କଟକ: କଟକ ସଦର ଥାନା ଅନ୍ତର୍ଗତ ଉତ୍ତମାପୁରଠାରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ଜଣେ ଯୁବ ଇଞ୍ଜିନିୟରଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ମୃତ ଯୁବକ ହେଉଛନ୍ତି ଖୋର୍ଦ୍ଧାଜିଲ୍ଲା ଜଟଣୀ ରାଜାବଜାର ଅଞ୍ଚଳର ରବୀନ୍ଦ୍ର କୁମାର ଦାସଙ୍କ ପୁଅ ସୌମ୍ୟରଞ୍ଜନ ଦାସ (୩୫)। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।
ସୌମ୍ୟଙ୍କ ଘର ଲୋକଙ୍କ କହିବା ଅନୁଯାୟୀ ସେ ବିଟେକ୍ ଛାତ୍ର ଥିବାବେଳେ କୌଣସି ନିଶାଦ୍ରବ୍ୟ ସେବନ କରୁ ନଥିଲେ। ସେ ମୁମ୍ବାଇର ଓଏନ୍ଜିସି ନାମକ ଏକ ସଂସ୍ଥାରେ କାର୍ଯ୍ୟ କରୁଥିବା ସମୟରେ ନିଶାସକ୍ତ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କୁ ଏହି କେନ୍ଦ୍ରରେ ଗତ ତିନି ମାସ ତଳେ ଭର୍ତ୍ତି କରାଇଥିଲେ ପରିବାର ଲୋକେ। ଏହି ନିଶା ନିବାରଣ କେନ୍ଦ୍ରରେ ପାଖାପାଖି ୨୫ଜଣ ଅନ୍ତେବାସୀ ରହୁଥିଲେ। ସୋମବାର ରାତିରେ ସେହି କେନ୍ଦ୍ରରୁ ୩ଜଣ ଲୁଚି ଫେରାର ହୋଇଯିବା ପାଇଁ ଉଦ୍ୟମ କରୁଥିବାବେଳେ ସୌମ୍ୟ ସେମାନଙ୍କୁ ଦେଖି ପାଟି କରିଥିଲେ। ଫେରାର ହୋଇଯାଉଥିବା ଯୁବକମାନେ ସୌମ୍ୟଙ୍କୁ ଆକ୍ରମଣ କରିବା ସହିତ ମୁହଁରେ ତକିଆ ପକାଇ ତଣ୍ଟି ଚିପି ହତ୍ୟା କରିଥିଲେ ବୋଲି ଥାନା ଅଧିକାରୀ ତୁଷାରକାନ୍ତ ସେଠୀ ସୂଚନା ଦେଇଛନ୍ତି।
ନିଶାମୁକ୍ତି କେନ୍ଦ୍ରକୁ ସିଲ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ପୋଲିସ୍ ସୂଚନା ଦେଇଛି। ଏଠାରେ ଥିବା ଅନ୍ତୋବାସୀଙ୍କୁ ବାହାର କରିବା ପାଇଁ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସମସ୍ତେ ଯିବା ପରେ କେନ୍ଦ୍ରକୁ ସିଲ୍ କରାଯିବ। ଏହି କେନ୍ଦ୍ରର କିଛି କର୍ମଚାରୀ ମଧ୍ୟ ପୋଲିସ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଛି।
Comments are closed.