ଲକ୍ଷ୍ନୌ: ଉତରପ୍ରଦେଶର ବୁଲନ୍ଦସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଔରଙ୍ଗାବାଦର ସୁରଜପୁରରେ ୧୩ ବର୍ଷ ତଳେ ଦୀପୁ ନାମକ ଛୋଟ ପିଲା ସର୍ପ ଦଂଶନରେ ମୃତ୍ୟୁବରଣ କରିଥିଲେ । ପରିବାରବର୍ଗ ତାଙ୍କ ଶବକୁ ବ୍ରଜଘାଟସ୍ଥିତ ଗଙ୍ଗା ନଦୀରେ ଭସେଇ ଦେଇଥିଲେ । ଏବେ ହରିୟାଣାରେ ଉକ୍ତ ପିଲାଙ୍କୁ ଜୀବିତ ଅବସ୍ଥାରେ ପରିବାରକୁ ହସ୍ତାନ୍ତର କରାଯାଇଛି । ବଙ୍ଗାଳୀ ନାଥ ବାବା ନାମକ ଜଣେ ବ୍ୟକ୍ତି ଦୀପୁଙ୍କୁ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲେ । ଦୀପୁଙ୍କୁ ବଙ୍ଗାଳୀ ନାଥ ଉଦ୍ଧାର କରି ତାଙ୍କ ଗୁରୁଙ୍କ ନିକଟକୁ ନେଇ ଯାଇଥିଲେ । ସେଠାରେ କିଛି ଦିନ ଚିକିତ୍ସା କରାଯିବା ପରେ ଦୀପୁ ସୁସ୍ଥ ହୋଇଥିଲେ ।
ଦୀପୁଠାରୁ ତାଙ୍କ ପରିବାରଲୋକଙ୍କ କଥା ଶୁଣିବା ପରେ ସେମାନେ ଖବର ଦେଇଥିଲେ । ଦୀର୍ଘ ଦିନ ପରେ ପରିବାରଲୋକେ ଦୀପୁଙ୍କୁ ଯୁବକ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଦୀପୁର କାନ ପଛପଟେ ଥିବା କଳାଜାଈରୁ ମାଆ ସୁମନ ଦେବୀ ତାଙ୍କୁ ଚିହ୍ନଟ କରିଥିଲେ । ଏହି ଘଟଣା ପ୍ରସାରିତ ହେବା ପରେ ଦୀପୁଙ୍କୁ ଦେଖିବା ପାଇଁ ତାଙ୍କ ଗ୍ରାମରେ ଭୀଡ ଲାଗିବାରେ ଲାଗିଛି । ଦୀପୁ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ପାଖରେ ପାଇ ବେଶ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣା ଏବେ ଆଲୋଚନାର କେନ୍ଦ୍ର ସାଜିଛି ।
Comments are closed.