କୋରାପୁଟ: ଆନ୍ଧ୍ର ପ୍ରଦେଶ ରାଜ୍ୟ ନିର୍ବାଚନ କମିଶନ (APSEC) ଓଡ଼ିଶାର କୋରାପୁଟ ଜିଲ୍ଲା ସୀମାନ୍ତ କୋଟିଆ ଅଞ୍ଚଳରେ ନିର୍ବାଚନ ତାରିଖ ବଦଳାଇଛନ୍ତି। ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ନଭେମ୍ବର ୩, ୨୦୨୬ରେ ZPTC ଓ MPTC (ଜିଲ୍ଲା ପରିଷଦ ଏବଂ ସମିତି ସଭ୍ୟ) ପାଇଁ ନିର୍ବାଚନ ହେବାର ଥିଲା । କିନ୍ତୁ ଆନ୍ଧ୍ର ପ୍ରଦେଶର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ନିର୍ବାଚନର ଭୋଟ ଗଣତି ତାରିଖ ମଧ୍ୟ ସେହି ନଭେମ୍ବର ୩ ତାରିଖରେ ପଡ଼ୁଥିବାରୁ, ସୁରକ୍ଷା ବ୍ୟବସ୍ଥା ଏବଂ ନିର୍ବାଚନ କର୍ମଚାରୀଙ୍କ ପରିଚାଳନାଗତ ସମସ୍ୟାକୁ ଏଡ଼ାଇବା ପାଇଁ ଏହି ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ବର୍ତ୍ତମାନ ଏହି ନିର୍ବାଚନ ନଭେମ୍ବର ୫, ୨୦୨୬ (ଗୁରୁବାର) ଦିନ ଅନୁଷ୍ଠିତ ହେବ। ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନ ନିଜର ସଂଶୋଧିତ ନିର୍ବାଚନ ବିଜ୍ଞପ୍ତି (Notification No. 905/SEC-B1/2026) ଜରିଆରେ ଏହି ନିଷ୍ପତ୍ତିକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ, କୋଟିଆର ପ୍ରାୟ ୨୧ଟି ବିବାଦୀୟ ଗ୍ରାମ ଉପରେ ଓଡ଼ିଶା ଓ ଆନ୍ଧ୍ର ଉଭୟ ଦାବି କରିଆସୁଥିବା ବେଳେ ଆନ୍ଧ୍ରର ଏହି ନିର୍ବାଚନ ନିଷ୍ପତ୍ତିକୁ ଓଡ଼ିଶା ସରକାର ତୀବ୍ର ବିରୋଧ କରିଛନ୍ତି ଏବଂ ଏହା ବିରୋଧରେ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ କୋର୍ଟ ଅବମାନନା ମାମଲା ରୁଜୁ କରିଛନ୍ତି।
ସୂଚନା ଥାଉକି, କୋଟିଆରେ ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନ କରାଇବାକୁ ଆନ୍ଧ୍ରର ପଦକ୍ଷେପକୁ ନେଇ ଓଡ଼ିଶା ଆପତ୍ତି ଉଠାଇଛି। ଗୋଟିଏ ଅଞ୍ଚଳରେ ଦୁଇଟି ଭିନ୍ନ ପ୍ରଶାସନିକ ବ୍ୟବସ୍ଥା ଅଧୀନରେ ପ୍ରତିନିଧି ରହିବା ପ୍ରସଙ୍ଗ ଉଠାଇ ଏହା ପଞ୍ଚାୟତ ଓ ଅନ୍ୟାନ୍ୟ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଅଭିଯୋଗ କରାଯାଇଛି। ଏହି ମାମଲାରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବେ ବୋଲି କୁହାଯାଇଛି। ଏଥିରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଜି. ସାଇ ପ୍ରସାଦ, ନିର୍ବାଚନ କମିଶନ ଅନିଲ ଚନ୍ଦ୍ର ପୁନେଠା, ଗୃହ ସଚିବ କୁମାର ବିଶ୍ୱଜିତ୍, ପଞ୍ଚାୟତିରାଜ ସଚିବ, ମୁତାଲା ରାଜୁ, ପଞ୍ଚାୟତିରାଜ ନିର୍ଦ୍ଦେଶକ ଭି. ଆର୍. କେ. ତେଜା, ପାର୍ବତୀପୁରମ୍ ମନ୍ୟମ ଜିଲ୍ଲାପାଳ ଏନ୍. ପି. ରବିଶଙ୍କର ରେଡ୍ଡୀ ପ୍ରମୁଖଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର ହୋଇଛି। ୧୯୩୬ ମସିହାରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି।

