Latest Odisha News

BREAKING NEWS

Madhya Pradesh Fire Tragedy: ଦୀପାବଳି ଦେଇଗଲା ଦୁଃଖ,୨ଅଗ୍ନିକାଣ୍ଡ,୨ପରିବାର,୧୨ମୃତ

ମଧ୍ୟପ୍ରଦେଶ: ଆଲୋକର ପର୍ବରେ ଆନ୍ଧାରର ପଦଚିହ୍ନ । ଦୀପାବଳିର ଖୁସିରେ ମୃତ୍ୟୁର ତାଣ୍ଡବ । ଉତ୍ସବର ମାହୋଲ କାନ୍ଦବୋବାଳିରେ ପରିଣତ ହୋଇଗଲା । ମଧ୍ୟପ୍ରଦେଶର ୨ଟି ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ ଲେଖିଦେଲା ମୃତ୍ୟୁର ବିଭୀଷିକା । ଅଗ୍ନିକାଣ୍ଡରେ ୨ଟି ପରିବାରର ୧୨ ଜଣଙ୍କ ଜୀବନ ଯାଇଛି । ନିଆଁ ଆଁରେ ଉଜୁଡି ଯାଇଛି ପରିବାର । ମଧ୍ୟପ୍ରଦେଶର ସିଓନୀ ଓ କଟନୀ ଜିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ ଶୋକର ଛାୟା ଖେଳାଇଦେଇଛି । ସିଓନୀ ଜିଲ୍ଲା ଛପାରାରେ ସୋମବାର ଭୋର ୪ଟାରୁ ସାଢେ ୪ଟା ମଧ୍ୟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଜୈନ ମନ୍ଦିର ନିକଟ ମହାବୀର ୱାର୍ଡର ଏକ ତିନି ମହଲା କୋଠାରେ ହଠାତ୍ ନିଆଁ ଲାଗି ଯାଇଥିଲା । ସ୍ୱର୍ଣ୍ଣକାର କୁନ୍ଦନଲାଲ ସୋନିଙ୍କ ଘରେ ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିକାଣ୍ଡ ବେଳେ ଘରେ ମୋଟ୍ ୧୦ ଜଣ ସଦସ୍ୟ ଥିଲେ । ନିଆଁ ଓ ଧୂଆଁ କବଳରୁ ବାହାରିପାରିନଥିଲେ ପରିବାରଲୋକ । ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ୬ଜଣଙ୍କର ଜୀବନ ଚାଲିଯାଇଛି । ଅନ୍ୟ ୪ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୩ମହିଳା ଓ ଜଣେ ଶିଶୁ ରହିଥିବା ଜଣାପଡିଛି । ୭୫ ବର୍ଷୀୟ କୁନ୍ଦନଲାଲ ସୋନି, ୬୫ ବର୍ଷୀୟ ପତ୍ନୀ ରାଜକୁମାରୀ ସୋନି, ୪୨ ବର୍ଷୀୟ ରିତୁ ସୋନି, ୪୦ ବର୍ଷୀୟ ସ୍ମୃତି ସୋନି, ୪୫ ବର୍ଷୀୟ ସୂର୍ଯ୍ୟା ସୋନି ଓ ୧୬ ବର୍ଷୀୟ ଆଦିତ୍ୟ ସୋନିଙ୍କର ମୃତ୍ୟୁ ହୋଇଛି ।

ସେପଟେ କଟନୀ ଜିଲ୍ଲା ବାରହୀ ସହରରେ ଘଟିଛି ଅଗ୍ନିକାଣ୍ଡ । ଏକ ତିନି ମହଲା କୋଠାର ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା ବାସନ ଦୋକାନରେ ମଧ୍ୟରାତିରେ ନିଆଁ ଲାଗିଥିବା ସୂଚନା ମିଳିଛି । ଦେଖୁ ଦେଖୁ ନିଆଁ ପୁରାକୋଠାକୁ ବ୍ୟାପିଯାଇଥିଲା । ଫଳରେ ଉପର ମହଲାରେ ରହୁଥିବା ପରିବାର ସଦସ୍ୟ ଘରେ ଫସି ଯାଇଥିଲେ । ଭୟଙ୍କର ଅଗ୍ନିକାଣ୍ଡରେ ୨ମାସର ଶିଶୁ ସମେତ ଗୋଟିଏ ପରିବାରର ୬ଜଣଙ୍କ ଜୀବନଯାଇଛି । ମୃତକ ହେଲେ ଦୋକାନ ଚଳାଉଥିବା ୭୭ ବର୍ଷୀୟ ପୁରନ ଅଗ୍ରବାଲ, ୭୪ ବର୍ଷୀୟ ସ୍ତ୍ରୀ ଚନ୍ଦ୍ରକଳା, ବୋହୂ ପୁନମ୍‌, ୧୪ ବର୍ଷୀୟ ନାତୁଣୀ ଆର୍ଯ୍ୟା, ୬ ବର୍ଷୀୟ ଅନଭୀ ଓ ୨ମାସର ଶିଶୁ । ନିଆଁ ଓ ଧୂଆଁର ମାତ୍ରା ଏତେ ଥିଲା ଯେ ପରିବାରଲୋକ ଘରୁ ବାହାରି ପାରିଲେନାହିଁ । ୨ମାସର ଶିଶୁଟି ମା ପୁନମଙ୍କ କୋଳରେ ହିଁ ଜୀବନ ହାରିଛି ।

ଦୁଇଟି ଯାକ ଅଗ୍ନିକାଣ୍ଡ ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ କାରଣ ଖୋଜୁଛି ତଦନ୍ତକାରୀ ଟିମ୍ । ସେପଟେ କୌଣସି ଅବହେଳା ରହିଥିଲା ନା ଯୋଜନାବଦ୍ଧ ଅଗ୍ନିକାଣ୍ଡ ସେନେଇ ତଦନ୍ତ ଚାଲିଛି ।

 

Leave A Reply

Your email address will not be published.