କଟକ: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), କଟକରେ ଆଗାମୀ ଐତିହାସିକ ବାଲିଯାତ୍ରା ମହୋତ୍ସବ ପାଇଁ ଭରସାଯୋଗ୍ୟ ଏବଂ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି।
ନଭେମ୍ବର ୫ରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଏହି ପାରମ୍ପରିକ ମେଳାରେ ସାଂସ୍କୃତିକ ଓ ଐତିହ୍ୟ ପ୍ରଦର୍ଶନୀ, ହାତକଳା ଉତ୍ପାଦ ଓ ସ୍ଥାନୀୟ ଖାଦ୍ୟ ପଦାର୍ଥ ଆକର୍ଷଣର କେନ୍ଦ୍ର ପାଲଟିବ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଆଗମନ ହେଉଥିବା ବାଲିଯାତ୍ରା ଆଜି ବି ସମସ୍ତ ବୟସର ପରିଦର୍ଶକଙ୍କ ପାଇଁ ଏକ ସାଂସ୍କୃତିକ ଆକର୍ଷଣ ହୋଇ ରହିଛି ।
ଟିପିସିଓଡିଏଲ୍ ସମ୍ପୂର୍ଣ୍ଣ ୧୩୦ ଏକର ବାଲିଯାତ୍ରା ମେଳା ପଡିଆକୁ ବିଦ୍ୟୁତିକରଣ କରିବା ସହିତ ମେଳା ସମୟରେ ୨୪ ଘଣ୍ଟା ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଇ ଦେବାକୁ ପ୍ରତିବଦ୍ଧ ରହିଛି।
ଚଳିତ ବର୍ଷ ଟିପିସିଓଡିଏଲ୍ ପକ୍ଷରୁ ଷ୍ଟଲ୍ ମାଲିକମାନଙ୍କ ପାଇଁ ପ୍ରାୟ ୧୦୦୦ ଅସ୍ଥାୟୀ ସଂଯୋଗ ଯୋଗାଇ ଦିଆଯାଇଛି, ଏଭଳି ସହଜ ଓ ଶୀଘ୍ର ସଂଯୋଗ ପ୍ରକ୍ରିୟା ପାଇଁ ଦୋକାନୀ ମାନେ ଟିପିସିଓଡିଏଲ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ବାଲିଯାତ୍ରା ପାଇଁ ଟିପିସିଓଡିଏଲ୍ ଭିତ୍ତିଭୂମି ନିର୍ମାଣରେ ବିଭିନ୍ନ ପଦକ୍ଷେପ ନେଇଛି ଯେପରିକି ପ୍ରାୟ ୩ ମେଗାୱାଟର ଆନୁମାନିକ ଲୋଡ୍ ପୂରଣ କରିବା ପାଇଁ ୧୦,୦୦୦ କେଭିଏରୁ ଅଧିକ କ୍ଷମତାର ବିଦ୍ୟୁତ ଭିତ୍ତିଭୂମି ସ୍ଥାପନ କରାଯାଇଛି। ସବଷ୍ଟେସନ ଚାରିପାଖେ ଉପଯୁକ୍ତ ବାଡ଼ ତିଆରି କରାଯିବା ସହିତ ବିଭିନ୍ନ କଣ୍ଡକ୍ଟରକୁ ଏଲଟିଏବି କେବୁଲ ସହିତ ସଂଯୋଗ କରାଯାଇ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରାଯାଇଛି। ବାଲିଯାତ୍ରା ପଡ଼ିଆରେ ନିରାପଦ ଓ ଭରସାଯୋଗ୍ୟ ବିଦ୍ୟୁତ ସେବା ପ୍ରଦାନ ପାଇଁ ଟିପିସିଓଡିଏଲ୍ର ପ୍ରାୟ ୨୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହା ସହିତ, ବାଲିଯାତ୍ରା ପଡ଼ିଆରେ ପ୍ରାୟ ୬୦୦ ବିଦ୍ୟୁତ ଖୁଣ୍ଟ ସ୍ଥାପନ କରାଯାଇ, ସମଗ୍ର ଅଞ୍ଚଳକୁ ଆଲୋକିତ କରାଯାଇଛି ।
ମେଳାର ସୁଚାରୁ ପରିଚାଳନା ନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ୧୦ଟି ଫ୍ୟୁଜ୍ କଲ୍ ସେଣ୍ଟର ସ୍ଥାପନ କରିଛି, ଯାହା ଯେକୌଣସି ଅଭିଯୋଗ କିମ୍ବା ବୈଷୟିକ ସମସ୍ୟାର ସମାଧାନ କରିବାକୁ ପ୍ରସ୍ତୁତ ରହିଥିବା ବେଳେ ମେଳା ପରିସରରେ ନିର୍ବିଘ୍ନ ବିଦ୍ୟୁତ୍ ପରିଚାଳନା ସୁନିଶ୍ଚିତ କରିବ । ଏହି ବର୍ଷ ନଭେମ୍ବର ୫ ରୁ ୧୨ ଯାଏଁ ଚାଲିବାକୁଥିବା ବାଲିଯାତ୍ରାରେ ପ୍ରାୟ ୧ କୋଟି ଲୋକ ଯୋଗ ଦେବେ ବୋଲି ଆନୁମାନ କରାଯାଉଛି ।
ଏନେଇ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଐତିହାସିକ ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଥିବାବେଳେ ଟିପିସିଓଡିଏଲ୍ ଏହି ଉତ୍ସବ ଋତୁରେ ସମସ୍ତଙ୍କୁ ଏକ ସୁରକ୍ଷିତ ଏବଂ ଆନନ୍ଦମୟ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି । ବ୍ୟାପକ ଯୋଜନା ଏବଂ ଦୃଢ଼ ଭିତ୍ତିଭୂମି ସହିତ ଆମେ ନିଶ୍ଚିତ କରୁଛୁ ଯେପରି ମେଳା ସମୟରେ ବିଦ୍ୟୁତ୍ ଆବଶ୍ୟକତାକୁ ଦକ୍ଷତାର ସହିତ ଏବଂ ସୁରକ୍ଷିତ ଭାବରେ ପୂରଣ କରାଯାଇପାରିବ।
Comments are closed.