Latest Odisha News

ଦୁବାଇ ଗ୍ରାଉଣ୍ଡରେ ଭାରତ ପଲା ଭାରୀ

ଦୁବାଇ: ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ପାକିସ୍ତାନ ଆନ୍ତର୍ଜାତୀୟ ଟି୨୦ ମୁକାବିଲାରେ ଭାରତ ପଲା ଭାରୀ ରହିଛି । ଓଭରାଲ ୫ଟି ମ୍ୟାଚ ଖେଳା ଯାଇଥିବା ବେଳେ ଭାରତ ୩ରେ ବିଜୟୀ ହୋଇଛି । ୫ଟି ମ୍ୟାଚରୁ ୪ଟି ମୁକାବିଲା କେବଳ ଏସିଆ କପରେ ଖେଳାଯାଇଛି । ୨୪ ଅକ୍ଟୋବର ୨୦୨୧ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ଜିତିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ୫୭ ରନ ସହାୟତାରେ ୧୫୧ ରନ କରିଥିଲା । ମହମ୍ମଦ ରିଜୱାନ ୭୯ ଓ ବାବର ଆଜମ ୬୮ ରନ କରି ପାକିସ୍ତାନକୁ ଜିତାଇଥିଲେ ।

୨୮ ଅଗଷ୍ଟ ୨୦୨୨ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୪୭ ରନରେ ଅଲଆଉଟ ହୋଇ ଯାଇଥିଲା । ଭାରତ ୧୯.୪ ଓଭରରେ ୫ ୱିକେଟ ହରାଇ ବିଜୟୀ ହୋଇଥିଲା । ୪ ସେପ୍ଟମ୍ବର ୨୦୨୨ରେ ଏସିଆ କପ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୧ ରନ କରିଥିଲା । ପାକିସ୍ତାନ ରିଜୱାନଙ୍କ ୭୧ ରନ ସହାୟତାରେ ଗୋଟିଏ ବଲ ବାକିଥାଇ ମ୍ୟାଚକୁ ଜିତି ନେଇଥିଲା । ଚଳିତ ଏସିଆ କପରେ ଭାରତ ଗ୍ରୁପ ପର୍ଯ୍ୟାୟରେ ୭ ୱିକେଟରେ ଏବଂ ସୁପର ଫୋରରେ ୬ ୱିକେଟରେ ଭାରତ ବିଜୟ ହାସଲ କରି ଭଲ ଫର୍ମରେ ରହିଛି ।

Comments are closed.