ନୂଆଦିଲ୍ଲୀ: ୨୦୨୬ ମସିହାରୁ ଆପଣ ଘରେ ହିଁ ଅନଲାଇନରେ ନିଜ ଟିକେଟର ତାରିଖ ପରିବର୍ତ୍ତନ କରିପାରିବେ ବୋଲି ଭାରତୀୟ ରେଳବାଇ ତରଫରୁ ସୂଚନା ଦିଆଯାଇଛି।
ଅର୍ଥାତ୍ ଯଦି ଆପଣ ନଭେମ୍ବର ୧୩ ତାରିଖ ପାଇଁ ଟିକେଟ ବୁକ୍ କରିଛନ୍ତି କିନ୍ତୁ କୌଣସି କାରଣରୁ ଆପଣ ନଭେମ୍ବର ୨୦ ତାରିଖରେ ଯାତ୍ରା କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଘରେ ହିଁ ଅନଲାଇନରେ ତାରିଖ ପରିବର୍ତ୍ତନ କରିପାରିବେ। ନିୟମ ଅନୁଯାୟୀ ଯଦି ଯାତ୍ରୀମାନେ ସେମାନଙ୍କର ଯାତ୍ରା ତାରିଖ ପରିବର୍ତ୍ତନ କରିବାକୁ ଚାହାଁନ୍ତି ତାହେଲେ ସେମାନଙ୍କୁ ପ୍ରଥମେ ଟିକେଟ ବାତିଲ କରିବାକୁ ପଡିଥାଏ ଓ ଏଥିପାଇଁ ବାତିଲକରଣ ଶୁଳ୍କ ମଧ୍ୟ ଦେବାକୁ ପଡିଥାଏ। ଯାହାଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଏହି ଅସୁବିଧାକୁ ଦୂର କରିବା ପାଇଁ ଭାରତୀୟ ରେଳବାଇ ଏହି ନୂଆ ନିୟମ ଉପରେ ବିଚାର କରୁଥିବା ନେଇ ସୂଚନା ମିଳିଛି।
ଏଥିପାଇଁ ଯାତ୍ରୀମାନଙ୍କୁ କୌଣସି ଅତିରିକ୍ତ ଶୁଳ୍କ ମଧ୍ୟ ଦେବାକୁ ପଡ଼ିବ ନାହିଁ। ତେବେ IRCTC ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଏହି ସୁବିଧା ଉପଲବ୍ଧ କରାଯିବ। ଯଦି ଆପଣ ନିଜର ଯାତ୍ରା ତାରିଖ ପରିବର୍ତ୍ତନ କରନ୍ତି ତାହେଲେ ଟ୍ରେନ ସିଟର ଉପଲବ୍ଧତା ଅନୁସାରେ ଆପଣ ପରବର୍ତ୍ତୀ ତାରିଖରେ ଏକ କନଫର୍ମ ସିଟ୍ ପାଇବେ। ଏଥିସହିତ ଏହାର ଭଡ଼ା ଅଧିକ ହୋଇପାରେ ବୋଲି ସ୍ପଷ୍ଟ କରାଯାଇଛି।
ତେବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାକ୍ଷାତକାରରେ ଏନେଇ ଘୋଷଣା କରିଛନ୍ତି। ଯାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି।ଯାହା ଦ୍ଵାରା ସେମାନେ ବାତିଲ ପ୍ରକ୍ରିୟାର ଅସୁବିଧାରୁ ମୁକ୍ତି ପାଇପାରିବେ।
Comments are closed.