ଦିନକରେ ପ୍ରାୟ ୧.୫ କୋଟି ଚାରା ରୋପଣ କରି ଓଡିଶା ସାଉଁଟିଲା ସାରା ବିଶ୍ୱରୁ ପ୍ରଶଂସା
୧୪ ଲକ୍ଷରୁ ଅଧିକ ଚାରା ରୋପଣ କରି ତାଲିକାର ଶୀର୍ଷରେ ସୁନ୍ଦରଗଡ଼ ଜିଲ୍ଲା
ଭୁବନେଶ୍ୱର: ଏକ ଅନନ୍ୟ ଇତିହାସ ଏବଂ ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ଆଜି ଓଡିଶା । ମାତ୍ର ୧୨ ଘଣ୍ଟା ଭିତରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ଦେଖେଇଛନ୍ତି। ସେପ୍ଟେମ୍ବର ୧୭, ୨୦୨୫ ତାରିଖ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱ ଇତିହାସରେ ସ୍ଵର୍ଣ୍ଣଅକ୍ଷରରେ ଲିପିବଦ୍ଧ ହୋଇ ରହିବ।
“ଏକ ପେଡ୍ ମା କେ ନାମ ଦ୍ୱିତୀୟ ସଂସ୍କରଣ” ଅଭିଯାନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିବସ ଅବସରରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ୭୫ ଲକ୍ଷ ଚାରା ରୋପଣ କରିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ କରିଥିଲେ। ଏହି ଆହ୍ୱାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରି ଓଡ଼ିଶାବାସୀ ଆଜି ଅପରାହ୍ନ ୪.୩୦ ସୁଦ୍ଧା ୧,୪୯,୧୧,୩୩୯ ଚାରା ରୋପଣ କରି କେବଳ ଭାରତ ବର୍ଷ ନୁହଁ, ବିଶ୍ୱ ରେକର୍ଡ ସ୍ଥାପନ ପୂର୍ବକ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେଥିପାଇଁ ସମ୍ପୃକ୍ତ ସମସ୍ତ ବିଭାଗ, ସ୍ବେଛାସେବୀ ଅନୁଷ୍ଠାନ, ଛାତ୍ର-ଛାତ୍ରୀ, ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କୁ ବିଭାଗ ପକ୍ଷରୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏହା ପୂର୍ବରୁ ମଧ୍ୟପ୍ରଦେଶ ସରକାର ଗୋଟିଏ ଦିନରେ ୧୧ ଲକ୍ଷ ଚାରା ରୋପଣ କରି ରେକର୍ଡ ସୃଷ୍ଟି କରିଥିଲା। ତା’ପୂର୍ବରୁ ଆସାମ ସରକାର ଗୋଟିଏ ଦିନରେ ୯ ଲକ୍ଷ ୨୬ ହଜାର ଚାରା ରୋପଣ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା। କିନ୍ତୁ ଆଜି ଓଡିଶା ମାତ୍ର କେଇ ଘଣ୍ଟା ଭିତରେ ୧.୫ କୋଟି ଚାରା ରୋପଣ କରି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି।
ସଂଖ୍ୟାଦୃଷ୍ଟିରୁ ବିରଳ ରେକର୍ଡ କରିବା, ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ଓ ଅନ୍ୟ ରାଜ୍ୟ ପାଇଁ ଦୃଷ୍ଟାନ୍ତ ସାଜିବା ଓଡିଶା ସରକାରଙ୍କ ପାଇଁ ଗୌରବର କଥା।
ଆଜି ଅପରାହ୍ନ ୪.୩୦ ସୁଦ୍ଧା, ୩୦ଟି ଜିଲ୍ଲାରେ ମୋଟ ୧,୪୯,୧୧,୩୩୯ ଚାରା ସଫଳତାର ସହିତ ରୋପଣ କରାଯାଇଛି । ୭୧,୯୨୪ଟି ପୂର୍ବ ନିର୍ଦ୍ଧାରିତ ସ୍ଥାନ ସମେତ ରାଜ୍ୟବ୍ୟାପୀ ଏହି ସଘନ ଚାରା ରୋପଣ କାର୍ଯ୍ୟ ସମାହିତ ହୋଇଛି ।
ସୁନ୍ଦରଗଡ଼ ଜିଲ୍ଲା ୧୪,୨୧,୬୧୮ ଚାରା ରୋପଣ ସହ ଏହି ଅଭିଯାନରେ ଶୀର୍ଷରେ ରହିଛି । କୋରାପୁଟ ୧୧,୦୧,୬୨୪ ଚାରା ରୋପଣ ସହିତ ଦ୍ଵିତୀୟ ଏବଂ କେନ୍ଦୁଝର ୧୦,୪୨,୯୨୭ ଚାରା ରୋପଣ ସହିତ ତୃତୀୟ ସ୍ଥାନରେ ରହିଛି । ମୟୁରଭଞ୍ଜ ୯,୧୭,୬୫୯ ଏବଂ ଏବଂ କଳାହାଣ୍ଡି ୭,୬୭,୫୧୦ ଚାରା ରୋପଣ ସହିତ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ୧,୩୧,୮୮୫ ଚାରା ରୋପଣ ସହିତ ଦେବଗଡ ତାଲିକାର ଶେଷରେ ରହିଛି।
Comments are closed.