ନୂଆଦିଲ୍ଲୀ: ଗାୟକ ଜୁବୀନ ଗର୍ଗ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ମୃତ୍ୟୁବରଣ କରିଥିବା ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ସିଙ୍ଗାପୁର ନର୍ଥ ଇଷ୍ଟ ଫେଷ୍ଟିଭାଲରେ ଏକ ସୋ କରିବାକୁ ଯାଇଥିଲେ ଯାହାକି ୨୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିଲା।
ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଭିଡିଓଟି ଗାୟକଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ ବୋଲି କୁହାଯାଉଛି। ଜୁବୀନ ଏକ କ୍ରୁଜ୍ ପାର୍ଟିର ମଜା ନେଉଥିବା ଭିଡିଓ ରେ ଦର୍ଶାଯାଇଛି। ଏଥିସହିତ ସେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ସମୁଦ୍ରରେ ଡେଇଁ ଥିବାର ମଧ୍ୟ ନଜର ଆସିଛନ୍ତି। ଜୁବୀନ ଲାଇଫ୍ ଜ୍ୟାକେଟ୍ ପିନ୍ଧି ସମୁଦ୍ରରେ ପହଁରୁଛନ୍ତି ଓ ତାଙ୍କ ସହ ଅନ୍ୟ କିଛି ଲୋକ ମଧ୍ୟ ପହଁରୁଥିବାର ନଜର ଆସିଛନ୍ତି।
ତେବେ ପହଁରିବା ସମୟରେ ହଠାତ୍ ତାଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ହେବାରେ ଅସୁବିଧା ହୋଇଥିଲା। ପରେ ତୁରନ୍ତ ତାଙ୍କୁ ସିଙ୍ଗାପୁର କର୍ତ୍ତୃପକ୍ଷ ସମୁଦ୍ରରୁ ଉଦ୍ଧାର କରିଥିଲେ। ଲାଇଫ୍ ଗାର୍ଡମାନେ ତୁରନ୍ତ CPR ପ୍ରଦାନ କରିଥିଲେ ଓ ତାଙ୍କୁ ସିଙ୍ଗାପୁର ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅନେକ ପ୍ରୟାସ ସତ୍ତ୍ୱେ ତାଙ୍କର ଜୀବନ ବଞ୍ଚିପାରିନଥିଲା।
ଜୁବୀନଙ୍କ ମୃତ୍ୟୁ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପରିସ୍ଥିତିର ସମୀକ୍ଷା କରିବା ସହ ତାଙ୍କ ପୋଷ୍ଟମର୍ଟମ ସିଙ୍ଗାପୁରରେ ହୋଇଥିବା ନେଇ ସୂଚନା ଦେଇଛନ୍ତି। ତେବେ ତାଙ୍କ ମୃତଦେହକୁ ବର୍ତ୍ତମାନ୍ ଭାରତ ଅଣାଯାଉଛି ଓ ମୃତଦେହକୁ ସାଧାରଣ ଦର୍ଶନ ପାଇଁ ସରୁସଜାଇ ଷ୍ଟାଡିୟମରେ ରଖାଯିବା ନେଇ ସୂଚନା ମିଳିଛି। ଅପରପକ୍ଷରେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ରାଜ୍ୟରେ ୩ ଦିନିଆ ଶୋକ ଘୋଷଣା କରିଛନ୍ତି।
Comments are closed.