Latest Odisha News

BREAKING NEWS

ରାଜଧାନୀର ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ; ଲୁଟ୍ ସହ ଦୋକାନୀଙ୍କୁ ଗୋଡ଼ାଇ ପିଟିଲେ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭୁବନେଶ୍ୱରର ଏହି ବ୍ୟାବସାୟିକ ପେଣ୍ଠସ୍ଥଳ ଲୋକାରଣ୍ୟ ରହିଥିବା ବେଳେ ଅଚାନକ ସଶସ୍ତ୍ର ଦୁର୍ବୃତ୍ତମାନେ ଦୋକାନ ଗୁଡ଼ିକ ଉପରେ ଆକ୍ରମଣ କରିଥିଲେ । ମୁହଁରେ ମୁଖା ପିନ୍ଧିଥିବା ଏହି ଯୁବକମାନେ ଦୋକାନୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବେଳେ ଦୋକାନମାନଙ୍କରୁ ଜିନିଷପତ୍ର ଲୁଟ୍ ତରାଜ କରିବାକୁ ଲାଗିଥିଲେ ।

ଏହି ଘଟଣା ସନ୍ଧ୍ୟା ୬ଟା ୩୦ ମିନିଟରେ ଘଟିଥିବା ବେଳେ ପ୍ରାୟ ୨୦ ରୁ ୩୦ ଜଣ ମୁଖା ପିନ୍ଧା ଯୁବକ ଏହିପରି କିଛିସମୟ ଆତଙ୍କରାଜ ଚଳାଇ ପୋଲିସ ଆସିବା ପୂର୍ବରୁ ଖସି ଚାଲିଯାଇଥିଲେ । ଏତେ ସଂଖ୍ୟକ ଅଜଣା ଦୁର୍ବୃତ୍ତ ସେଠାରେ ଏହିପରି ଆତଙ୍କରାଜ ଚଳାଇଥିବା ବେଳେ ସେଠାରେ ଥିବା ଜନସାଧାରଣ ପ୍ରାଣ ବିକଳରେ ଧାଁ ଧଉଡ଼ କରିବା ଫଳରେ କିଛିସମୟ ଲାଗି ସେଠାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଦୋକାନୀମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଛି ।

ଏହି ଘଟଣାକୁ ଦୃଷ୍ଟିରେ ରଖି ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ ଏକ ପ୍ଲାଟୁନ୍ ପୋଲିସ ମୂତୟନ କରାଯାଇଛି । ଏହି ଘଟଣାର ସଠିକ୍ କାରଣ ସମ୍ପର୍କରେ ଜଣାପଡ଼ିନଥିଲେ ମଧ୍ୟ ବ୍ୟକ୍ତିଗତ ଆକ୍ରୋଶ କିମ୍ବା କୌଣସି ବ୍ୟାବସାୟିକ ଶତ୍ରୁତା ଯୋଗୁଁ ଏହିପରି ଦୁର୍ବୃତ୍ତମାନେ କାଣ୍ଡ ଭିଆଇ ପାରିଥାଆନ୍ତି ବୋଲି ପୋଲିସ ଅନୁମାନ କରୁଛି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ସ୍ଥାନୀୟ ସିସିଟିଭି ଫୁଟେଜ ଜାଞ୍ଚ ହୋଇ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଛାନଭିନ୍ନ ଆରମ୍ଭ ହୋଇଛି ।

Leave A Reply

Your email address will not be published.