ଭୁବନେଶ୍ୱର: ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଖୁବ୍ ଶୀଘ୍ର ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଯାହାଫଳରେ ଓଡ଼ିଶାରେ ହାଇ ଆଲର୍ଟ ଜାରି କରାଯାଇଛି।
୨୮ ଅକ୍ଟୋବର ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।ଯାହାଫଳରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା କରାଯାଉଛି। ତେବେ ପବନର ବେଗ ୧୧୦କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ମଧ୍ୟ କୁହାଯାଉଛି। ଯାହା ଫଳରେ ଓଡ଼ିଶାର ଦକ୍ଷିଣ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦିଆଯାଇଛି।
୨୮ ଅକ୍ଟୋବରରେ ମାଲାକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ଏହାର ପ୍ରଭାବ ଦେଖାଯିବ।ତେବେ ୨୯ ଅକ୍ଟୋବରରେ ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ୬୦ରୁ ୭୦ କିମ୍ବା ୮୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ ବୋଲି କୁହାଯାଉଛି। ଯାହା ପ୍ରଭାବରେ ବର୍ଷା ୭ରୁ ୨୦ ସେମି କିମ୍ବା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହି ଜିଲ୍ଲା ମାନଙ୍କରେ ରେଡ୍ ୱାର୍ଣିଂ ଜାରି କରାଯାଇଛି।
ତେବେ ଏହି ଘୂର୍ଣ୍ଣିଝଡ଼ ପ୍ରଭାବରେ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ମାନଙ୍କରେ ୨୮ ଓ ୨୯ ତାରିଖରେ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ତରଫରୁ କୁହାଯାଇଛି।
ତେବେ ୨୬ ଅକ୍ଟୋବର ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ଏବଂ ଏହାର ଆଖପାଖରେ ୩୫-୪୫ କିମିରୁ ୫୫ କିମି ବେଗରେ ପବନ ବହିବା ନେଇ ଆଇଏମଡି ସୂଚନା ଦେଇଛି।୨୭ ଅକ୍ଟୋବର ସନ୍ଧ୍ୟାରୁ ଏହା ୪୫-୫୫ କିମି ପ୍ରତି ଘଣ୍ଟା ପବନ ବହିପାରେ ଏବଂ ୨୮ ଅକ୍ଟୋବର ସନ୍ଧ୍ୟାରୁ ୨୯ ଅକ୍ଟୋବର ସକାଳ ପର୍ଯ୍ୟନ୍ତ ଏହା ୬୦-୭୦ କିମି ପ୍ରତି ଘଣ୍ଟା ୮୦ କିମି ବେଗରେ ପବନ ବହିପାରେ।
ଏହା ପରେ ପବନର ବେଗ ଧୀରେ ଧୀରେ ହ୍ରାସ ପାଇ ୨୯ ଅକ୍ଟୋବର ସନ୍ଧ୍ୟା ସୁଦ୍ଧା ୪୫-୫୫ କିମି ପ୍ରତି ଘଣ୍ଟା ପବନ ବହିପାରେ ଓ ୨୯ ଅକ୍ଟୋବର ସକାଳ ପର୍ଯ୍ୟନ୍ତ ୫୦-୬୦ କିମି କିମ୍ବା ୭୦ କିମି ପବନ ବହିପାରେ। ତେବେ ଅକ୍ଟୋବର ୨୯ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଦକ୍ଷିଣ-ପଶ୍ଚିମ, ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର, ଓଡ଼ିଶା ଉପକୂଳ ଏବଂ ଏହାର ବାହାର ଅଞ୍ଚଳକୁ ନଯିବାକୁ ପାଣିପାଗ ତରଫରୁ ପରାମର୍ଶ ଦିଆଯାଇଛି।
Comments are closed.