ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଦିନିକିଆ ସିରିଜ ଖେଳିବା ପାଇଁ ପର୍ଥରେ ପଂହଚିଛନ୍ତି । ଅକ୍ଟୋବର ୧୯ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ଦୁଇ ମହାନ ଖେଳାଳି ଓ ପୂର୍ବତନ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ରୋହିତଙ୍କୁ ନିକଟରେ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱରୁ ହଟାଯାଇ ଶୁଭମନ ଗିଲଙ୍କୁ ପ୍ରଦାନ କରାଯାଇଛି । ଗିଲଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ ନେଇ ରୋହିତ ଓ କୋହଲି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । କୋହଲି, ରୋହିତ, ଗିଲ, କେଏଲ ରାହୁଲ, ଯଶସ୍ୱୀ ଜୈସୱାଲ, ହର୍ଷିତ ରାଣା ଓ ନୀତିଶ କୁମାର ରେଡ୍ଡୀ ଏବଂ କିଛି ସପୋର୍ଟିଂ ଷ୍ଟାଫ ପର୍ଥରେ ପଂହଚିଛନ୍ତି । କୋଚ ଗୌତମ ଗମ୍ଭୀର ଓ ଅନ୍ୟ ସଦସ୍ୟ ଏଠାରେ ବିଳମ୍ବରେ ପଂହଚିବେ ।
ପ୍ରଥମ ଦିିନିକିଆ ୧୯ରେ ପର୍ଥରେ ଖେଳାଯିବ । ଏହା ପରେ ଦ୍ୱିତୀୟ ଓ ତୃତୀୟ ଦିନିକିଆ ଆଡିଲେଡ ଓ ସିଡନୀରେ ଖେଳାଯିବ । ଏହି ୨ଟି ମ୍ୟାଚ ଯଥାକ୍ରମେ ୨୩ ଓ ୨୫ରେ ଖେଳାଯିବ । ଏହା ପରେ ଅକ୍ଟୋବର ୨୯ରୁ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇ ସାରିଥିବା ରୋହିତ ଓ କୋହଲି ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ଏବେ ଅଷ୍ଟ୍ରେଲିଆ ଗସ୍ତ ଆଗାମୀ ବିଶ୍ୱକପ ପାଇଁ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ଅଧିନାୟକ ଗିଲ ଦଳରେ ଅଭିଜ୍ଞ ଖେଳାଳିଙ୍କ ଆବଶ୍ୟକତା ରହିଛି କହି କୋହଲି ଓ ରୋହିତଙ୍କୁ ସମ୍ପୂଣ୍ଣୟ ସମର୍ଥନ କରିଛନ୍ତି । ଅର୍ଶଦୀପ ସିଂ ଓ ଯଶପ୍ରୀତ ବୁମରାହଙ୍କ ଅନୁପସ୍ଥିତିରେ ଯୁବ ପେସ ବୋଲରଙ୍କ ଉପରେ ଗୁରୁ ଦାୟିତ୍ୱ ରହିବ ।
Comments are closed.