ଫୁଲବାଣୀ: ନୋଟିସ୍ ବୋର୍ଡ଼ରେ ଲାଗିଥିବା ଗୋଟିଏ ପିନ୍ ନେଲା ଛାତ୍ରଙ୍କ ଜୀବନ। ଏହି ପିନ୍ ଗିଳି ଛାତ୍ରଟିର ମୃତ୍ୟୁ ହୋଇଛି । ଘଟଣାର ପ୍ରାୟ ଏକ ସପ୍ତାହ ପରେ କଟକ ଶିଶୁ ଭବନରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଧାବାତାଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ତୁଷାର ମିଶ୍ର।
ତୁଷାରଙ୍କ ନିଜ ଘର ଦାରିଙ୍ଗବାଡ଼ିରେ। ସେ ଫୁଲବଣୀ କଣ୍ଟ୍ରାକ୍ଟରପଡ଼ା ଅଜା ଘରେ ରହି ପାଠ ପଢୁଥିଲେ। ୧୫ ତାରିଖରେ ତୁଷାର ନୋଟିସ୍ ବୋର୍ଡ଼ରେ ଲାଗିଥିବା ଏକ ପିନ୍ ଗିଳି ଦେଇଥିବା ତୁଷାର ଓ ସାଙ୍ଗମାନେ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସେମାନେ ଏହାକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି। ସେ ଘରକୁ ଆସି ଅଜା ରାମ ପ୍ରସାଦ ମିଶ୍ରଙ୍କୁ ଘଟଣା ବିଷୟରେ ଜଣାଇବା ପରେ ପରିବାର ଲୋକ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ବ୍ରହ୍ମପୁର ନିଆଯାଇଥିଲା। ବାପା କାଳୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ବ୍ରହ୍ମପୁରରେ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ପିନ୍ଟି ବାହାରି ନଥିଲା। ଫୁସ୍ଫୁସ୍ ପାଖରେ ଅଟକି ରହିଥିଲା।
କଟକ ଶିଶୁ ଭବନରେ ଅସ୍ତ୍ରୋପଚାର କରି ପିନ୍ ବାହାର କରାଯାଇଥିଲା। ଚିକିତ୍ସାରେ ବିଳମ୍ବ ଯୋଗୁଁ ସେ ପ୍ରଥମେ ପାରାଲିଟିକ୍ ଆଟାକ୍ର ଶିକାର ହେବା ପରେ କୋମାକୁ ଚାଲି ଯାଇଥିବା ଡାକ୍ତର ସୂଚନା ଦେଇଥିବା ପରିବାର ଲୋକ କହିଛନ୍ତି। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ୨୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନସ ରଞ୍ଜନ ଦାଶ କହିଛନ୍ତି, ସ୍କୁଲ୍ ଛୁଟି ଥିବାରୁ ତଦନ୍ତ ହୋଇନି। ସ୍କୁଲ ଖାଲିଲେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
Comments are closed.