Latest Odisha News

BREAKING NEWS

ଟି୨୦ ବିଶ୍ୱକପର ଡ୍ରେସ ରିହର୍ସଲ ହେଉଛି ଭାରତ-ଅଷ୍ଟ୍ରେଲିଆ ସିରିଜ

ଅକ୍ଟୋବର ୨୯ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ଟି୨୦ ବିଶ୍ୱକପ ପୂର୍ବରୁ ଉଭୟ ଚାମ୍ପିୟନ ଟିମ ପାଇଁ ଏହା ଡ୍ରେସ ରହର୍ସଲ କହିଲେ ଭୁଲ ହେବନି । ୨୦୨୬ ଫେବୃୟାରୀରେ ବିଶ୍ୱକପ ଆରମ୍ଭ ହେବ । ଭାରତ ଓ ଶ୍ରୀଲଙ୍କାରେ ଏହା ଆୟୋଜିତ ହେବାକୁ ଥିବାରୁ ଟିମ ଇଣ୍ଡିଆ ଟିମ କମ୍ବିନେଶନ, ଫର୍ମ ଏବଂ ଫିଟନେସ ଉପରେ ଧ୍ୟାନ ଦେବ । ଚାମ୍ପିୟନ ଭାରତ ଟି୨୦ ବିଶ୍ୱକପ ପରେ ୨୭ଟି ମ୍ୟାଚ ଖେଳି ୨୪ରେ ବିଜୟ ହାସଲ କରିଛି । ଅପରପକ୍ଷରେ ଅଷ୍ଟ୍ରେଲିଆ ୧୯ ମ୍ୟାଚରୁ ୧୬ରେ ବିଜୟ ହାସଲ କରିଛି । ଏହି ସିରିଜରେ ଚୂଡାନ୍ତ ଏକାଦଶ ବାଛିବା ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜରୁ ଓହରି ଯାଇଛନ୍ତି । ଅଭିଷେକ ଶର୍ମାଙ୍କ ସହ ଯେତେଦୂର ସମ୍ଭବ ଶୁଭମନ ଗିଲ ଓପିନଂ ଦାୟିତ୍ୱ ତୁଲାଇବେ । ଏସିଆ କପରେ ଗିଲଙ୍କ ପ୍ରଦର୍ଶନ ସେଭଳି ଉତ୍ସାହଜନକ ରହି ନ ଥିଲା । ଟିମ ମ୍ୟାନେଜମେଂଟ ସଞ୍ଜୁ ସାମସନଙ୍କୁ ମଧ୍ୟ ଆବଶ୍ୟକ ପଡିଲେ ସୁଯୋଗ ଦେଇପାରନ୍ତି । ମିଡିଲ ଅର୍ଡରରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ଏବଂ ଅନ୍ୟ ଏକ ସ୍ଥାନରେ ଗିଲ, ସାମସନଙ୍କ ମଧ୍ୟରୁ ଜଣେ ଖେଳିବେ । ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ଓ ନୀତିଶ କୁମାର ରେଡ୍ଡୀଙ୍କ ମଧ୍ୟରୁ ୩ଜଣଙ୍କୁ ସୁଯୋଗ ମିଳିପାରେ । ଯଶପ୍ରୀତ ବୁମରାହ ଓ ଅର୍ଶଦୀପ ସିଂ ଖେଳିବା ନିଶ୍ଚିତ । ବରୁଣ ଚକ୍ରବର୍ତି ସ୍ପିନର ଦାୟିତ୍ୱ ତୁଲାଇବେ । ଏହା ଦ୍ୱାରା ଭାରତ ନିକଟରେ ବୋଲିଂର ଅନେକ ବିକଳ୍ପ ରହିବ । ଏପରିକି ଅଭିଷେକ ଓ ତିଳକ ମଧ୍ୟ ବୋଲିଂ କରିପାରିବେ ।

ଦଳରେ ୯ଜଣ ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂ କରିପାରିବା ଦକ୍ଷତା ରଖିଛନ୍ତି । ତେବେ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ହରାଇବା ଏତେଟା ସହଜ ନୁହେଁ । ଅଷ୍ଟ୍ରେଲିଆର ୬ଜଣ ଖେଳାଳି ଟ୍ରେଭିସ ହେଡ, ଜୋଶ ହାଜେଲଉଡ, ଗ୍ଲେନ ମ୍ୟାକ୍ସୱେଲ, ଆଡମ ଜାମ୍ପା,ମାକର୍ସ ଷ୍ଟୋଇନିସ ଓ ଟିମ ଡେଭିଡ ଭାରତ ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତି । ଏହି ସିରିଜ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଅଗ୍ନିପରୀକ୍ଷା । ବ୍ୟାଟ୍ସମ୍ୟାନ ଓ ଅଧିନାୟକ ଭାବେ ତାଙ୍କୁ ଚାପର ମୁକାବିଲା କରିବାକୁ ପଡିବ ।

Comments are closed.