ଭୁବନେଶ୍ୱର: ଏଣିକି ହାତପାହାନ୍ତାରେ ମିଳିବ ସରକାରୀ ସେବା । ଆଉ ସରକାରୀ ଅଫିସକୁ ବାରବାର ଦୌଡିବାକୁ ପଡିବନି । ଲୋକଙ୍କର ଅତି ନିକଟରେ ସରକାରୀ ସେବା ପହଞ୍ଚାଇବାକୁ ଆରମ୍ଭ ହେଲା ‘ଆମ ସାଥି’ ୟୁନିଫାଏଡ ହ୍ୱାଟସଆପ ବଟ । ଜନ୍ମ ମୃତ୍ୟୁ ପ୍ରମାଣପତ୍ର, ଆଇନଗତ ଉତ୍ତରାଧିକାରୀ, ସ୍ଥାୟୀ ବାସିନ୍ଦା ଓ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆରଟିଓ ଆଦି ବହୁ ସୁବିଧା ହ୍ୱାଟସଆପ ଜରିଆରେ ମିଳିପାରିବ ।
ଏଥିପାଇଁ ହ୍ୱାଟସଆପ ନମ୍ବର ୯୪୩୭୨୯୨୦୦୦ ରେ ଆବେଦନ କରି ପାରିବେ । ଆବେଦନ ପରେ ସାର୍ଟିଫିକେଟ ଏହି ନମ୍ୱର୍ ଜରିଆରେ ପାଇ ପାରିବେ । ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ ବିଭାଗର ୧୩୨ଟି ସେବା ପାଇଁ ଆବେଦନ କରିହେବ । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ୨୦୨୫ ଶେଷ ସୁଦ୍ଧା, ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ଅଧିସୂଚିତ ସମସ୍ତ ସାର୍ବଜନୀନ ସେବା ଏକକ ହ୍ବାଟ୍ସଆପ ବଟ୍ ମାଧ୍ୟମରେ ଯୋଗାଇ ଦିଆଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ଯଦି ଜଣେ ବ୍ୟକ୍ତି ଇଂରାଜୀ କିମ୍ବା ଓଡ଼ିଆରେ ଲେଖି ହ୍ବାଟ୍ସଆପ୍ରେ ସମସ୍ତ ସରକାରୀ ସେବାରୁ ଉପକୃତ ହୋଇପାରିବେ । ସେହିପରି ଯେଉଁ ଲୋକମାନେ ଓଡ଼ିଆ କିମ୍ବା ଇଂରାଜୀ ଲେଖି ଜାଣି ନଥିବେ ସେମାନେ ଭାରତ ସରକାରଙ୍କ ‘ଭାଷିନୀ ପ୍ଲାଟଫର୍ମ’ ବ୍ୟବହାର କରି ନିଜର କଣ୍ଠସ୍ବର ମାଧ୍ୟମରେ ଏହି ସେବା ପାଇପାରିବେ । ମେଟା ଇଣ୍ଡିଆ ସହ ମିଶି ସାଧରଣ ପ୍ରଶାସନ ବିଭାଗ ଏହି ପଦକ୍ଷେପ ନେଇଥିବା ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ କହିଛନ୍ତି ।
Comments are closed.