏହି ରୋଗ ଖାସ କରି ତିନି ମାସର ଶିଶୁଠାରୁ ଆରମ୍ଭ କରି ୯୧ ବର୍ଷ ବୟସ୍କଙ୍କ ମଧ୍ୟରେ ଦେଖିବାକୁ ମିଳୁଛି।
ଏହି ରୋଗ ସଂକ୍ରମଣ ହେବା ପରେ ବଞ୍ଚିବାର ହାର ୨୪% ରହିଥିବା ବେଳେ ବିଶ୍ୱରେ ଏହାର ହାର ମାତ୍ର ୩% ଅଟେ। ଆମିବା ନାକ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ। ବିଶେଷକରି ଦୂଷିତ ପାଣି ମାଧ୍ୟମରେ ଏହା ବ୍ୟାପିଥାଏ। ଏହା ପରେ ମସ୍ତିଷ୍କରେ ପହଞ୍ଚିବା ଫଳରେ ଗମ୍ଭୀର ପ୍ରଭାବ ଶରୀର ଉପରେ ପଡିଥାଏ। ଏଥିରେ ମୁଣ୍ଡବିନ୍ଧା, ଜ୍ୱର ଓ ବାନ୍ତି ହୋଇଥାଏ। ପରେ ଏହା ଶରୀରକୁ ଆକ୍ରମଣ କରି ଚେତାଶୂନ୍ୟ କରିଦେଇଥାଏ।
ଏହି ରୋଗରୁ ରକ୍ଷା ପାଇବା ପାଇଁ ସରକାର କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଯେଉଁଥିରେ ପୋଖରୀ କିମ୍ବା ହ୍ରଦ ଭଳି ସ୍ଥିର ଜଳ ମାନଙ୍କରେ ଗାଧେଇବାକୁ ବାରଣ କରାଯାଇଛି। ଏଥିସହିତ ମଧୁର ଜଳରେ ପ୍ରବେଶ କରିବା ସମୟରେ ନାକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୂଅ ଏବଂ ପାଣି ଟାଙ୍କିରେ କ୍ଲୋରିନ୍ ପକାଇବା ସହ ପରିଷ୍କାର ପରିଚ୍ଛନ୍ନତାକୁ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ଏଥିସହିତ ସ୍ଥିର ପାଣି ସଂସ୍ପର୍ଶରେ ଆସିବା ପରେ ଯଦି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରୀ ସହାୟତା ନେବାକୁ ମଧ୍ଯ ନିର୍ଦ୍ଦେଶ ଦିଆଯାଇଛି।
Comments are closed.