Latest Odisha News

BREAKING NEWS

US Nuclear Weapons Tests: ଆମେରିକା କରିବ ପରମାଣୁ ପରୀକ୍ଷଣ…

ନୂଆଦିଲ୍ଲୀ: ୩୩ ବର୍ଷ ପରେ ଆମେରିକାର ପରମାଣୁ ପରୀକ୍ଷଣ…ପରମାଣୁ ପରୀକ୍ଷଣ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ଟ୍ରମ୍ପ…ସାରା ବିଶ୍ବରେ ହଇଚଇ…କିଛି ବଡ ସଙ୍କେତ ଦେଉଛନ୍ତି କି?…ନା ପୁଟିନ୍, ଜିନପିଙ୍ଗଙ୍କ ଭୟରେ ଦେଖାଉଛନ୍ତି ଶକ୍ତି?

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ, ପେଣ୍ଟାଗନକୁ ତୁରନ୍ତ ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ପରମାଣୁ ଅସ୍ତ୍ର ପରୀକ୍ଷଣ ଚୀନ୍ ଏବଂ ରୁଷ ସହିତ ସମାନ ସ୍ତରରେ କରାଯିବା ଉଚିତ। ବୁଧବାର ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପଙ୍କ ଏହି ବାର୍ତ୍ତା ଏବେ ହଇଚଇ ସୃଷ୍ଟି କରିଛି ।

ପ୍ରଶ୍ନରେ ପରମାଣୁ ପରୀକ୍ଷଣର ସମୟ

ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଅନ୍ୟ ଦେଶର ପରୀକ୍ଷଣକୁ ଦୃଷ୍ଟିରେ ରଖି, ମୁଁ ଯୁଦ୍ଧ ବିଭାଗକୁ ଯଥାଶୀଘ୍ର ସମାନ ସ୍ତରରେ ଆମର ପରମାଣୁ ଅସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି।” ଆମେରିକା ଶେଷ ଥର ପାଇଁ ୧୯୯୨ ମସିହା ସେପ୍ଟେମ୍ବର ୨୩ ତାରିଖରେ ନେଭାଡାରେ ଏକ ପରମାଣୁ ପରୀକ୍ଷଣ କରିଥିଲା ​​ଏବଂ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଏଚ୍.ଡବ୍ଲୁ. ବୁଶ ପରବର୍ତ୍ତୀ ସମୟରେ ଭୂମିଗତ ପରମାଣୁ ପରୀକ୍ଷଣ ଉପରେ ସ୍ଥଗିତ ଘୋଷଣା କରିଥିଲେ। କିନ୍ତୁ ଏହାର ପ୍ରାୟ ୩୩ ବର୍ଷ ପରେ ରାଷ୍ଟ୍ରପତି ଟ୍ରମ୍ପ ପରମାଣୁ ପରୀକ୍ଷଣ ଘୋଷଣା କରିଛନ୍ତି । ତେବେ ଟ୍ରମ୍ପଙ୍କ ନିର୍ଦ୍ଦେଶର ସମୟକୁ ନେଇ ଏବେ ପ୍ରଶ୍ନ ଉଠାଯାଉଛି। ଟ୍ରମ୍ପଙ୍କ ନିର୍ଦ୍ଦେଶ ଏପରି ସମୟରେ ଆସିଛି ଯେତେବେଳେ ଗୁରୁବାର ଦକ୍ଷିଣ କୋରିଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି ଟ୍ରମ୍ପ । ଅନ୍ୟପଟେ ସମ୍ପ୍ରତି ରୁଷ ମଧ୍ୟ ତାହାର ପରମାଣୁ ଅସ୍ତ୍ର ପରୀକ୍ଷଣ କରିଛି। ରୁଷ ରାଷ୍ଟ୍ରପତି ପୁଟିନଙ୍କ ନିର୍ଦ୍ଦେଶ ପରେ, ରୁଷର ପରମାଣୁ ଅସ୍ତ୍ରଶସ୍ତ୍ର ବାହିନୀ ପ୍ଲେସେଟସ୍କରେ ଆମେରିକାକୁ ଆକ୍ରମଣ କରିବାକୁ ସକ୍ଷମ ୟାର୍ସ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBM) ପରୀକ୍ଷଣ କରିଥିଲା । ଏଥିସହିତ ଅନ୍ୟ ଦୁଇଟି ICBM, ସିନେଭା ଏବଂ ପରମାଣୁ-ସକ୍ଷମ Tu-95 ବୋମାବାହୀରୁ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା। ଏଥିସହିତ ଟ୍ରମ୍ପଙ୍କ ନିର୍ଦ୍ଦେଶ ଜାରି ବିଶ୍ୱ ଅଶାନ୍ତି ମଧ୍ୟରେ ଆସିଛି। ଯେତେବେଳେ ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଭଳି ରାଷ୍ଟ୍ର ପରସ୍ପର ସହ ଯୁଦ୍ଧରେ ଲିପ୍ତ ରହିଛନ୍ତି  ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ବାରମ୍ବାର ହସ୍ତକ୍ଷେପ ସତ୍ତ୍ବେ ଏଥିରେ ବିରାମ ପଡିପାରୁନାହିଁ ।

ଭୟ କରୁଛନ୍ତି କି ଟ୍ରମ୍ପ?

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରମାଣୁ ଅସ୍ତ୍ର ପରୀକ୍ଷଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାର ନିଷ୍ପତ୍ତି ନୂତନ ଅନ୍ତର୍ଜାତୀୟ ଚିନ୍ତା ସୃଷ୍ଟି କରିଛି, କାରଣ ଏହି ପଦକ୍ଷେପକୁ ବିଶ୍ୱ ପରମାଣୁ ନିରସ୍ତ୍ରୀକରଣ ପ୍ରୟାସର ବିପରୀତ ଭାବରେ ଦେଖାଯାଉଛି। ଯାହାକୁ ନେଇ ପ୍ରଶ୍ନ ହେଉଛି କ’ଣ ଡୋନାଲ୍ଡ ଟ୍ରମ୍ପ ଭୟ କରୁଛନ୍ତି କି, କାଳେ ରୁଷ ଏବଂ ଚୀନ୍ ଖୁବ୍ ଶୀଘ୍ର ଆମେରିକାର ସମାସ୍କନ୍ଦ ହୋଇପାରନ୍ତି । କାରଣ ଟ୍ରମ୍ପ ତାଙ୍କ ବିୃତ୍ତିରେ ଏହା ବି ଆଲୋକପାତ କରିଥିଲେ ଯେ, “ଯୁକ୍ତରାଷ୍ଟ୍ର ଅନ୍ୟ ଯେକୌଣସି ଦେଶ ଅପେକ୍ଷା ଅଧିକ ପରମାଣୁ ଅସ୍ତ୍ର ରଖିଛି, ଏବଂ ସେମାନଙ୍କର ପ୍ରଚଣ୍ଡ ବିନାଶକାରୀ ଶକ୍ତି ଯୋଗୁଁ, ମୁଁ ଏପରି କରିବା ବିଷୟରେ ଭୟଙ୍କର ଅନୁଭବ କରିଥିଲି, କିନ୍ତୁ ମୋର କୌଣସି ବିକଳ୍ପ ନଥିଲା!” । ଯାହା ଟ୍ରମ୍ପଙ୍କ ମନରେ ଥିବା ସଂଶୟକୁ ସ୍ପଷ୍ଟ ବାରିଥିବା କୁହାଯାଉଛି ।

କାହା ପାଖରେ କେତେ ପରମାଣୁ ଅସ୍ତ୍ର?

ଟ୍ରମ୍ପ ତାଙ୍କ ପୋଷ୍ଟରେ ଦାବି କରିଛନ୍ତି ଯେ ଆମେରିକା ବିଶ୍ୱରେ ସର୍ବାଧିକ ସଂଖ୍ୟକ ପରମାଣୁ ଅସ୍ତ୍ରଶସ୍ତ୍ର ରଖିଛି, କିନ୍ତୁ ଆନ୍ତର୍ଜାତୀୟ ପରମାଣୁ ଅସ୍ତ୍ରଶସ୍ତ୍ର ବନ୍ଦ କରିବା ଅଭିଯାନ ଅନୁଯାୟୀ, ରୁଷ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ ପରମାଣୁ ଅସ୍ତ୍ରଶସ୍ତ୍ର ରଖିଛି, ଯାହାର ସଂଖ୍ୟା ୫,୫୦୦ ରୁ ଅଧିକ, ଯେତେବେଳେ ଆମେରିକା ପାଖରେ ପ୍ରାୟ ୫,୦୪୪ ଅଛି। ସେହିପରି ଚୀନ୍ ଦ୍ରୁତ ଗତିରେ ତାର ପରମାଣୁ ଅସ୍ତ୍ରଶସ୍ତ୍ର ବିସ୍ତାର କରୁଛି, ଯାହା ୨୦୩୦ ସୁଦ୍ଧା ୧୦୦୦ ଅସ୍ତ୍ରରେ ପହଞ୍ଚିପାରେ । ଚୀନ୍ ବର୍ତ୍ତମାନ ପ୍ରାୟ ୬୦୦ ପରମାଣୁ ଅସ୍ତ୍ରଶସ୍ତ୍ର ରଖିଛି । ଚୀନ୍ ୧୬ ଅକ୍ଟୋବର ୧୯୬୪ ରେ ସଫଳତାର ସହ ପ୍ରଥମ ପରମାଣୁ ବୋମା ବିସ୍ଫୋରଣ କରିଥିଲା। ଏହି ପରୀକ୍ଷଣ ସହିତ, ଆମେରିକା, ସୋଭିଏତ୍ ୟୁନିଅନ୍, ବ୍ରିଟେନ୍ ଏବଂ ଫ୍ରାନ୍ସ ପରେ ଚୀନ୍ ବିଶ୍ୱର ପଞ୍ଚମ ପରମାଣୁ ସକ୍ଷମ ଦେଶ ହୋଇଗଲା।

ତେବେ ପରମାଣୁ ପରୀକ୍ଷଣ ପୁନଃ ଆରମ୍ଭ କରିବା ପାଇଁ ଟ୍ରମ୍ପ୍ ଙ୍କ ଆଦେଶ ପରମାଣୁ ଅପ୍ରସାର ଚୁକ୍ତି (NPT) ଉଲ୍ଲଂଘନ କରିପାରେ, କାରଣ ଆମେରିକା ୧୯୯୨ରେ ପରମାଣୁ ପରୀକ୍ଷଣ ଉପରେ ସ୍ଥଗିତ ଘୋଷଣା କରିଥିଲା। ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ପୂର୍ବରୁ ଚେତାବନୀ ଦେଇସାରିଛି ଯେ ଏପରି ନୂତନ ପରମାଣୁ ପରୀକ୍ଷଣ ବିଶ୍ୱବ୍ୟାପୀ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଆରମ୍ଭ କରିପାରେ। ଆଉ ଏବେ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ, ଡେମୋକ୍ରାଟିକ୍ ସେନେଟର ଏଲିଜାବେଥ ୱାରେନ ଟ୍ୱିଟ୍ କରି କହିଛନ୍ତି ଯେ ଟ୍ରମ୍ପ ପରମାଣୁ ଯୁଦ୍ଧର ଖେଳ ତିଆରି କରୁଛନ୍ତି।

Comments are closed.