Latest Odisha News

BREAKING NEWS

ଓଡ଼ିଶାର ୫ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ, ୩୦୦ ପାର୍‌ କରୁଛି ଏକ୍ୟୁଆଇ

୨୮ଟି ସ୍ଥାନରେ ମନିଟରିଂ, ଶିଳ୍ପାଞ୍ଚଳରେ ବଢ଼ୁଛି ପ୍ରଦୂଷଣ ଚିନ୍ତା

ଭୁବନେଶ୍ୱର(ଅଭିନୟ ଆଦିତ୍ୟ ନାୟକ ): ରାଜ୍ୟରେ ବାୟୁ ପ୍ରଦୂଷଣ ଏବେ ଚିନ୍ତାର କାରଣ ପାଲଟିଛି। ବାୟୁର ଗୁଣବତ୍ତା ଉପରେ ନଜର ରଖିବା ପାଇଁ ୨୮ଟି ସ୍ଥାନରେ ମନିଟରିଂ କରାଯାଉଥିବା ବେଳେ ୫ଟି ସହରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବା ଚିନ୍ତା ବଢ଼ାଇଛି। ଭୁବନେଶ୍ୱରର କ୍ୟାପିଟାଲ ପୋଲିସ ଷ୍ଟେସନ ଅଞ୍ଚଳ, ତାଳଚେର, ଯାଜପୁର ଜିଲ୍ଲାର କଳିଙ୍ଗନଗର, ଝାରସୁଗୁଡ଼ା ଓ ସମ୍ବଲପୁରରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଏହି ସ୍ଥାନଗୁଡ଼ିକ ମଧ୍ୟରୁ ଅନେକ ଅଞ୍ଚଳରେ ଶିଳ୍ପାନୁଷ୍ଠାନର ଘନତା ଅଧିକ ଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ଏକ ବଡ଼ ଆହ୍ୱାନ ପାଲଟିଛି। ବାୟୁର ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦ ଅତିକ୍ରମ କରିବା ଘଟଣା ପରିସ୍ଥିତିର ଗମ୍ଭୀରତାକୁ ସୂଚାଉଛି। ଏପରି ସ୍ଥିତିରେ ଶିଳ୍ପାନୁଷ୍ଠାନଗୁଡ଼ିକର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସାଧାରଣ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ ପଡ଼ିବ। ବିଶେଷକରି ଶୀତ ଋତୁରେ ପାଣିପାଗର ସ୍ଥିତି, ବାୟୁର ବେଗ ଓ ଧୂଳିକଣାର ପ୍ରଭାବ ଯୋଗୁଁ ପ୍ରଦୂଷଣର ସମସ୍ୟା ଅଧିକ ଅନୁଭୂତ ହୋଇପାରେ।

ଶିଳ୍ପାଞ୍ଚଳରେ ପ୍ରଦୂଷଣର ପ୍ରଭାବ

ଓଡ଼ିଶାରେ ଖଣି, କୋଇଲା ଉତ୍ତୋଳନ, ଇସ୍ପାତ ଓ ଅନ୍ୟାନ୍ୟ ଭାରୀ ଶିଳ୍ପର ବିସ୍ତାର ହୋଇଛି। ଏହା ରାଜ୍ୟର ଅର୍ଥନୀତିକୁ ଅବଦାନ ଦେଉଥିବା ବେଳେ ଶିଳ୍ପାଞ୍ଚଳରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। କୋଇଲା ଓ ଖଣିଜ ପଦାର୍ଥ ପରିବହନ କରୁଥିବା ଭାରୀ ଯାନ, କଳକାରଖାନାରୁ ନିର୍ଗତ ଧୂଆଁ, ରାସ୍ତାର ଧୂଳି ଏବଂ ନିର୍ମାଣ କାର୍ଯ୍ୟ ପ୍ରଦୂଷଣର ମାତ୍ରା ବଢ଼ାଇପାରେ।

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଶିଳ୍ପାଞ୍ଚଳର ବାୟୁ ପ୍ରଦୂଷଣକୁ ନେଇ ମଧ୍ୟ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଥିଲା। ଏକ ରିପୋର୍ଟ ଅନୁଯାୟୀ ଜାନୁଆରୀ ୨୦୨୬ର ଏକ ରିପୋର୍ଟ ଅନୁଯାୟୀ, ରେଙ୍ଗାଲି ଅଞ୍ଚଳରେ PM10ର ହାରାହାରି ସାନ୍ଦ୍ରତା ଘନମିଟର ପ୍ରତି ୪୧୮ ମାଇକ୍ରୋଗ୍ରାମ୍‌ ରେକର୍ଡ ହୋଇଥିବା ଉଲ୍ଲେଖ ରହିଥିଲା। ଖଣି, ଶିଳ୍ପାନୁଷ୍ଠାନ, ପଥର କ୍ରସର୍‌ ଓ ଭାରୀ ଯାନ ଚଳାଚଳ ଯୋଗୁଁ ଏଭଳି ଅଞ୍ଚଳରେ ଧୂଳିକଣା ନିୟନ୍ତ୍ରଣ ଏକ ବଡ଼ ଆହ୍ୱାନ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।

ଏହି ପରିସ୍ଥିତିରେ ଶିଳ୍ପାଞ୍ଚଳରେ ପ୍ରଦୂଷଣର ଉତ୍ସ ଚିହ୍ନଟ କରିବା ସହ ନିୟମିତ ଯାଞ୍ଚ ଉପରେ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି । ସମ୍ବଲପୁରର ମାନସ ବହିଦାରଙ୍କ କହିବା ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁଁ ଏବେ ବାହାରକୁ ଯିବା ସମୟରେ ମୁହଁରେ କିଛି ନ ବାନ୍ଧି ଯିବା କଷ୍ଟକର ହୋଇପଡ଼ିଛି। ବିଶେଷକରି ଶୀତ ଦିନେ ସ୍ଥିତି ଆହୁରି ଅସୁବିଧାଜନକ ହୋଇଥାଏ। ତାଙ୍କ ମତରେ, ଅଞ୍ଚଳରେ ରହିଥିବା ଶିଳ୍ପାନୁଷ୍ଠାନଗୁଡ଼ିକର କାର୍ଯ୍ୟକଳାପ ମଧ୍ୟ ଏହି ସମସ୍ୟାର ଏକ କାରଣ। ଶୀତ ଋତୁରେ ବାୟୁର ବେଗ କମିବା ଓ ପାଣିପାଗର ପରିବର୍ତ୍ତନ ଯୋଗୁଁ ପ୍ରଦୂଷକ କଣିକା ବାୟୁମଣ୍ଡଳରେ ଅଧିକ ସମୟ ରହିପାରେ। ଏଭଳି ସ୍ଥିତିରେ ଶିଶୁ, ବୟସ୍କ ବ୍ୟକ୍ତି ଏବଂ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ଥିବା ଲୋକମାନେ ଅଧିକ ସତର୍କ ରହିବା ଆବଶ୍ୟକ।

ଏକ୍ୟୁଆଇ ୩୦୦ ପାର୍‌ କଲେ ସ୍ୱାସ୍ଥ୍ୟ ପ୍ରତି ବିପଦ

ବାୟୁର ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ହେଉଛି ବାୟୁ କେତେ ପ୍ରଦୂଷିତ ତାହା ଜଣାଇବାର ଏକ ମାପକ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାନଦଣ୍ଡ ଅନୁଯାୟୀ, ଏକ୍ୟୁଆଇ ୨୦୧ରୁ ୩୦୦ ମଧ୍ୟରେ ରହିଲେ ଏହାକୁ ‘ଖରାପ’ ଏବଂ ୩୦୧ରୁ ୪୦୦ ମଧ୍ୟରେ ରହିଲେ ‘ଅତ୍ୟନ୍ତ ଖରାପ’ ଶ୍ରେଣୀରେ ରଖାଯାଏ। ଏଭଳି ବାୟୁରେ ଦୀର୍ଘ ସମୟ ରହିବା ଦ୍ୱାରା ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଦେଇପାରେ। ପ୍ରଦୂଷଣର ମାତ୍ରା ଅଧିକ ଥିବା ସମୟରେ ଅତ୍ୟଧିକ ବାହାର କାର୍ଯ୍ୟକଳାପରୁ ଦୂରେଇ ରହିବା ଆବଶ୍ୟକ ହେଲେ ଉପଯୁକ୍ତ ମାସ୍କ ବ୍ୟବହାର କରିବା ଏବଂ ଶ୍ୱାସକ୍ରିୟାରେ ଅସୁବିଧା ହେଲେ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ।

୨୮ଟି ସ୍ଥାନରେ ମନିଟରିଂ ତଥାପି ନିୟନ୍ତ୍ରଣ ଉପରେ ପ୍ରଶ୍ନ

ରାଜ୍ୟରେ ବାୟୁର ଗୁଣବତ୍ତା ଉପରେ ନଜର ରଖିବା ପାଇଁ ମନିଟରିଂ ବ୍ୟବସ୍ଥା ରହିଛି। ତେବେ କେବଳ ମନିଟରିଂ କରିବା ଯଥେଷ୍ଟ ନୁହେଁ ଏହାର ତଥ୍ୟ ଆଧାରରେ ପ୍ରଦୂଷଣର ଉତ୍ସ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବା ମଧ୍ୟ ଜରୁରୀ।

ଶିଳ୍ପାନୁଷ୍ଠାନ ସହ ଲୋକଙ୍କ ସଚେତନତା ମଧ୍ୟ ଜରୁରୀ

ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ବିଜ୍ଞାନୀ ନିରଞ୍ଜନ ମଲ୍ଲିକ କହିଛନ୍ତି ଯେ, ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଶିଳ୍ପାନୁଷ୍ଠାନଗୁଡ଼ିକ ଅଧିକ ଯତ୍ନବାନ ହେବା ଆବଶ୍ୟକ। ବାୟୁର ଗୁଣବତ୍ତା ଖରାପ ରହୁଥିବା ସମୟରେ ଲୋକମାନେ ମଧ୍ୟ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଉଚିତ। ବିଶେଷକରି ଶୀତ ଋତୁରେ ବାୟୁ ପ୍ରଦୂଷଣର ପ୍ରଭାବକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବା ଜରୁରୀ।

ଶିଳ୍ପାନୁଷ୍ଠାନଗୁଡ଼ିକୁ ନିର୍ଗମ ନିୟନ୍ତ୍ରଣ ଯନ୍ତ୍ରର ରକ୍ଷଣାବେକ୍ଷଣ, ଧୂଳି ନିୟନ୍ତ୍ରଣ ଏବଂ ପରିବେଶଗତ ନିୟମର ଅନୁପାଳନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଏହା ସହ ଖଣିଜ ପରିବହନ କରୁଥିବା ଟ୍ରକ୍‌ରେ ଆବଶ୍ୟକ ଆବରଣ, ରାସ୍ତାରେ ନିୟମିତ ଜଳ ସିଞ୍ଚନ ଏବଂ ନିର୍ମାଣସ୍ଥଳରେ ଧୂଳି ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ ଜରୁରୀ।

ବିକାଶ ସହ ପରିବେଶର ସୁରକ୍ଷା ମଧ୍ୟ ସମାନ ଗୁରୁତ୍ୱ ବହନ କରେ। ତେଣୁ ଶିଳ୍ପାଞ୍ଚଳରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ନିୟମିତ ନିରୀକ୍ଷଣ ଓ ଜନସଚେତନତାକୁ ଅଧିକ ଗୁରୁତ୍ୱ ଦେଲେ ହିଁ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶକୁ ସୁରକ୍ଷିତ ରଖିବା ସମ୍ଭବ ହେବ।

 

Leave A Reply

Your email address will not be published.