କଟକ: ଗତକାଲି କେନ୍ଦୁଝରର ଦୁର୍ଗାପୂଜାର ମଜା ନେବା ପରେ, ପୂର୍ବ ବର୍ଷ ପରି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତରେ ଯାଇ ସେଠାରେ ପୂଜା ମଣ୍ଡପ ପରିଦର୍ଶନ କରୁଛନ୍ତି। ରୌପ୍ୟ ନଗରୀର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ଜି କଟକରେ ଦଶହରା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ପ୍ରଥମେ କଟକର ପୋତାପୋଖରୀ ପୂଜାମଣ୍ଡପରେ ପହଞ୍ଚି ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ମୁଖ୍ୟମନ୍ତ୍ରୀ । ମା’ଙ୍କୁ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ତାଙ୍କ ସହ କଟକ ସଦର ବିଧାୟକ ପ୍ରକାଶ ସେଠୀ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ଲୋକେ ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିକଟରୁ ଦେଖିବା ଲାଗି ଉତ୍ସାହିତ ଅଛନ୍ତି । ପୂଜା ମଣ୍ଡପରେ ସେ ଲୋକଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ। ତେବେ ଏହାପରେ ଗୋପାଳପୁର, ଚାଉଳିଆଗଞ୍ଜ, ଖାନନଗର ଭଳି କଟକର ୩୩ଟି ପୂଜାମଣ୍ଡପ ପରିଦର୍ଶନ କରିପାରନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ଗତକାଲି ମୁଖ୍ୟମନ୍ତ୍ରୀ ମହାଅଷ୍ଟମୀ ଅବସରରେ ତାଙ୍କ ଗୃହ ଜିଲ୍ଲା କେଉଁଝର ଗସ୍ତ କରିଥିଲେ ଏବଂ ଝୁମ୍ପୁରା ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ମୁଖ୍ୟମନ୍ତ୍ରୀ ମହାଅଷ୍ଟମୀର ପବିତ୍ର ପୂଜାରେ ଅଂଶଗ୍ରହଣ କରିବା ସହ ଓଡ଼ିଶାବାସୀଙ୍କ ଶାନ୍ତି, ସମୃଦ୍ଧି ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ ।
ଏଥିସହିତ ମୁଖ୍ୟମନ୍ତ୍ରୀ ରାଇକଳାସ୍ଥିତ ତାଙ୍କ ବାସଭବନରେ ଲୋକଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସେ ବ୍ୟକ୍ତିଗତ ଭାବରେ ନାଗରିକମାନଙ୍କଠାରୁ ଅଭିଯୋଗ ଆବେଦନ ଗ୍ରହଣ କରିଥିଲେ ଏବଂ ବିଭିନ୍ନ ସ୍ଥାନୀୟ ଏବଂ ରାଜ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ, “ମୁଁ ଏହି ମାଟିର ପୁଅ, ଆପଣଙ୍କ ମଧ୍ୟରୁ ଜଣେ। ଆପଣମାନେ ମୋର ଶକ୍ତି, ଏବଂ ମୁଁ ଆପଣଙ୍କ ସ୍ନେହ ଏବଂ ବିଶ୍ୱାସ ପ୍ରତି ଚିରକାଳ ଋଣୀ,”
Comments are closed.