Latest Odisha News

BREAKING NEWS

Weather Update: ଅବପାତ ରୂପ ନେବ ଲଘୁଚାପ, ଏହି ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଛକୁ ପଛ ଆସୁଛି ୩ଟି ଲଘୁଚାପ । ଗୋଟିଏ ଲଘୁଚାପ ଏବେ ସୃଷ୍ଟି ହୋଇଛି । ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ବୁଧବାର ଅପରାହ୍ନ ସୁଦ୍ଧା ଅବପାତରେ ପରିଣତ ହେବ। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ତାମିଲନାଡୁ, ପଣ୍ଡିଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇବା ସହ ଅଧିକ ଘନୀଭୂତ ହୋଇପାରେ। କିନ୍ତୁ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବନି।

ଆସନ୍ତା ୨୬ତାରିଖ ଯାଏ ରାଜ୍ୟରେ ବର୍ଷା ହେବ। ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ୨୫ ଓ ୨୬ ତାରିଖରେ କିଛି ସ୍ଥାନରେ ଭାରି ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ୨୨ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି କୁହାଯାଇଛି।

୨୩ ଓ ୨୪ ତାରିଖରେ ବି ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୨୫ ଓ ୨୬ ତାରିଖରେ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି। ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କହିଛନ୍ତି, ଏବେ ଯେଉଁ ସ୍ପଷ୍ଟ ଚିହ୍ନିତ ଲଘୁଚାପ (ୱେଲ ମାର୍କ ଲୋ ପ୍ରେସର) ସୃଷ୍ଟି ହୋଇଛି ତାହା ୨୩ ବା ୨୪ରେ ଅବପାତ ହେବାର ସମ୍ଭାବନା କମ୍‌ । କିନ୍ତୁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବସ୍ଥାରେ ଏହା ଦ୍ୱିତୀୟ ଲଘୁଚାପ ସହ ମିଶିଯିବ। ୨୪ ବା ୨୫ ତାରିଖରେ ଆଉ ଏକ ଲଘୁଚାପ(ଦ୍ୱିତୀୟ ଲଘୁଚାପ) ସୃଷ୍ଟି ହେବ।

ଏବେକାର ସ୍ପଷ୍ଟ ଚିହ୍ନିତ ଲଘୁଚାପ ଏହି ସମ୍ଭାବ୍ୟ ଲଘୁଚାପ ସହ ମିଶିବ। କିନ୍ତୁ ଏହା କେତେ ଘନୀଭୂତ ହେବ ଓ ଗତିପଥ କଣ ରହିବ, ତାହା ଏବେଠାରୁ ସ୍ପଷ୍ଟ ହୋଇନି । ୨୪ ତାରିଖ ବେଳକୁ ଏହା ଅଧିକ ସ୍ପଷ୍ଟ ହେବ । ସେ ପୁଣି କହିଛନ୍ତି, ଏବେ ଦକ୍ଷିଣ ବଙ୍ଗୋପସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେଉଛି । ଏହା ପ୍ରତ୍ୟାବର୍ତ୍ତନ କରିନି । ପୁଣି ଉତ୍ତର ପୂର୍ବ ମୌସୁମୀ ବାୟୁ ଆସିବାକୁ ଚେଷ୍ଟା କରୁଛି । ଏହା ଟ୍ରାନ୍‌ଜିସନ୍‌ ପିରିଅଡ୍‌ । ବାୟୁମଣ୍ଡଳ ଓ ସମୁଦ୍ରର ପରିସ୍ଥିତି ତତ୍କାଳ ବଦଳିବା ଯୋଗୁ ଏବେଠାରୁ ଠିକ୍‌ ପୂର୍ବାନୁମାନ କରିହେଉନି ।

Comments are closed.