ଭୁବନେଶ୍ବର: ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ହ୍ରାସ ପାଇଛି । ଏହି ପ୍ରରିପେକ୍ଷିରେ ଟ୍ବିନ ସିଟିରେ ଶୀତର ପ୍ରକୋପ ଅନୁଭୂତ ହୋଇଛି । ରାଜଧାନୀ ଭୁବନେଶ୍ୱର ରେ ୨୫°C ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଶୀତର ସ୍ତର ବଢିଛି । ସକାଳ ଓ ରାତିରେ ଅନୁଭୂତ ହେଉଛି ଶୀତର ପ୍ରଭାବ ।
ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, କଟକରେ ସର୍ବନିମ୍ନ ତାପମାତ୍ରା ୧୭.୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ପାରଦ ୧୮.୯ ଡିଗ୍ରି ସେଲସିୟସ୍କୁ ଖସିଛି । ଉଭୟ ସହରରେ ୨୦ ଡିଗ୍ରୀ ତଳକୁ ତାପମାତ୍ରା ଖସିବା ପରେ ଥଣ୍ଡାର ଅନୁଭୂତି ବଢ଼ିଛି ।
ଚଳିତବର୍ଷ ପ୍ରଥମ ଥର ଲାଗି ୨୦ ଡିଗ୍ରି ତଳକୁ ଖସିଛି ପାରଦ ଆଉ କମିଛି ତାପମାତ୍ରା । ତେବେ ଧୀରେ ଧୀରେ ପାରଦ ଖସୁଥିବାରୁ ଆଗକୁ ଦ୍ବୈତ ନଗରୀରେ ଶୀତର ପ୍ରଭାବ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି ।
ଅନ୍ୟପକ୍ଷରେ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଆଂଶିକ ମେଘୁଆ ରହିବ। ସର୍ବୋଚ୍ଚ ୩୧ ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ୧୧ ତାରିଖରେ ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ଆକଳନ କରାଯାଇଛି । ୧୨ ତାରିଖରେ ବାଲେଶ୍ଵର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ବିଭିନ୍ନ ପାଣିପାଗ ମଡେଲ୍ ଆକଳନ କରିଛି ।
