Latest Odisha News

BREAKING NEWS

ପୂର୍ବତନ ଭାରତୀୟ ବାୟୁସେନା ହିରୋ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

ଭୁବନେଶ୍ୱର: ପୂର୍ବତନ ଭାରତୀୟ ବାୟୁସେନା (ଆଇଏଏଫ) ପାଇଲଟ୍ ସୂର୍ଯ୍ୟ କୁମାର ନନ୍ଦଙ୍କର ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି।

ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ସୂର୍ଯ୍ୟ କୁମାର ଶୁକ୍ରବାର ଭୁବନେଶ୍ୱରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।

୧୯୩୫ ମସିହାରେ ପୁରୁଣା ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ ସୂର୍ଯ୍ୟ କୁମାର। ରାଜଧାନୀ ସହରରେ ପ୍ରସିଦ୍ଧ ‘କଳ୍ପନା ଟକିଜ୍’ ପ୍ରତିଷ୍ଠା କରିଥିବା ପ୍ରତିଷ୍ଠିତ ‘ନନ୍ଦ’ ପରିବାରର ସେ ସଦସ୍ୟ ଥିଲେ। ସେ ତାଙ୍କର ବାଲ୍ୟଶିକ୍ଷା ଭୁବନେଶ୍ୱରରେ ଆରମ୍ଭ କରିଥିଲେ। ପୁରୀ ସାମନ୍ତ ଚନ୍ଦ୍ର ଶେଖର କଲେଜରୁ ବିଜ୍ଞାନରେ ସ୍ନାତକ କରିବା ପରେ ସେ ବିମାନ ଉଡାଣ ପାଠ ପଢ଼ିଥିଲେ ଏବଂ ପରେ ଆଇଏଏଫରେ ପାଇଲଟ୍ ଭାବରେ ଯୋଗ ଦେଇଥିଲେ। ସେ ୧୯୬୦ ଦଶକରେ ବାୟୁସେନାରେ ସେବା କରିଥିଲେ।

ତେବେ ଏକ ଛୋଟ ଦୁର୍ଘଟଣା ପରେ ସେ ଅବସର ନେଇଥିଲେ। ପରେ ତାଙ୍କ ପୈତୃକ ବ୍ୟବସାୟ ଭୁବନେଶ୍ୱରର ପ୍ରଥମ ସିନେମା ହଲ୍ ‘କଳ୍ପନା ଟକିଜ୍’ର ପରିଚାଳନାରେ କରିଥିଲେ।

ଭୁବନେଶ୍ୱରର ଗରାବଡୁ ଶ୍ମଶାନରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

 

Comments are closed.