Latest Odisha News

BREAKING NEWS

New CDP Road Project: ସିଡିପି ରାସ୍ତା ପ୍ରକଳ୍ପ ପାଇଁ ଆନ୍ଧାରୁଆରେ ବିଡିଏର ଗ୍ରାମ ସଭା ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ମଙ୍ଗଳବାର ଆନ୍ଧାରୁଆ ପଞ୍ଚାୟତରେ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ଖଣ୍ଡଗିରି-ଚନ୍ଦକା ରୋଡରୁ ଆନ୍ଧାରୁଆ ଓ ଦାସପୁର (ନିୟୁସିଟି ) ସହିତ ଯୋଡ଼ିବା ପାଇଁ ଏକ ସମ୍ପୂର୍ଣ୍ଣ ବିକାଶ ଯୋଜନା (ସିଡିପି) ରୋଡ୍ ନିର୍ମାଣ ବିଷୟରେ ଏହି ସଭାରେ ଆଲୋଚନା ହୋଇଥିଲା।

ବନ (ସଂରକ୍ଷଣ) ଅଧିନିୟମ, ୧୯୮୦ ଅନୁଯାୟୀ ଗ୍ରାମ ସଭା ଆୟୋଜିତ ହୋଇଥିଲା। ଏହି ବୈଠକରେ ଅନ୍ଧାରୁଆ ସରପଞ୍ଚ ସ୍ୱର୍ଣ୍ଣଲତା ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ବିଡିଏ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ୨.୭୨ କିଲୋମିଟର ଲମ୍ବା ଏବଂ ୨୦୦ ଫୁଟ ଚଉଡା (ସିଡିପି) ରାସ୍ତା ନିର୍ମାଣକୁ ବୈଠକରେ, ସର୍ବସମ୍ମତି କ୍ରମେ ସମର୍ଥନ ଜଣାଯାଇଥିଲା। ନୂତନ ରାସ୍ତା କେବଳ ସ୍ଥାନୀୟ ସଂଯୋଗୀକରଣକୁ ଉନ୍ନତ କରି ଯାତ୍ରା ସମୟ ହ୍ରାସ କରିବ ନାହିଁ ବରଂ ଆର୍ଥିକ ବିକାଶକୁ ମଧ୍ୟ ବୃଦ୍ଧି କରିବ ଏବଂ ଅନ୍ଧାରୁଆ ଏବଂ ସଂଲଗ୍ନ ଗ୍ରାମଗୁଡ଼ିକର ବାସିନ୍ଦାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ଏହି ଅବସରରେ ଉପସ୍ଥିତ ଅଧିକାରୀମାନେ କହିଥିଲେ।

ଏହି ପ୍ରକଳ୍ପଟି ଭୁବନେଶ୍ୱରରେ ୨୪ଟି ସିଡିପି ରାସ୍ତା ବିକାଶ ପାଇଁ ବିଡିଏର ବ୍ୟାପକ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଗଠନ ରୂପେ କାର୍ଯ୍ୟ କରୁଛି, ଯାହା ନୂତନ ସହରାଞ୍ଚଳ ବିକାଶ ଅଞ୍ଚଳଗୁଡ଼ିକୁ ପହଞ୍ଚାଇବା ପାଇଁ ଡିଜାଇନ୍ କରାଯାଇଛି। ଏଥିମଧ୍ୟରୁ ଉଲ୍ଲେଖନୀୟ ହେଉଛି ନୂତନ ଭୁବନେଶ୍ୱର ରେଳ ଷ୍ଟେସନକୁ ଆପ୍ରୋଚ୍ ରୋଡ୍, ସହର ପରିକଳ୍ପନା ଯୋଜନା (ଟିପି ସ୍କିମ୍)ନମ୍ବର ୦୮ ମାଧ୍ୟମରେ ନୂଆଗାଁ-କାଟେନି ସଂଯୋଗକାରୀ ଏବଂ ଖଣ୍ଡଗିରି-ଚନ୍ଦକା-ଅନ୍ଧାରୁଆ-ଦାସପୁର ରୁଟ୍, ଯାହା ସମସ୍ତ ନୂତନ ସହର ସମ୍ପ୍ରସାରଣର ଅବିଚ୍ଛେଦ୍ୟ ଅଂଶ।

ଗୋଠପାଟଣା, ମଳିପଡ଼ା ଏବଂ ଦାସପୁର ମୌଜାରେ ପ୍ରାୟ ୮୦୦ ଏକର ପରିବ୍ୟାପ୍ତ ନୂତନ ସହର ପ୍ରକଳ୍ପ (ନିୟୁ ସିଟି), ଭୁବନେଶ୍ୱର ବିକାଶ ଯୋଜନା କ୍ଷେତ୍ର (ବିଡିପିଏ) ମଧ୍ୟରେ ଏକ ଆଧୁନିକ, ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ସହରାଞ୍ଚଳ କେନ୍ଦ୍ର ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି, ଯାହା ସହରର ଯୋଜନାବଦ୍ଧ ଅଭିବୃଦ୍ଧିରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଏହି ବୈଠକରେ ଆଲୋକପାତ ହୋଇଥିଲା। ଏଥିରେ ଦେବୀ ପ୍ରସାଦ ମହାନ୍ତି (ଭୁବନେଶ୍ୱର ବି.ଡି.ଓ), ପ୍ରତୀକ ପଟ୍ଟନାୟକ(ଜମି ଅଧିଗ୍ରହଣ ଅଧିକାରୀ, ବି.ଡି.ଏ), ଧ୍ୟାନ ଟୁଡୁ (ଡେପୁଟି ରେଞ୍ଜର, ଚନ୍ଦକା ବନ୍ୟପ୍ରାଣୀ ବିଭାଗ), ସବ୍ୟସାଚୀ ଖୁଣ୍ଟିଆ (ଅନ୍ଧାରୁଆ ରାଜସ୍ବ ନିରୀକ୍ଷକ,ଆର.ଆଇ) ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.