Latest Odisha News

BREAKING NEWS

Ukraine war: ପୁଟିନଙ୍କ ସ୍ବପ୍ନ ପୂରଣ କରିବ ଟ୍ରମ୍ପଙ୍କ ଜିଦ୍ଦି!, ଚିନ୍ତାରେ ଜେଲେନସ୍କି…

ନୂଆଦିଲ୍ଲୀ: ୨୧ ମାସ ଧରି ଚାଲିଛି ଯୁଦ୍ଧ…ଧିରେ ଧିରେ ୟୁକ୍ରେନୀୟ ଅଞ୍ଚଳକୁ ଅକ୍ତରିଆର କରୁଛନ୍ତି ପୁଟିନ୍…କିଛି କରିପାରୁନାହାନ୍ତି ଟ୍ରମ୍ପ…ଓଲଟା ଜେଲେନସ୍କିଙ୍କୁ କହୁଛନ୍ତି ସାଲିସ୍ କର…ଏବେ ଜେଲେନସ୍କି ଚିନ୍ତାରେ…

ପୂର୍ବ ୟୁକ୍ରେନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହର ପୋକ୍ରୋଭସ୍କ ଏବେ ରୁଷ ଦଖଲ ଦ୍ୱାରରେ। ୟୁକ୍ରେନ ଏହି ସହରକୁ ରୁଷ ହାତରେ ଦେବାକୁ ଇଚ୍ଛୁକ ନଥିଲା, ହେଲେ ରୁଷ ଏହାର ଆନ୍ତର୍ଜାତୀୟ ପ୍ରତିଷ୍ଠା ବୃଦ୍ଧି କରିବା ପାଇଁ ଯେକୌଣସି ଉପାୟରେ ଏହାକୁ କବଜା କରିବାକୁ ଚାହୁଁଥିଲା। ଆଉ ଏବେ ତାହା ସତ ହେବାକୁ ଯାଉଛି । ପ୍ରାୟ ୨୧ ମାସ ଧରି ଚାଲିଥିବା ଏହି ଭୂମି ଯୁଦ୍ଧ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଏକ ପ୍ରମୁଖ ପ୍ରତୀକାତ୍ମକ ଲକ୍ଷ୍ୟ ହୋଇଛି। ଯଦିଓ ଏହି ଅଞ୍ଚଳର ରଣନୈତିକ ଗୁରୁତ୍ୱ ହ୍ରାସ ପାଇଥାଇପାରେ, ଏହି ବିଜୟ ଏକ ବିଜୟ ହେବ ଯାହା ବିଶ୍ୱ ସ୍ତରରେ ରୁଷକୁ ସମ୍ମାନିତ କରିବ।

ସାମ୍ପ୍ରତିକ ଦିନରେ ସହର ଭିତରେ ଯୁଦ୍ଧ ଆହୁରି ତୀବ୍ର ହୋଇଛି। ୟୁକ୍ରେନୀୟ ସୈନ୍ୟମାନେ ରୁଷର ଘେରାବନ୍ଦୀର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, କିନ୍ତୁ ଭୂମିରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ବୋଲି କୁହାଯାଉଛି । ଜଣେ ୟୁକ୍ରେନୀୟ କମାଣ୍ଡର କହିଛନ୍ତି, “ଆମେ ପ୍ରାୟ ଘେରି ରହିଛୁ। ସହରାଞ୍ଚଳ ଯୁଦ୍ଧ ଏବଂ ନିରନ୍ତର ଗୁଳିବର୍ଷା ହେଉଛି।” ୟୁକ୍ରେନୀୟ ସୈନିକମାନେ କହିଛନ୍ତି ଯେ ରୁଷୀୟ ସୈନ୍ୟ ବଡ଼ ଦଳରେ ଆଗକୁ ବଢ଼ୁଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଡ୍ରୋନ୍ ଆକ୍ରମଣରେ ଜୀବନ ହାରୁଛନ୍ତି, ତଥାପି କ୍ରେମଲିନ୍ ଯେକୌଣସି ମୂଲ୍ୟରେ ସହରକୁ କବଜା କରିବାକୁ ଚାହୁଁଛି। ଯାହାକୁ ନେଇ ଏବେ ଚିନ୍ତାରେ ୟୁକ୍ରେନ ରାଷ୍ଟ୍ରପପତି ଭୋଲୋଦିମିର ଜେଲେନସ୍କି ।

ରୁଷ ପାଇଁ ପ୍ରତୀକାତ୍ମକ ବିଜୟ

ପୋକ୍ରୋଭସ୍କ ଅଞ୍ଚଳ ୟୁକ୍ରେନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଲଜିଷ୍ଟିକ୍ସ ହବ୍ ଥିଲା । ଯେଉଁଠାରେ ଡୋନେଟସ୍କ, କୋଷ୍ଟ୍ୟାଣ୍ଟିନିଓକା, ଜାପୋରିଝିଆ ଏବଂ ଡିନିପ୍ରୋକୁ ସଂଯୋଗ କରୁଥିବା ଅନେକ ରାଜପଥ ଏବଂ ରେଳ ଲାଇନ ଥିଲା। ତଥାପି, ରୁଷର ଘେରାବନ୍ଦୀ ଅଭିଯାନ ଏବଂ ଡ୍ରୋନ ଆକ୍ରମଣ ପୂର୍ବରୁ ଏହି ପଥଗୁଡ଼ିକୁ ଅକ୍ଷମ କରିଦେଇଛି। ବର୍ତ୍ତମାନ, ଏହି ଯୁଦ୍ଧ ରଣନୈତିକ ନୁହେଁ, ପ୍ରତୀକାତ୍ମକ ହୋଇଗଲାଣି। ଆମେରିକୀୟ ଥିଙ୍କ ଟ୍ୟାଙ୍କ ଇନଷ୍ଟିଚ୍ୟୁଟ୍ ଫର୍ ଦି ଷ୍ଟଡି ଅଫ୍ ୱାରର ବିଶେଷଜ୍ଞ ଜର୍ଜ ବାରୋସ୍ ବ୍ୟାଖ୍ୟା କରିଛନ୍ତି ଯେ ପୋକ୍ରୋଭସ୍କକୁ କବଜା କରିବା ଦ୍ୱାରା ରୁଷକୁ କୌଣସି ବଡ଼ ସାମରିକ ସୁବିଧା ମିଳିବ ନାହିଁ; ଏହା କେବଳ ଏକ ରାଜନୈତିକ ପ୍ରଚାର ବିଜୟ। ଯାହାକୁ ନେଇ ୟୁକ୍ରେନିଆନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି କହିଛନ୍ତି ଯେ ରୁଷ ଏହି ଅଞ୍ଚଳରେ ପ୍ରାୟ ୧୭୦,୦୦୦ ସୈନ୍ୟ ମୁତୟନ କରିଛି।

ପୁଟିନଙ୍କ ସପକ୍ଷରେ ଟ୍ରମ୍ପ

ଡୋନବାସ ଅଞ୍ଚଳରେ ପୋକ୍ରୋଭସ୍କ ହେଉଛି ୟୁକ୍ରେନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଏବଂ ପରିବହନ କେନ୍ଦ୍ର। ଏହିଠାରୁ ପୂର୍ବ ମୋର୍ଚ୍ଚାକୁ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ କରାଯାଏ। ଯଦି ରୁଷ ଏହି ସହରକୁ ଦଖଲ କରେ, ତେବେ ଏହା ସମଗ୍ର ଡୋନେଟସ୍କ ଅଞ୍ଚଳକୁ ନିୟନ୍ତ୍ରଣ କରିବା ପାଇଁ ନିକଟତର ହେବ। ଆଉ ପୋକ୍ରୋଭସ୍କର ପତନ ଅର୍ଥ ହେବ କୁରାମାଟୋର୍ସ୍କ, ସ୍ଲୋଭିଆନସ୍କ, କୋଷ୍ଟ୍ୟାଣ୍ଟିନିଓକା ଏବଂ ଡ୍ରୁଜକିଭକା ଭଳି ସହର ହରାଇବା, ଯାହାକୁ ୟୁକ୍ରେନର ପ୍ରତିରକ୍ଷାର ଦୃଢ଼ ଧାର ବୋଲି ବିବେଚନା କରାଯାଏ। ସେଥିପାଇଁ ଜେଲେନସ୍କି ସିଧାସଳଖ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ ଯେ ସେ ରୁଷକୁ ସହାୟତା ବନ୍ଦ କରିବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଉପରେ ଚାପ ପକାନ୍ତୁ। ତଥାପି, ଟ୍ରମ୍ପ ଏବଂ ସିଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନ୍ ସିଧାସଳଖ ପ୍ରସଙ୍ଗ ନଥିଲା; ସେମାନେ କେବଳ ଏକ ବ୍ୟବସାୟିକ ଚୁକ୍ତି କରିଥିଲେ ଏବଂ ପରେ ୟୁକ୍ରେନୀୟ ପ୍ରତିପକ୍ଷଙ୍କ ସହ ସାକ୍ଷାତକାର ବେଳେ ଏହି ସ୍ଥାନ ସବୁ ରୁଷକୁ ଦେବାକୁ ଓଲଟା ୟୁକ୍ରେନ ଉପରେ ଚାପ ପକାଇଥିଲେ ଟ୍ରମ୍ପ । ଅନ୍ୟପଟେ ଟ୍ରମ୍ପ ୟୁକ୍ରେନକୁ ଟୋମାହକ କ୍ଷେପଣାସ୍ତ୍ର ଦେବାକୁ ମଧ୍ୟ ମନା କରିଦେଇଛନ୍ତି ଏବଂ କହିଛନ୍ତି ପୁଟିନ୍ ଏବଂ ଜେଲେନ୍ସକିଙ୍କୁ ଲଢ଼ିବାକୁ ଦିଅନ୍ତୁ । ଯାହା ଏବେ ସ୍ଥିତିକୁ ଆହୁରି ଗମ୍ଭୀର କରିଛି ।

Comments are closed.